ଭୁବନେଶ୍ବର:ଟଙ୍କା ଲୋଭରେ ଅବାଟକୁ ଚାଲିଗଲେ ଶିକ୍ଷିତ ଯୁବକ । BBA ଓ MBA ପାଠ ପଢୁଥିବା ଛାତ୍ର ସାଜିଲେ ସଇତାନ । ଟଙ୍କା ପାଇବାର ନିଶାରେ ଦୁଇ ନିରୀହ ଜୀବନ ନେବାକୁ ମଧ୍ୟ ପଛାଇ ନଥିଲେ । ଭୁବନେଶ୍ବର ସହିଦ ନଗର ଥାନା ଆଚାର୍ଯ୍ୟ ବିହାର ହଷ୍ଟେଲ ମାଲିକ ଡବଲ ମର୍ଡର ଘଟଣାରେ ଗତକାଲି(ମଙ୍ଗଳବାର) ଆସିଛି ରାୟ । ଦୀର୍ଘ ୧୨ ବର୍ଷ ତଳର ବୃଦ୍ଧ ପାଣିଗ୍ରାହୀ ଦମ୍ପତି ହତ୍ୟା ଘଟଣାରେ ୪ ଅଭିଯୁକ୍ତକୁ ମିଳିଛି ଆଜୀବନ କାରାଦଣ୍ଡ ।
କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣା ?
ଦୀର୍ଘ ୧୨ ବର୍ଷ ତଳର ବୃଦ୍ଧ ପାଣିଗ୍ରାହୀ ଦମ୍ପତି ହତ୍ୟା ମାମଲାର ଭୁବନେଶ୍ୱର ଏଡିଜେ ୩ କୋର୍ଟରେ ବିଚାର ସରିଛି । ଗତ ୧୪ ସେପ୍ଟେମ୍ବର ୨୦୧୨ ମସିହାରେ ସହିଦ ନଗର ଥାନା ଆଚାର୍ଯ୍ୟ ବିହାର ପ୍ଲଟ ନମ୍ବର L 3/134 ଜ୍ୟୋସ୍ନା କୁଞ୍ଜ ହଷ୍ଟେଲରେ ଡବଲ ମର୍ଡର ଘଟଣାରେ ଦୋଷୀଙ୍କୁ ମିଳିଛି ଆଜୀବନ କାରାଦଣ୍ଡ । ବୃଦ୍ଧ ଦମ୍ପତି କୁଞ୍ଜ ବିହାରୀ ପାଣିଗ୍ରାହୀ ଏବଂ ଜ୍ୟୋସ୍ନା ପାଣିଗ୍ରାହୀଙ୍କୁ ୪ ଜଣ ଅଭିଯୁକ୍ତ ହତ୍ୟା କରିଥିଲେ । ତେବେ ଅଭିଯୁକ୍ତମାନେ ହେଲେ ବିଜୟ ଯାଦବ, ପ୍ରିୟରଞ୍ଜନ ପତି, ରଞ୍ଜିତ ଜେନା ଓ ବୁଟୁ ଜେନା । ସେମାନଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଫାଇନ ରାୟ ଦେଇଛନ୍ତି ୩ୟ ଅତିରିକ୍ତ ଜିଲ୍ଲା ଦୋରାଜଜ ।
ଏମିତି କହିଲେ ସରକାରୀ ଓକିଲ..
ଏନେଇ ସରକାରୀ ଓକିଲ ବିଦୁ ଭୂଷଣ ମହାନ୍ତିକହିଛନ୍ତି," ୨୦୧୨ ମସିହାରେ ପାଣିଗ୍ରାହୀ ଦମ୍ପତିଙ୍କ ହତ୍ୟାକାଣ୍ଡ ଘଟିଥିଲା । ଏହି ଘଟଣାରେ ବିଜୟ ଯାଦବ ଯେ ବୃଦ୍ଧ ଦମ୍ପତିଙ୍କ ଝିଅର ଘର ହଷ୍ଟେଲରେ ରହୁଥିଲେ । ସେଠି ରହିବା ସମୟରେ ବିଜୟ ଯାଦବ ଜାଣିବାକୁ ପାଇଲେ ଏହି ବୃଦ୍ଧ ଦମ୍ପତିଙ୍କର ଆଚାର୍ଯ୍ୟ ବିହାରରେ ମଧ୍ୟ ହଷ୍ଟେଲ ଚାଲିଛି ଏବଂ ତାଙ୍କ ଘରେ ଅନେକ ସମ୍ପତ୍ତି ରହିଛି । ତେଣୁ ଅଭିଯୁକ୍ତମାନେ ମିଳିମିଶି ଆଚାର୍ଯ୍ୟ ବିହାର ପାଖରେ ଥିବା ଏକ ପାନ ଦୋକାନୀ ସହ ମିଶି ଷଡଯନ୍ତ୍ର କରିଥିଲେ । ସେମାନେ ସେହି ହଷ୍ଟେଲରେ ରହିବା ଆଳରେ ଯାଇ ବୁଝାବୁଝି କରିଥିଲେ । ପରେ ୧୩ ସେପ୍ଟେମ୍ବର ୨୦୧୨ ମସିହାରେ ରାତି ୯ଟା ପାଖାପାଖି ସେମାନେ ସେହି ହଷ୍ଟେଲର ତୃତୀୟ ମହଲାକୁ ଯାଇ ବୃଦ୍ଧ ସମ୍ପତ୍ତିଙ୍କୁ ଦେଖା କରିବା ଆଳରେ ହତ୍ଯା କରିବା ସହ ଲୁଟ କରିଥିଲେ ।"