ସମ୍ବଲପୁର: 'ପ୍ରତ୍ୟେକ ଜିଲ୍ଲାରେ ଖୋଲାଯିବ ୱର୍କିଙ୍ଗ ଓମେନ ହଷ୍ଟେଲ l ଏହା ସହ ଅଧିକ ସଂଖ୍ୟକ ୱାନ ଷ୍ଟପ ସେଣ୍ଟର ମଧ୍ୟ ଖୋଲାଯିବ l ଏନେଇ ଜିଲ୍ଲାପାଳ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ସ୍ୱୀକୃତି ଦେବେ l ଏହାସହ ଅଙ୍ଗନବାଡି କେନ୍ଦ୍ରକୁ ସ୍ୱତନ୍ତ୍ର ଆପ ଜରିଆରେ ମୋବାଇଲ ସହ ସଂଯୋଗ କରାଯିବ l ଏହା ଦ୍ୱାରା ଜିଲ୍ଲାପାଳ ହୁଅନ୍ତୁ କି ଯେକୌଣସି ଉଚ୍ଚପଦସ୍ଥ ଅଧିକାରୀ ଅଙ୍ଗନବାଡି କେନ୍ଦ୍ରର ହାଲଚାଲ ଘରେ କିମ୍ବା ଅଫିସରେ ଥାଇ ଜାଣିପାରିବେ l' ଦିନିକିଆ ସମ୍ବଲପୁର ଗସ୍ତରେ ଆସି ଏପରି କହିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ।
ସମ୍ବଲପୁର ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର:
ସମ୍ବଲପୁର ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର । ଶୁକ୍ରବାର ସକାଳେ ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରଙ୍କୁ ଯାଇ ଦର୍ଶନ କରିଛନ୍ତି । ଏହାପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ପରିଦର୍ଶନ କରିଥିଲେ l ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l
ମୋବାଇଲ ଆପରେ ରହିବ ଅଙ୍ଗନବାଡି ତଥ୍ୟ:
ଏହି ସମୟରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ମହିଳା ଶିଶୁ ବିକାଶ ଉପରେ ଏକ ସମୀକ୍ଷା ବୈଠକ କରିଥିଲେ l ଏହି ଅବସରରେ ମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି, "ଯେଉଁ ସ୍ଥାନ ଗୁଡିକରେ ଅଙ୍ଗନବାଡି କେନ୍ଦ୍ର ନାହିଁ ସେନେଇ ପ୍ରସ୍ତାବ ମଗାଯାଇଛି l ପୂର୍ବରୁ କେତେ ଅଙ୍ଗନବାଡି ରହିଛି, କେତେ ଗର୍ଭବତୀ ମା ଅଛନ୍ତି ତାର ତଥ୍ୟ ରେଜିଷ୍ଟ୍ରରରେ ରହୁଥିଲା କିନ୍ତୁ ଏବେ ଅଙ୍ଗନବାଡି କେନ୍ଦ୍ରକୁ ଆପ ଜରିଆରେ ମୋବାଇଲ ସହ ସଂଯୋଗ କରାଯିବ l ଏହାଦ୍ୱାରା ଜିଲ୍ଲାପାଳ ହୁଅନ୍ତୁ କି ଯେକୌଣସି ଅଧିକାରୀ ଅନଲାଇନରେ ଅଙ୍ଗନବାଡି କେନ୍ଦ୍ରର ହାଲଚାଲ ଜାଣି ପାରିବେ l ଅଙ୍ଗନବାଡି କେନ୍ଦ୍ର କେତେଦିନ ଖୋଲିଲା l କେତେ ଛାତ୍ର ପଞ୍ଜିକୃତ ଅଛନ୍ତି ଆଉ କେତେ ଆସିଛନ୍ତି ସବୁ ତଥ୍ୟ ମୋବାଇଲରେ ରହିବ l ଏହିଭଳି ପଦକ୍ଷେପ ଦ୍ୱାରା ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ସୁପୋଷିତ ଅଭିଯାନ, 2047 ପର୍ଯ୍ୟନ୍ତ ବିକଶିତ ଭାରତ ପାଇଁ ମାତୃବନ୍ଦନା, ନାରୀ ଶକ୍ତି ପରି ଯୋଜନା କେତେ ସଫଳ ହୋଇଛି ଜଣା ପଡିବ l"