ଢେଙ୍କାନାଳ: ବାରମ୍ବାର ବିଲରେ ପଶି ଗାଈ ଧାନ ଖାଇଗଲା । ଆଉ ଏହାର ପ୍ରତିବାଦ କରିବାରୁ ଦଳିତ ପରିବାରକୁ ମରଣାନ୍ତକ ଆକ୍ରମଣ ସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କଲା ଗାଈ ମାଲିକ । ଏପଟେ ଅଭିଯୋଗ କଲା ପରେ ମଧ୍ୟ ପୋଲିସ ଚୁପ । ସେପଟେ ଅଭିଯୁକ୍ତମାନେ ଦଳିତ ପରିବାରକୁ ଜୀବନରେ ମାରି ଦେବାପାଇଁ ଧମକାଉଥିବା ଅଭିଯୋଗ ହୋଇଛି । ତେବେ ବାରମ୍ବାର ଅଭିଯୋଗ ପରେ ପୋଲସ ନ ଶୁଣିବାରୁ ଯାହାକୁ ନେଇ ରାଜ୍ୟ ଦଳିତ ଆଦିବାସୀ ମହାସଂଘ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଛି ।
ଗାଈ ଧାନ ଖାଇଲା ବୋଲି:
ଅଭିଯୋଗ ମୁତାବକ, ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଗ୍ରାମର ବାସନ୍ତୀ ସେଠୀ ଜଣେ ବ୍ୟକ୍ତିଙ୍କ ଚାଷ ଜମିକୁ ଭାଗରେ ନେଇ ଧାନ ଚାଷ କରିଥିଲେ । ହେଲେ ସେହି ଗ୍ରାମର ଚନ୍ଦନ ସ୍ବାଇଁଙ୍କ ଗାଈ ବାସନ୍ତୀଙ୍କ ବିଲରେ ପଶି ବାରମ୍ବାର ଧାନ ଖାଉଥିଲା । ଫଳରେ ବାସନ୍ତୀ ଗାଈକୁ ନେଇ କାଞ୍ଜିଆ ହୁଦାରେ ଦେବାକୁ ଯାଉଥିଲେ । ମାତ୍ର ଦଳିତମାନଙ୍କ ଉପରେ ପାଦୁର୍ଭାଵ କରିବାକୁ ଯାଇ ଗାଈ ମାଲିକ ଚନ୍ଦନ ସ୍ୱାଇଁ ଗାଁ ଦାଣ୍ଡରେ ବାସନ୍ତୀଙ୍କ ଜାତିକୁ ନେଇ ଆଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କୁ ନିସ୍ତୁକ ମାଡମାରିଥିଲେ ।
ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ:
ସେପଟେ ଏନେଇ ବାସନ୍ତୀଙ୍କ ପୁତୁରା ଦିପୁନା ସେଠୀ ଓ ଯାଆ ସତ୍ୟଭାମା ସେଠୀ ପ୍ରତିବାଦ କରିବାରୁ ସେମାନଙ୍କୁ ଚନ୍ଦନ ସ୍ବାଇଁଙ୍କ ପରିବାର ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଦିପୁନା ଗୁରୁତର ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ବାସନ୍ତୀ ଗତ ୩୧ ତାରିଖରେ ନିହଲ ପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ତ ଦୂରେ ଥାଉ ପାଲଟା ଅଭିଯୁକ୍ତମାନେ ବାସନ୍ତୀଙ୍କ ଘରକୁ ଯାଇ ବାରମ୍ବାର ନାନା ଧମକ ଚମକ ଦେଉଥିବାରୁ ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି ବୋଲି ପୀଡିତା ବାସନ୍ତୀ ସେଠୀ ଓ ଆକ୍ରମଣର ଶିକାର ତାଙ୍କ ପୁତୁରା ଦିପୁନା ସେଠୀ କହିଛନ୍ତି ।