ଅନୁଗୋଳ:ସମୟ ବଦଳିଛି । ପୁରୁଣା କାଳର ରୀତିନୀତି ଚାଲିଚଳଣୀରେ ଆସିଛି ବିରାଟ ପରିବର୍ତ୍ତନ । ନା ଆଗ ଭଳି ଏତେଟା ଦେଖିବାକୁ ମିଳୁଛି ଭାଗବତ ଟୁଙ୍ଗି । ନା ଶାସ୍ତ୍ରରେ ହେଉଛି ଚର୍ଚ୍ଚା ଆଲୋଚନା । କିନ୍ତୁ କିଛି ମଣିଷ ଏପରି ଅଛନ୍ତି ଯେଉଁମାନେ ଆଜିବି ପୁରୁଣା ସଂସ୍କୃତି, ଚାଲିଚଳଣୀକୁ ବଞ୍ଚାଇ ରଖିଛନ୍ତି । ତାହାକୁ ଜୀବନର ବ୍ରତ କରିଛନ୍ତି । ହଁ ଆଜ୍ଞା ସେମିତି ଜଣେ ମଣିଷ ହେଉଛନ୍ତି ଅନୁଗୋଳ ଜିଲ୍ଲାର ନାରାୟଣ ସାହୁ । ଯିଏ କି ଦୀର୍ଘ 40 ବର୍ଷ ଧରି କରିଚାଲିଛନ୍ତି ଶାସ୍ତ୍ରର ଆଲୋଚନା । ଏଥିପାଇଁ ତ ସେ ‘ପୁରାଣ ମଣିଷ’ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ।
ପୁରାଣ ଶାସ୍ତ୍ର ଆଲୋଚନାରେ ନିମଗ୍ନ ‘ପୁରାଣ ମଣିଷ’:
ନାରାୟଣ ସାହୁ... ବୟସ ୬୫ ବର୍ଷ ଟପି ଗଲାଣି । ପିଲାଦିନେ ଆଦୌ ପାଠ ପଢି ନଥିଲେ । କିନ୍ତୁ ଯୁବକ ହେବାପରେ ପୋଥି ପୁରାଣ ଶାସ୍ତ୍ର ପଢିବାକୁ ତାଙ୍କର ଇଚ୍ଛା ହେବାରୁ ଅନ୍ୟ ମାନଙ୍କ ଠାରୁ କେବଳ ଲେଖିବା ଓ ପଢିବା ଶିଖିଲେ । ସେତେବେଳେ ବିଜୁଳି ଆଲୁଅ ନଥିଲା । ଲଣ୍ଠନ ଲଗାଇ ପୋଥି ପଢୁଥିଲେ । ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ପୁରାଣ, ଗୀତା, ଭାଗବତ ଆଦି ସଂଗ୍ରହ କରି ଗାଁରେ ପାଠ କରି ଲୋକଙ୍କୁ ଶୁଣାଇଲେ । ଧୀରେ ଧୀରେ ପାଖ ପଡୋଶୀ ଗାଁ ଗୁଡିକୁ ଯାଇ ମଧ୍ୟ ଲୋକଙ୍କୁ ପୁରାଣ ପଢି ଶୁଣାଇଲେ । ସେତେବେଳେ ପୁରାଣ ଓ ଶାସ୍ତ୍ର ପ୍ରତି ଲୋକଙ୍କର ବେଶ ଆଗ୍ରହ ଥିଲା । ଦଳ ଦଳ ହୋଇ ଲୋକେ ବସି ଏହାକୁ ଶୁଣୁଥିଲେ । ଏହା ଛଡ଼ା ନାରାୟଣଙ୍କ ପୁରାଣ ପଢ଼ିବାର ଶୈଳୀ ବହୁତ ଉଚ୍ଚକୋଟୀର ।
ନାରାୟଣଙ୍କ ପୁରାଣଶାସ୍ତ୍ର ପଠନକୁ ଚାହିଁ ବସିଥାନ୍ତି ଲୋକେ:
ବିଭିନ୍ନ ପ୍ରକାର ସ୍ବରରେ ନାରାୟଣ ପାଠ କରୁଛନ୍ତି । ତାଙ୍କର ସୁମଧୁର କଣ୍ଠସ୍ବର ମଧ୍ୟ ଶୁଣିବାକୁ ଲୋକଙ୍କୁ ଭଲ ଲାଗୁଛି । ଏବେ ତାଙ୍କ ପାଖରେ ଶହ ଶହ ଭିନ୍ନ ଭିନ୍ନ ପୁରୁଣା ଗ୍ରନ୍ଥ ରହିଛି । ହେଲେ ଶୁଣିବାକୁ ଲୋକ ନାହାନ୍ତି । ଆଗରୁ ଯେମିତି ରାତି ପାହିଲେ ଅଧିକାଂଶ ଲୋକ ଭଗବତ ଚିନ୍ତା କରୁଥିଲେ,ସନ୍ଧ୍ୟା ହେଲେ ଗାଁ ଟୁଙ୍ଗିକୁ ଯାଇ ପୁରାଣ ଶାସ୍ତ୍ର ଶୁଣୁଥିଲେ ଆଜି ଆଉ ସେ ସମୟ ନାହିଁ । ବ୍ୟସ୍ତ ବହୁଳ ଜୀବନ ସାଙ୍ଗକୁ ମୋବାଇଲ ଓ ଟେଲିଭିଜନ ଲୋକଙ୍କ ଠାରୁ ସତେ ଯେମିତି ସେ ପୁରୁଣା ଦିନର ଚିନ୍ତା ଓ ଚେତନା ଛଡାଇ ନେଇଛି । ତଥାପି ନାରାୟଣଙ୍କ ମନରେ ଭରପୁର ଆଶା ରହିଛି । ଦିନ ଆସିବ ମଣିଷ ନିଶ୍ଚିତ ଭାବେ ବଦଳିବ। ରାମାୟଣ, ମହାଭାରତ, ଗୀତା ଓ ଭାଗବତ ସମେତ ଯାହା ସବୁ ଆମର ପ୍ରାଚୀନ ଗ୍ରନ୍ଥ ରହିଛି ସେସବୁର ଆଦର ବଢିବ । ସେଥିପାଇଁ ସେ ଏ ବୟସରେ ମଧ୍ୟ ନିଜ ପରିସୀମା ମଧ୍ୟରେ ଆଧ୍ୟାତ୍ମିକ ବଳୟ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ଗୋ-ସେବାରେ ନିଜକୁ ସମର୍ପି ଦେଇଛନ୍ତି ନାରାୟଣ:
ନାରାୟଣ ନିଜେ ଚାଷବାସ କରନ୍ତି । ଗୋ ସେବାରେ ନିଜକୁ ସମର୍ପି ଦେଇଛନ୍ତି । ତାପରେ ଯେଉଁ ସମୟ ମିଳେ ସେହି ସମୟକୁ ସେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାରେ ନିୟୋଜିତ କରନ୍ତି । ଏବେବି ସେ ଗାଁକୁ ଗାଁ ବୁଲୁଛନ୍ତି । ବୟସ୍କ ମାନଙ୍କୁ ଡାକି ଆଣି ପାଖରେ ବସାଇ ପୁରାଣ ଶାସ୍ତ୍ର ପାଠ କରି ଶୁଣାଉଛନ୍ତି । ତାଙ୍କର ଏଭଳି ଆଗ୍ରହ ଦେଖି ଗାଁ ଗାଁରେ ଯେଉଁଠି ମେଳା, ପୂଜା, ନାମ ସଂକୀର୍ତ୍ତନ ହେଲେ ଲୋକେ ଡାକି ନିଅନ୍ତି ।
ଏହା ମଧ୍ୟ ପଢନ୍ତୁ: |