ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆସନ୍ତାମାସ (ଡିସେମ୍ବର) ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି । ପ୍ରସ୍ତୁତି କାର୍ଯ୍ୟର ଗତକାଲି (ଶୁକ୍ରବାର) ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।
- ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ଓ୍ୱାଇ.ବି.ଖୁରାନିଆ, ଅଗ୍ନିଶମ ଡିଜି ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ଅଧିକାରୀ ଏବଂ ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ନୌସେନାର ଅଧିକାରୀ ସାମିଲ ହୋଇଛନ୍ତି । ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ରାଧା କିଶନ ଶର୍ମା ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ବିଶଦ ଉପସ୍ଥାପନା କରିଛନ୍ତି ।
- 3 ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି
ଡିସେମ୍ବର ୩ ତାରିଖ ଅପରାହ୍ନରେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ବାୟୁସେନା ବିମାନ ଯୋଗେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ଏହା ପରେ ସଂଧ୍ୟାରେ ଭୁବନେଶ୍ୱର ନିଳାଦ୍ରୀ ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନବନିର୍ମିତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ । ୪ ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ପରେ ସେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ସେଦିନ ନୌସେନା ଦିବସ ଅବସରରେ ରାଷ୍ଟ୍ରପତି ଅପରାହ୍ନ ୩.୫୫ ମିନିଟରେ ଭାରତୀୟ ନୌସେନା ତରଫରୁ ପୁରୀ ବ୍ଲୁ-ଫ୍ଲାଗ ବେଳାଭୂମିରେ ଆୟୋଜିତ ନୌସେନାର ସାମୁଦ୍ରିକ ଶକ୍ତି ନମୁନା ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବେ ।
ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ (ETV Bharat Odisha) - 5 ତାରିଖରେ ରାଜଧାନୀରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ:-
୫ ତାରିଖ ସକାଳେ ରାଷ୍ଟ୍ରପତି ପୁରୀରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଞ୍ଚିବେ । ପୂର୍ବାହ୍ନ ୧୦.୫୦ ମିନିଟ୍ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେହିଦିନ ଅପରାହ୍ନରେ ଭୁବନେଶ୍ୱରରେ ନୂଆ ବିଚାର ବିଭାଗୀୟ କୋର୍ଟ କମ୍ପ୍ଲେକ୍ସର ଉଦଘାଟନ କରିବେ । ୬ ତାରିଖ ସକାଳେ ସେ ବାବା ସାହେବ ଆମ୍ବେଦକରଙ୍କ ମହା ପରିନିର୍ବାଣ ଦିବସ ଉପଲକ୍ଷେ ଭୁବନେଶ୍ୱର ଏଜି ଛକସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ।
- ପରେ ଗୃହଜିଲ୍ଲା ମୟୂରଭଞ୍ଜ ଗସ୍ତ କରିବେ ରାଷ୍ଟ୍ରପତି
ପରେ ବାୟୁସେନା ବିମାନ ଯୋଗେ ଭୁବନେଶ୍ୱରରୁ ଯାଇ ସେ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନବନ୍ଦରରେ ଅବତରଣ କରିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ରଙ୍ଗମାଟିଆ ହେଲିପ୍ୟାଡରେ ପହଞ୍ଚିବେ । ଉପରବେଡା ସରକାରୀ ଉଚ୍ଚପ୍ରାଥମିକ ସ୍କୁଲ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଭାବ ବିନିମୟ କରିବେ । ଉପରବେଡା ଘରେ କିଛି ସମୟ ରହି ଗ୍ରାମବାସୀଙ୍କ ସହ ଭାବବିନିମୟ କରିବେ ।
ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ (ETV Bharat Odisha) ଅପରାହ୍ନରେ ରାଇରଙ୍ଗପୁରରେ ପହଞ୍ଚି ଉପଖଣ୍ଡ ଚିକିତ୍ସାଳୟରେ ‘ଏସଏଲଏସ’ ଟ୍ରଷ୍ଟ ବୋର୍ଡ ତରଫରୁ ଡାକ୍ତରଖାନା ଉଦ୍ଦେଶ୍ୟରେ ପ୍ରଦତ୍ତ ଏକ ଯାନକୁ ପତାକା ଦେଖାଇ ଲୋକାର୍ପଣ କରିବେ । ଏହା ପରେ ସେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଭାବବିନିମୟ କରିବେ । ସଂଧ୍ୟାରେ ରାଇରଙ୍ଗପୁର ପୁଣ୍ୟେଶ୍ୱର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ତଥା ଆରତୀ କରିବେ । ଡିସେମ୍ବର ୭ ତାରିଖ ପୂର୍ବାହ୍ନରେ ରାଇରଙ୍ଗପୁରରୁ ଦାଣ୍ଡବୋଷ ଏୟାରଷ୍ଟ୍ରିପରୁ ବାହାରି ସେ ବାଙ୍ଗିରିପୋଷୀ ହେଲିପ୍ୟାଡରେ ପହଞ୍ଚିବେ । ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରାଇରଙ୍ଗପୁର ଆଦିବାସୀ ଗବେଷଣା କେନ୍ଦ୍ର, ଦାଣ୍ଡବୋଷ ଏୟାରଷ୍ଟ୍ରିପ ଏବଂ ଉପଖଣ୍ଡ ଚିକିତ୍ସାଳୟ ପ୍ରକଳ୍ପର ଶିଳାନ୍ୟାସ କରିବେ । କାର୍ଯ୍ୟକ୍ରମ ପରେ ଅପରାହ୍ନ ବାଙ୍ଗିରିପୋଷୀ ହେଲିପ୍ୟାଡରୁ ହେଲିକପ୍ଚର ଯୋଗେ କଲେଇକୁଣ୍ଡା ଯାଇ ସେଠାରୁ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
- ବାତ୍ୟା ‘ଦାନ’ କାରଣରୁ ସ୍ଥଗିତ ରହିଥିଲା ଗସ୍ତ
ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ସଂପୃକ୍ତ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ ଅଧିକାରୀ, ଭିସିରେ ଯୋଗ ଦେଇଥିବା ପୁରୀ, ମୟୂରଭଞ୍ଜର ଜିଲ୍ଲାପାଳ, ନୌସେନା ଅଧିକାରୀଙ୍କ ସହିତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ରହଣି, ସୁରକ୍ଷା, କାରକେଡ, ବିମାନ ଓ ହେଲିକପ୍ଟରର ସୁରକ୍ଷା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ବିଦ୍ୟୁତ ସରବରାହ, ପାନୀୟ ଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି, ଇଣ୍ଟରନେଟ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦର୍ଶକ ଓ ଅତିଥିଙ୍କ ପାଇଁ ସାମିଆନା ସହ ବସିବା ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଛି । ରାଷ୍ଟ୍ରପତିଙ୍କ ଗତ ଅକ୍ଟୋବର ୨୩ରୁ ୨୫ ତାରିଖ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା । ଯାହାକି ବାତ୍ୟା ‘ଦାନା’ ଯୋଗୁଁ ସ୍ଥଗିତ ରଖାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର