ବୌଦ୍ଧ: ଜିଲ୍ଲାର ଐତିହ୍ୟ, କଳା, ସଂସ୍କୃତିର ଅନନ୍ୟ ଉଦାହରଣ ରାମେଶ୍ବର ମନ୍ଦିର ସମୂହ । ପ୍ରାଚୀନ ଉତ୍କଳୀୟ ମନ୍ଦିର ସ୍ଥାପତ୍ୟର ମାଇଲ ଖୁଣ୍ଟ ଭାବରେ ପରିଚିତ ଏହି ପୀଠ । ମନ୍ଦିରର ନାଲି ରଙ୍ଗର ପଥର ଉପରେ ସୁକ୍ଷ୍ମ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ଅଭିଭୂତ କରିଥାଏ । ଚଳିତ ନିର୍ବାଚନରେ ଜିଲ୍ଲାର ରାଜନୈତିକ ଦଳର ପ୍ରାର୍ଥୀମାନେ ଏହି ପୀଠରୁ ଆଶୀର୍ବାଦ ନେଇ ନାମାଙ୍କନ ପତ୍ର ଦାଖଲ ଓ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏହାସତ୍ତ୍ବେ ଏହି ପ୍ରସିଦ୍ଧ ଐତିହ୍ୟ ପୀଠ ଆଜି ଅବହେଳିତ । ମନ୍ଦିରର ଆଖିଦୃଶିକା ବିକାଶ ହୋଇପାରିନଥିବା ବେଳେ ସନ୍ଧ୍ୟା ହେଲେ ଏଠି ଅନ୍ଧାରର ରାଜୁତି ଚାଲୁଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ଅବସ୍ଥିତ ନବମ ଶତାବ୍ଦୀରେ ସୋମବଂଶୀ ଶାସକଙ୍କ ଦ୍ୱାରା ନିର୍ମିତ ରାମେଶ୍ବର ମନ୍ଦିର ସମୂହ । ପୂର୍ବରୁ ଏଠାରେ ଏକାଦଶ ରୁଦ୍ରଙ୍କ ସ୍ବତନ୍ତ୍ର ମନ୍ଦିର ଥିବାବେଳେ ସମୟ ସ୍ରୋତରେ ବର୍ତ୍ତମାନ ଏଠି କେବଳ ତିନୋଟି ମନ୍ଦିର ରହିଛି । ମୁଖ୍ୟ ରାମେଶ୍ବର ମନ୍ଦିରଟି ୧୯୩୬ ମସିହାରେ ଦୁର୍ବଳ ହୋଇପଡ଼ିଥିବା କାରଣରୁ ଏହାକୁ ଭାଙ୍ଗି ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଦେଶ ସ୍ବାଧୀନତା ପରେ ଏହି ମୁଖ୍ୟ ମନ୍ଦିର ଅଧାଗଢ଼ା ହୋଇ ରହିଗଲା । ୧୯୫୮ ମସିହାଠାରୁ ଏହି ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଶୈବପୀଠ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ରହିଛି ।
ଏହା ମଧ୍ୟ ପଢନ୍ତୁ: ଅଳିଆ ଆର୍ବଜନାରେ ଅଣନିଶ୍ବାସୀ କବି ଜୟଦେବଙ୍କ ପୀଠ, ପ୍ରଶାସନର ନିଘା ନାହିଁ ! - Jaydev Pitha