ନୂଆପଡା:କାକାର ତୀର ମାଡ଼ରେ ପୁତୁରା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ସୁନାବେଡା ଅଭୟାରଣ୍ୟ ସ୍ଥିତ ଦାଥୁନାମା ଗାଁରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ତୀର ମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ହିଁ ପୁତୁରା ରାମଚନ ପହରିଆର ମୃତ୍ୟୁ ହୋଇଥିବା ସୂଚନା ।
ସୂଚନା ଯୋଗ୍ୟ ନୂଆପଡା କୋମନା ଥାନା ଅନ୍ତର୍ଗତ ମାଓ ପ୍ରବଣ ସୁନାବେଡା ଅଭୟାରଣ୍ୟ ଠାରୁ 8 କିଲୋମିଟର ଦୂରତା ନିଘଞ୍ଚ ଜଙ୍ଗଲ ଭିତରେ ରହିଛି ଦାଥୁନାମା ଗାଁ । ଗାଁରେ ପହରିଆ ଜଙ୍ଗଲିଆ ଡଙ୍ଗରିଆ ଲୋକ ରୁହନ୍ତି । ଏହି ଗାଁର ଜଳରାମ ପହରିଆ ନାମକ ଜଣେ ବ୍ୟକ୍ତି ତାର ପୁତୁରା ରାମଚନ ପହରିଆ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଆଜି ସକାଳେ ବଚସା ହୋଇଥିଲା । ଏଥିରେ କାକା ଜଳରାମ ରାଗିଯାଇ ଘରକୁ ଦୌଡି ଯାଇ ଧନୁତୀର ଆଣି ପୁତୁରା ରାମଚନ ପାଖକୁ ଆସିଥିଲା । ସେଠାରେ ପୁଣି ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ କାକା ଜଳରାମ କ୍ଷୁବ୍ଧ ହୋଇ ଧନୁତୀରରେ ପୁତୁରା ରାମଚନ ଉପରକୁ ଆକ୍ରମଣ କରିଥିଲା । ଧନୁତୀରଟି ଯାଇ ପୁତୁରା ରାମଚନଙ୍କ ପେଟରେ ବାଜିଥିଲା । ତେବେ ଘଟଣା ସ୍ଥଳରେ ହିଁ ପୁତୁରା ରାମଚନଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା ।
ଖବର ପାଇ କୋମନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାକା ଜଳରାମ ପହରିଆକୁ ଗିରଫ କରିବା ସହି ଧନୁତୀରକୁ ମଧ୍ୟ ଜବତ କରି ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । କେଉଁ କାରଣରୁ ଏଭଳି ନୃଶଂସ ହତ୍ୟା ଘଟଣା ଘଟିଛି ପୋଲିସ ତାହାର ତଦନ୍ତ କରୁଛି । ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁରେ ପ୍ରାୟ 25 ପରିବାର ବାସ କରନ୍ତି । ସମସ୍ତେ ପହରିଆ ସମ୍ପ୍ରଦାୟ ଅଟନ୍ତି । ନିରକ୍ଷରତା କାରଣରୁ ଏଭଳି ଅମାନୁଷିକ ଘଟଣା ଘଟିଥିବା କୁହାଯାଉଛି । ଏଠିକାର ଲୋକେ ସାଧାରଣ ମାନବ ସମାଜ ଠାରୁ ଭିନ୍ନ ଅଟନ୍ତି । କେହି କିଛି ବୁଝିବା ପୂର୍ବରୁ ଏମାନେ ରାଗି ଯାଆନ୍ତି ।