ପୁରୀ/ଭୁବନଶ୍ୱର:ଆସନ୍ତା ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ରଥଯାତ୍ରା ଆୟୋଜନ କରିବ ଆମେରିକାର ଇସ୍କନ ଅନୁଷ୍ଠାନ । ଅଦିନିଆ ରଥଯାତ୍ରାକୁ ଏବେ ସବୁ ମହଲରେ ବିରୋଧ ପରେ ଏହା ବେଶ ଚର୍ଚ୍ଚାର ବିଷୟ ହେଇଛି । ଅଦିନିଆ ରଥଯାତ୍ରାକୁ ବନ୍ଦ ପାଇଁ ଭକ୍ତ, ସେବାୟତ ଅନୁରୋଧ କରିଥିବାବେଳେ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଗଜପତି । ସେପଟେ ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଘଟଣାକୁ ନିନ୍ଦା କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।
ଅଦିନରେ ରଥଯାତ୍ରାକୁ ଶଙ୍କରାଚାର୍ଯ୍ୟଙ୍କ ନିନ୍ଦା:
ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ । ଆମେରିକାରେ ଇସ୍କନ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା ଆୟୋଜନ କରିବାକୁ ଯାଉଛି । ଇସ୍କନର ଏହି ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଘଟଣାକୁ ନିନ୍ଦା କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ । ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀକହିଛନ୍ତି, "ବିଧି ଅନୁଯାୟୀ ସବୁ କାର୍ଯ୍ୟ କରାଗଲେ ସବୁ କାର୍ଯ୍ୟ ସଫଳ ହୋଇଥାଏ । ତାହା ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହାକୁ ଉଲଘଂନ କରାଗଲେ ସବୁ କାର୍ଯ୍ୟ ବିଫଳ ହେଇଥାଏ । କେବଳ ନିଜର ଖ୍ୟାତି, ପ୍ରଚାର ପ୍ରସାର ପାଇଁ ଇସ୍କନ ଯେଉଁ ଭଳି ବିଧି ବ୍ୟବସ୍ଥା ନମାନି ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରୁଛି ତାହା ଠିକ୍ ନୁହେଁ । ଯେଉଁମାନେ ମହାପ୍ରଭୁଙ୍କୁ ଭକ୍ତି କରନ୍ତି ସେମାନେ ମହାପ୍ରଭୁଙ୍କ ସବୁ ବିଧି ବ୍ୟବସ୍ଥା ମାନିବା ଉଚିତ ।"
ସେପଟେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମାଧବ ପୂଜାପଣ୍ଡା କହିଛନ୍ତି, "ପୂର୍ବରୁ ମଧ୍ୟ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବହୁ ଆପତ୍ତି ଉଠିଛି । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକରେ ଏନେଇ ପୂର୍ବରୁ ଅଲୋଚୋନା ସହ ଉଦ୍ବେଗ ପ୍ରକାଶ ପାଇଛି । ଏହାକୁ ରୋକିବାକୁ ହେଲେ କେବଳ କାଗଜ କଲମରେ ସୀମିତ ରହିଲେ ହେବନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ ଉଚିତ । ରାଜ୍ୟ ସରକାର ଇସ୍କନ ଅନୁଷ୍ଠାନକୁ ଏନେଇ ଅବଗତ କରିବା ଉଚିତ । ଗତ ୨୦୨୦ରେ କରୋନାରେ ଯେତେବେଳେ ମହାପ୍ରଭୁଙ୍କ ରଥଯାତ୍ରା ହୋଇଥଲା ସେତେବେଳେ ବଡଦାଣ୍ଡରେ ଘର ଥିବା ଲୋକମାନେ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିନଥିଲେ । ସରକାରଙ୍କ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିଥିଲେ । ଏହା ତ୍ୟାଗ ଓ ଭକ୍ତି ଥିଲା । ଯଦି ଆମେ ମହାପ୍ରଭୁଙ୍କୁ ଭକ୍ତି କରୁଛେ, ତେବେ ଅଦିନିଆ ରଥଯାତ୍ରା ଅୟୋଜନ ଠିକ ନୁହେଁ । ଏହାଦ୍ବାରା ଜଣାପଡୁଛି ମହାପ୍ରଭୁଙ୍କ ପ୍ରତି ଇସ୍କନର ଭକ୍ତି ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଇସ୍କନକୁ ଏହା ଅବଗତ କରାଇବା ଉଚିତ୍ । ସେହିପରି କେଉଁ ତିଥିରେ ମହାପ୍ରଭୁଙ୍କ କିଭଳି ପର୍ବ ପର୍ବାଣୀ ପାଳନ କରିହେବ ପ୍ରଶାସନ ପକ୍ଷରୁ ଏକ ସୂଚନା ଇସ୍କନକୁ ଦିଆଯିବ ଉଚିତ ।"
ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ସମ୍ମୁଖରେ ସୂଚନା କେନ୍ଦ୍ର ନିର୍ମାଣକୁ ଜୋରଦାର ବିରୋଧ, ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ, ସିଂହଦ୍ଵାରର ହେବ ସୋନ୍ଦର୍ଯ୍ୟ ହାନି - information center controversy |
'ମହାପ୍ରଭୁଙ୍କ କୌଣସି ରୀତିନୀତି ଅଲଗା ଭାବରେ ହେବନାହିଁ'