ଓଡିଶା

odisha

ETV Bharat / state

ବାତ୍ୟା ପାଇଁ ପ୍ରଭାବିତ ହେବ ୧୧ ଜିଲ୍ଲା, ୪ ଲକ୍ଷ ଲୋକ ହେବ ପ୍ରଭାବିତ

ବାତ୍ୟା ପାଇଁ ପ୍ରଭାବିତ ହେବ ୧୧ ଜିଲ୍ଲା । ୬୦ ବ୍ଲକର ୨୧୩୧ଟି ଗାଁ ସହ ୪ ଲକ୍ଷ ଲୋକ ପ୍ରଭାବିତ ହେବା ସମ୍ଭାବନା ଥିବା କହିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।

Cyclone Dana
Cyclone Dana (ETV Bharat Odisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ବର:ବାତ୍ୟା ଲ୍ୟଣ୍ଡଫଲ୍‌ କରିବାର ସମୟ ଯେତିକି ପାଖେଇ ଆସୁଛି, ଲୋକମାନଙ୍କ ମନରେ ଭୟ ସେତିକି ବଢ଼ୁଛି । ଦ୍ରୁତ ବେଗରେ ସମୁଦ୍ର ପଥରୁ ସ୍ଥଳପଥ ଆଡ଼କୁ କରାଳ ରୂପ ଧରି ମାଡ଼ି ଆସୁଛି 'ଦାନା' । ଏହା ପ୍ରଭାବରେ ପ୍ରଭାବିତ ହେବେ ୪ ଲକ୍ଷ ଲୋକ । ୧୧ ଜିଲ୍ଲାର ୬୦ ବ୍ଲକର ୨୧୩୧ଟି ଗାଁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେପଟେ ସମସ୍ତ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ଥିବା କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

୪୭୫୬ଟି ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ:

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, " ଆଜି ରାତିରେ ଭିତରକନିକା ଓ ଧାମରା ଭିତରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ୧୧ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ଅଛି । ସନ୍ଧ୍ୟା ୫ଟା ସୁଦ୍ଧା ୧୧ଟି ଜିଲ୍ଲାରେ ବାତ୍ୟା ପୂର୍ବର ପ୍ରଭାବ ପଡିଛି । କିଛି ଜିଲ୍ଲା ଆଂଶିକ ଭାବେ ପ୍ରଭାବରୁ ବାଦ ପଡ଼ିବା ସହ ଆଉ କିଛି ଜିଲ୍ଲା ଯୋଡି ହୋଇଛନ୍ତି । ୬୦ ବ୍ଲକର ୨୧୩୧ଟି ଗାଁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହା ସହ ୧୨ଟି ସହରାଞ୍ଚଳର ୫୫ଟି ୱାର୍ଡ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି । ୪ ଲକ୍ଷ ଲୋକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୫୦ ହଜାର ସ୍ଥାନାନ୍ତରିତ ହେଇସାରିଲେଣି । ୮୪୨ଟି ସ୍ଥାୟୀ ଓ ୬୪୪୫ଟି ଅସ୍ଥାୟୀ ରିଲିଫ ସେଣ୍ଟର ରହିଛି । ୪୭୫୬ଟି ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ରହିଛି ।"

Cyclone Dana (ETV Bharat Odisha)

ଘରୁଆ ଖାଦ୍ୟ ପରିବେଷଣ ବ୍ୟବସ୍ଥା:

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ସମସ୍ତ ଜୀବଜନ୍ତୁଙ୍କ ପାଇଁ ବ୍ୟବସ୍ଥା ହୋଇଛି । ୩୬୦ଟି ଜାଗାରେ ପଶୁମାନଙ୍କ ପାଇଁ ବ୍ୟବସ୍ଥା ହୋଇଛି । ଯେଉଁଠି ପଶୁ ସମ୍ପଦଙ୍କ ଲାଗି ସମସ୍ତ ବ୍ୟବସ୍ଥା ହୋଇଛି । ଘରେ ପଶୁ ସମ୍ପଦଙ୍କୁ ବାନ୍ଧିକି ନରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି । ୬୪୫୪ ପଶୁ ସ୍ଥାନାନ୍ତରିତ ହୋଇଛନ୍ତି । ୧୬୦ କୁଇଣ୍ଟାଲ ଡ୍ରାଇଫୁଡ, ୯୩ କୁଇଣ୍ଟାଲ ରାଇସ ଫୁଡାର, ୧୪୫ କୁଇଣ୍ଟାଲ ଗ୍ରୀନ ଫୁଡାର ଦିଆଯାଇଛି । ବିଳମ୍ବରେ ପହଁଚିଥିବାରୁ ବିସ୍କୁଟ ଦିଆଯାଇଥିବା ଅଭିଯୋଗ ଆସିଥିଲା । କିନ୍ତୁ ଆଜି ସବୁ ରିଲିଫ ସେଣ୍ଟରରେ ରୋଷେଇ ଖାଦ୍ୟ ଦିଆଯାଉଛି । ଘରୁଆ ଖାଦ୍ୟ ପରିବେଷଣ ବ୍ୟବସ୍ଥା ହୋଇଛି । ଶିଶୁ ମାନଙ୍କୁ କ୍ଷୀର ଓ ଖାଦ୍ୟ ଦିଆଯାଇଛି ।"

Cyclone Dana (ETV Bharat Odisha)
୩୮୫ ଟିମ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ:

ସେ ଏହା ମଧ୍ୟ କହିଛନ୍ତି, "୨୧୩ଟି ମେଡିକାଲ ଟିମ ନିୟୋଜିତ ଅଛନ୍ତି । ଭେଟନାରୀ ପାଇଁ ୧୨୦ ଟିମ ନିୟୋଜିତ ହୋଇଛନ୍ତି । ୩୭୦୦ ଗର୍ଭବତୀ ମହିଳା ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ୨ ଜଣ ମା' ଏ ସମୟରେ ପ୍ରସବ କରିଛନ୍ତି ।କଟକର ନିଆଳି, କେନ୍ଦୁଝରରେ ଜଣେ ଲେଖାଏଁ ମା' ପ୍ରସବ କରିଛନ୍ତି । ସମସ୍ତେ ସୁସ୍ଥ ଓ ଚିନ୍ତା ଶୂନ୍ୟ ଅଛନ୍ତି । ୩୮୫ ଟିମ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି । NDRF ୧୯, ଓଡ୍ରାଫ ୫୧, ଗଛ କଟିବା ପାଇଁ OFDCର ୯୫ ଟିମ, ଅଗ୍ନିଶମ ୨୨୦ଟି ଟିମ ନିୟୋଜିତ ଅଛନ୍ତି । ରାତିରେ ମୁଖ୍ୟମନ୍ତ୍ରୀ SRCଙ୍କ କାର୍ଯ୍ୟାଳୟ ଆସି ସମୀକ୍ଷା କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ଆଶ୍ରୟସ୍ଥଳୀରେ କେମିତି ଅଛନ୍ତି ଲୋକେ ? ନୟାଗଡ଼ରୁ ଇଟିଭି ଭାରତର ଗ୍ରାଉଣ୍ଡ ରିପୋର୍ଟ

ଏହା ମଧ୍ୟ ପଢ଼ନ୍ତୁ...ଉଗ୍ରରୂପ ଧାରଣ କରିବ ବାତ୍ୟା 'ଦାନା'; ସମୁଦ୍ର ଅଶାନ୍ତ, ବଢୁଛି ବର୍ଷା-ପବନ

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ମୁକାବିଲାରେ ରାଜନୈତିକ ଟ୍ରେଣ୍ଡ, ପ୍ରମୁଖ ଦଳ ଜାରି କଲେ ହେଲ୍ପଲାଇନ ନମ୍ବର

୨୫୬ଟି ଟିମର ଗ୍ରାମ୍ୟ ଉନ୍ନୟନ ବିଭାଗର ଟିମ ନିୟୋଜିତ:

ସେହିପରି ମଧ୍ୟ ରାତିରୁ ଆରମ୍ଭ କରି ସକାଳ ୪ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଉଛି । ଭିତରକନିକା ମଝାମଝିରେ ଲ୍ୟାଣ୍ଡ ଫଲ ହେବ ବୋଲି ପୂର୍ବରୁ ଆକଳନ ହୋଇଥିଲା । କିନ୍ତୁ ବର୍ତ୍ତମାନ ପରିବର୍ତ୍ତନ ହେଉଛି । ଭିତରକନିକା ସାଇଡ଼ରୁ ଧାମରା ଅତିକ୍ରମ କରିବାର ସମ୍ଭାବନା ଅଛି । ଏହା ମଧ୍ୟ ପରିବର୍ତ୍ତନ ହୋଇପାରେ । ବାତ୍ୟା ଦିଗ ପରିବର୍ତ୍ତନ କଲେ ମଧ୍ୟ ଆମେ ସବୁଠି ଉପସ୍ଥିତ ରହିବୁ । ବାତ୍ୟାର ଆଖି ସ୍ପଷ୍ଟ ନାହିଁ । ସବୁଠାରୁ ବେଶୀ ବର୍ଷା କେନ୍ଦ୍ରାପଡ଼ାରେ ୨୩ ମିଲିମିଟର, ଜଗତସିଂହପୁର ୧୩ ମିଲିମିଟର, ଯାଜପୁର ୧୨, ବାଲେଶ୍ୱର ୮.୯ ମିଲିମିଟର ବର୍ଷା ହୋଇଛି । ଗୁଡିଏ ଜାଗାରେ ଗଛ ପଡିଛି । ସୂଚନା ମିଳିବା ସଙ୍ଗେ ସଙ୍ଗେ ରାସ୍ତା ସଫା ହେଉଛି । ୨୫୬ଟି ଟିମର ଗ୍ରାମ୍ୟ ଉନ୍ନୟନ ବିଭାଗର ଟିମ ନିୟୋଜିତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details