ଭୁବନେଶ୍ବର:ବନ୍ୟପ୍ରାଣୀ ଆଇନର ଖୋଲା ଉଲ୍ଲଙ୍ଘନ କରୁଛନ୍ତି ସରକାରୀ ଅଧିକାରୀ । କେନ୍ଦୁଝର ଡିଏଫଓ ଆଇନ ଉଲ୍ଲଙ୍ଘନ କରି ବେଆଇନ ଭାବେ ଜାରି କରିଛନ୍ତି ସ୍ନେକ ହ୍ୟାଣ୍ଡଲର ସାର୍ଟିଫିକେଟ । ଏନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛି ସ୍ନେକ ହେଲ୍ପଲାଇନ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତୁତ ହେଉଛି ସ୍ନେକ ହେଲ୍ପଲାଇନ ସଦସ୍ୟ । ନହେଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି ସ୍ନେକ ହେଲ୍ପଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ଶୁଭେନ୍ଦୁ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ, ଗତବର୍ଷ ଅଗଷ୍ଟ ମାସ ୯ତାରିଖରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସାପ ଉଦ୍ଧାର ଓ ଥଇଥାନ ନିମନ୍ତେ ଏକ ଗାଇଡଲାଇନ ଜାରି କରାଯାଇଥିଲା । ସେଇ ଗାଇଡଲାଇନ ଅନୁସାରେ ବନଖଣ୍ଡ ଅଧିକାରୀ ବା ଡିଏଫଓ ମାନେ ବନ୍ୟପ୍ରାଣୀ ଆଇନର ଧାରା ୧୧ ଅନୁଯାୟୀ ସାପ ଧରାଳିଙ୍କୁ ସାର୍ଟିଫିକେଟ ଦେବେ ବୋଲି ଉଲ୍ଲେଖ ରହିଥିଲା । ତେବେ ସେଇ ଗାଇଡଲାଇନଟି ବନ୍ୟ ପ୍ରାଣୀ ଆଇନକୁ ଉଲଂଘନ କରୁଥିବା ଦର୍ଶାଇ ତତ୍କାଳୀନ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ସମ୍ପୃକ୍ତ ଗାଇଡଲାଇନରେ ଅନେକ ଗୁଡିଏ ଆଇନଗତ ତ୍ରୁଟି ରହିଥିଲା । ଯାହା ଫଳରେ ତାହା ସ୍ଵତ୍ତଃ ଅସିଦ୍ଧ ହୋଇଯାଇଥିଲା । କାରଣ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁସାରେ ସାପ ଉଦ୍ଧାର ପାଇଁ ଅନୁମତି ଦେବାର କ୍ଷମତା କେବଳ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକଙ୍କର ଅଛି । ଏଣୁ କେନ୍ଦୁଝର ଡିଏଫଓ ନିଜର କ୍ଷମତା ବହିର୍ଭୂକ୍ତ କାର୍ଯ୍ୟ କରିଛନ୍ତି ।
ଗତ ବର୍ଷ ୧ ଏପ୍ରିଲରେ ସଂଶୋଧିତ ବନ୍ୟ ପ୍ରାଣୀ ଆଇନ ଲାଗୁ ହେବା ଦିନରୁ ଧଣ୍ଡ, ଢମଣା, ନାଗ, ତମ୍ପ, ଚନ୍ଦନ ବୋଡା, ଅଜଗର, ଅଲିଭ ଧଣ୍ଡ ଆଦି ସାପଙ୍କୁ ତଫସିଲ ୧ ତାଲିକାରେ ରଖାଯାଇଛି । ଏମାନଙ୍କୁ ଉଦ୍ଧାର କରିବା ନିମନ୍ତେ କେବଳ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ହିଁ ଅନୁମତି ଦେବା ପାଇଁ ଆଇନରେ ପ୍ରାବଧାନ ରହିଛି । ତେବେ ଗୋଟିଏ ସ୍ଥାନରୁ ଏକ ବଣ୍ୟପ୍ରାଣୀକୁ ନେଇ ଅନ୍ୟ ଏକ ସ୍ଥାନରେ ଛାଡିବା କାମଟି ବନ୍ୟପ୍ରାଣୀ ଆଇନର ଧାରା ୧୧ ନୁହେଁ । ବରଂ ଧାରା ୧୨ର ଉପଧାରା (bb)ର (i) ଅନୁସାରେ ହିଁ ଦିଆଯିବାର ପ୍ରାବଧାନ ରହିଛି । ଏହି ଧାରା ୧୨ ଅନୁଯାୟୀ ଏହି ଅନୁମତି କେବଳ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ହିଁ ପ୍ରଦାନ କରିପାରିବେ । ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ବନ୍ୟପ୍ରାଣୀଙ୍କୁ ଧରିବା ବା ମାରିବା ପାଇଁ ଅନୁମତି ଦେବା ପାଇଁ ଧାରା ୧୧ ର ପ୍ରୟୋଗ କରା ଯାଇଥାଏ । କିନ୍ତୁ କୌଣସି ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରିବା ପାଇଁ ଅନୁମତି ଦେବାର ପ୍ରାବଧାନ ଧାରା ୧୨ ଅନୁଯାୟୀ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ.....ବନ୍ୟପ୍ରାଣୀ ଶିକାରର ହେବ ନରହତ୍ୟା ଭଳି ତଦନ୍ତ, JTFକୁ ମିଳିଛି ଅଖଣ୍ଡ କ୍ଷମତା !