ଓଡିଶା

odisha

ETV Bharat / state

ରାଜ୍ୟର ୨୪୩ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ଜଣଙ୍କ ନାଁରେ ଅପରାଧିକ ମାମଲା, ଶୀର୍ଷରେ ବିଜେପି - ADR Report - ADR REPORT

ADR Report: ଓଡ଼ିଶାରେ ୨୪୩ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ଜଣଙ୍କ ନାଁରେ ଅପରାଧିକ ମାମଲା । ଏହି ତାଲିକାରେ ବିଜେପି ଶ୍ରେଷ୍ଠରେ ଥିବା ବେଳେ ଧନୀ ପ୍ରାର୍ଥୀଙ୍କ ତାଲିକାରେ ଶୀର୍ଷରେ ବିଜେଡି । ଅଧିକ ପଢନ୍ତୁ

ADR Report
ADR Report (PHOTO- ETV BHARAT ODISHA)

By ETV Bharat Odisha Team

Published : May 6, 2024, 8:58 PM IST

୬୫ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା (ETV BHARAT ODISHA)

ଭୁବନେଶ୍ବର: ମେ ୧୩ରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଛି ଓଡିଶା ଇଲେକ୍ସନ ୱାଚର ଏଡିଆର ରିପୋର୍ଟ । ୪ ଲୋକସଭା ଓ ୨୮ଟି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ରିପୋର୍ଟ ଏଥିରେ ପ୍ରକାଶ ପାଇଛି । ତେବେ ୨୮ଟି ବିଧାନସଭା ଆସନରେ ୨୪୩ ପ୍ରାର୍ଥୀ ହୋଇଛନ୍ତି । ୬୫ ଜଣ ବା ୨୭% ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏହା ପ୍ରାର୍ଥୀଙ୍କ ସତ୍ୟପାଠରେ ହିଁ ଉଲ୍ଲେଖ ରହିଛି ।

ଅପରାଧିକ ମାମଲାରେ ଜଡ଼ିତ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ୧୮ ଜଣ, କଂଗ୍ରେସର ୧୭ ଜଣ ଓ ବିଜେଡିର ୧୩ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେହିପରି ୪୮ ଜଣକ ନାଁରେ ବା ୨୦ ପ୍ରତିଶତ ସଂଗୀନ ମାମଲା ବା ଦଫା ରହିଛି । ଯେଉଁମାନଙ୍କୁ କି ୫ ବର୍ଷରୁ ଊର୍ଦ୍ଧ୍ବ ଦଣ୍ଡବିଧାନର ପ୍ରାବଧାନ ରହିଛି । ବିଜେପିର ୧୫ ଜଣ କଂଗ୍ରେସ ର ୧୦ ଓ ବିଜେଡିର ୪ଜଣ ପ୍ରାର୍ଥୀଙ୍କ ନାରେ ରହିଛି ସଂଗୀନ ମାମଲା ।

ନିର୍ବାଚନ ପୂର୍ବରୁ ୨୮ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ଶିକ୍ଷା, ସମ୍ପତ୍ତି, ଅପରାଧିକ ମାମଲାର କରାଯାଇଛି ସମୀକ୍ଷା । ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ମିଳିତ ଉଦ୍ୟମରେ ପ୍ରାର୍ଥୀଙ୍କ ସମ୍ପତ୍ତି, ଶିକ୍ଷା ଅପରାଧିକ ମାମଲାର ସମୀକ୍ଷା କରାଯାଇଛି । ଏହି ସମୀକ୍ଷା ଅନୁଯାୟୀ ୨୮ଟି ନିର୍ବାଚନ ମଣ୍ଡଳୀରେ ୫୪ ପ୍ରତିଶତ ପ୍ରାର୍ଥୀ କଲେଜ ମାଡ଼ିନଥିବା ତଥ୍ୟ ସମାନାକୁ ଆସିଛି । ସମ୍ପତ୍ତି କ୍ଷେତ୍ରରେ ଧନୀ ମଧ୍ୟରେ ବିଜେଡି ପ୍ରାର୍ଥୀଙ୍କ ତାଲିକା ଉପରେ ଥିବାବେଳେ ଅପରାଧିକ ମାମଲାରେ ବିଜେପି ପ୍ରାର୍ଥୀଙ୍କ ତାଲିକା ଶ୍ରେଷ୍ଠରେ ରହିଥିବା ଏଡିଆରର ସମୀକ୍ଷାରେ ଉଲ୍ଲେଖ କରାଯାଇଛି ।

ଏହା ବି ପଢନ୍ତୁ- ADR ରିପୋର୍ଟ ଖୋଲିଲା ଗୁମର; ପ୍ରଥମ ପର୍ଯ୍ୟାୟରେ ୩୭ରୁ ୧୭ ସାଂସଦ ପ୍ରାର୍ଥୀ କୋଟିପତି, ଜଣେ ମାଡି ନାହାନ୍ତି ସ୍କୁଲ

ଏହି ସମୀକ୍ଷା ଅନୁଯାୟୀ ୨୮ଟି ବିଧାନସଭା ମିର୍ବାଚନ ମଣ୍ଡଳୀରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୩୨ଜଣ ପ୍ରାର୍ଥୀ କଲେଜ ମାଡ଼ି ନଥିବା ଜଣାପଡ଼ିଛି । ୫୪ ପ୍ରତିଶତ ପ୍ରାର୍ଥୀ ୫ରୁ ଦ୍ବାଦଶ ପର୍ଯ୍ୟନ୍ତ ଶିକ୍ଷା ଯୋଗ୍ୟତା ପାଇଛନ୍ତି । ଏମିତିକି ୪ ଜଣ ପ୍ରାର୍ଥୀ କେବଳ ଶିକ୍ଷିତ ଥିବା ଜଣାପଡ଼ିଛି । ୧୦୦ ଜଣ ପ୍ରାର୍ଥୀ କଲେଜ ମାଡ଼ିଥିବା ବେଳେ ୭ଜଣ ଡିପ୍ଲୋମା କରିଥିବା ଜଣାପଡ଼ିଛି । ତେବେ ଶିକ୍ଷାଗତ ଯୋଗ୍ୟତାକୁ ଛାଡ଼ିଲେ ମହିଳାଙ୍କୁ ଏ ନିର୍ବାଚନରେ ଯେତିକି ସୁଯୋଗ ଦିଆଯାଇଛି ଏହାକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ । ୨୮ଟି ନିର୍ବାଚନ ମଣ୍ଡଳୀରେ ୩୨ଜଣ ମହିଳା ପ୍ରାର୍ଥୀ ବିଭିନ୍ନ ଦଳ ପାଇଁ ଛିଡ଼ା ହୋଇଥିବା ଜଣାପଡ଼ଛି । ଯାହାକୁ ସ୍ବାଗତ କରିଛନ୍ତି ଓଡ଼ିଶା ଇଲେକ୍ସନ ୱାଚର ସଦସ୍ୟ ।

ଦିଗପହଣ୍ଡି ବିଜେଡି ପ୍ରାର୍ଥୀ ସବୁଠୁ ଧନୀ:ଅନ୍ୟପଟେ ଶିକ୍ଷାକୁ ଛାଡ଼ିଲେ ସମ୍ପତ୍ତି ତାଲିକା ଦେଖିଲେ ବିଜେଡି ପ୍ରାର୍ଥୀଙ୍କ କୋଟିପତି ତାଲିକାର ସବୁଠୁ ଆଗରେ ରହିଛି । ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ବିପ୍ଳବ ପାତ୍ର ସବୁଠାରୁ ଧନୀ ତାଲିକାରେ ରହିଛନ୍ତି । ୩୩ କୋଟି ସମ୍ପତ୍ତିର ସେ ମାଲିକ ଥିବାବେଳେ ବିକ୍ରମ କୁମାର ପଣ୍ଡା ଗୋପାଳପୁର ବିଜେଡି ପ୍ରାର୍ଥୀ ଧନୀ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୧୫ କୋଟିରୁ ଊର୍ଦ୍ଧ୍ବ ତାଙ୍କ ସମ୍ପତ୍ତି ଥିବା ଜଣାପଡ଼ିଛି । ତେବେ କେବଳ ଧନୀ ନୁହେଁ ଏମିତି 2ଜଣ ପ୍ରାର୍ଥୀ ମଧ୍ୟ ଅଛନ୍ତି ଯେଉଁମାନଙ୍କର କୌଣସି ସମ୍ପତ୍ତି ନଥିବା ମଧ୍ୟ ଜଣାପଡ଼ିଛି ।

ଭବାନୀପାଟଣାର ସ୍ବତନ୍ତ୍ର ପ୍ରାର୍ଥୀ ରମେଶ କୁମାର ମହାନ୍ନଦଙ୍କ ଶୂନ ସମ୍ପତ୍ତି ତାଲିକା ରହିଛି । ରାୟଗଡ଼ାର ବିଏସପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମାଝିଙ୍କ ମଧ୍ୟ ସମ୍ପତ୍ତି ଶୂନ ରହିଛି । ସମ୍ପତ୍ତି ତାଲିକାକୁ ଛାଡ଼ିଲେ ପ୍ରାର୍ଥୀଙ୍କ ଅପରାଧିକ ମାମଲା ମଧ୍ୟ ରହିଛି । ଏହି ତାଲିକାରେ ବ୍ରହ୍ମପୁରର ସ୍ବାଧୀନ ପ୍ରାର୍ଥୀ ଶିବ ଶଙ୍କର ଦାଶଙ୍କ ନାମର ସର୍ବାଧିକ ୪୬ଟି ଅପରାଧିକ ମାମଲା ରହିଛି । ଦଳ ଅନୁଯାୟୀ ପ୍ରାର୍ଥୀଙ୍କ ଅପରାଧିକ ତାଲିକା ଦେଖିଲେ ବିଜେପି ପ୍ରାର୍ଥୀଙ୍କ ତାଲିକା ସର୍ବୋଚ୍ଚରେ ରହିଛି । ୨୮ଜଣ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ୧୮ଜଣ ପ୍ରାର୍ଥୀଙ୍କ ଅପରାଧିକ ମାମଲା ରହିଥଛି । ଯାହାକି ୬୪ ପ୍ରତିଶତ ଜଣାପଡ଼ିଛି ।

ଏହାପରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥାନ ରହିଛି । ୨୮ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୭ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ଯାହାକି ୬୧ ପ୍ରତିଶତ । ବିଜେଡିର ୨୮ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୯ ଜଣଙ୍କ ନାମରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି । ଯାହାକି ୩୨ ପ୍ରତିଶତ । ଅପରାଧିକ ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ବାଚନ ଲଢିବାରୁ ବାଦ ଦେବା ପାଇଁ ବାରମ୍ବାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ତେବେ ସମସ୍ତ ମୁଖ୍ୟ ଦଳଗୁଡ଼ିକରେ ଏମିତି ପ୍ରାର୍ଥୀ ଦିଆଯାଇଥିବାରୁ ଦଳ ଏହା ଉପରେ ଧ୍ୟାନ ଦେବା ଦରକାର ବୋଲି ବୁଦ୍ଧିଜୀବୀଙ୍କ ମତ ରହିଛି । ତେବେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ପରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମଧ୍ୟ ପ୍ରାର୍ଥୀଙ୍କ ପୁଣି ସମ୍ପତ୍ତି, ଶିକ୍ଷା ଅପରାଧିକ ମାମଲାର ସମୀକ୍ଷା ତାଲିକା ବାହାରିବ ବୋଲି ସଂସ୍ଥା ମତ ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details