ଓଡିଶା

odisha

By ETV Bharat Odisha Team

Published : Aug 21, 2024, 7:17 PM IST

ETV Bharat / state

ଖଜା ବ୍ୟବସାୟୀ ହତ୍ୟା ଘଟଣାର ରହସ୍ୟ ଖୋଲିଲା ପୋଲିସ, ବାପା-ପୁଅ ସମେତ 9 ଅଭିଯୁକ୍ତ ଗିରଫ, ହତ୍ୟାକାରୀଙ୍କ ମଧ୍ୟରେ 7 ନାବାଳକ - Puri Murder

Puri Khaja businessman Murder: ଅପରାଧ ରାସ୍ତାରେ ନାବାଳକ । ପୁରୀ ରାଧାଗୋବିନ୍ଦ ଲେନ ଖଜା ବ୍ୟବସାୟୀ ହତ୍ୟା ଘଟଣାରେ 9ଜଣଙ୍କୁ ଗିରଫ କରିଛି ପୋଲିସ । ହତ୍ୟାକାରୀଙ୍କ ମଧ୍ୟରେ 7 ନାବାଳକ । କେଉଁ କାରଣରୁ ଅପରାଧ ରାସ୍ତାରେ ପାଦ ଦେଉଛନ୍ତି ନାବାଳକ । ପଢନ୍ତୁ ପୂରା ଖବର ।

ଖଜା ବ୍ୟବସାୟୀ ହତ୍ୟା ଘଟଣା
ଖଜା ବ୍ୟବସାୟୀ ହତ୍ୟା ଘଟଣା (ETV Bharat Odisha)

ପୁରୀ: ରାଧାଗୋବିନ୍ଦ ଲେନ ଖଜା ବ୍ୟବସାୟୀ ହତ୍ୟା ଘଟଣାର ପର୍ଦ୍ଦାଫାସ । ଏହି ହତ୍ୟା ଘଟଣାରେ ବାପ ପୁଅଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଦୁଇଜଣ ଅଭିଯୁକ୍ତ ଏବେ ବି ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଖଜା ବ୍ୟବସାୟକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଗୋଟିଏ ଖଣ୍ଡା, ଦୁଇଟି କଟୁରୀ ଏବଂ ଗୋଟିଏ ଭୁଜାଲି ପୋଲିସ ଜବତ କରିଛି । ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଭିଯୁକ୍ତ ବାପ ପୁଅ ହେଲେ ରାଧା ଗୋବିନ୍ଦ ଲେନର ବିଜୟ ଖୁଣ୍ଟିଆ ଓ ତାଙ୍କ ପୁଅ ରାକେଶ କୁମାର ଖୁଣ୍ଟିଆ ।‌ ଗତ 19 ସନ୍ଧ୍ୟାରେ ଘଟିଥିଲା ଏହି ହତ୍ୟାକାଣ୍ଡ ।

ଖଜା ବ୍ୟବସାୟୀ ହତ୍ୟା ଘଟଣା (ETV Bharat Odisha)

ହତ୍ୟାକାଣ୍ଡରେ 7 ନାବାଳକ ସାମିଲ:

ସବୁଠୁ ଉଦବେଗର ବିଷୟ 9 ଜଣ ଅଭିଯୁକ୍ତ ଭିତରୁ ଏହି 2 ଜଣଙ୍କୁ ବାଦ ଦେଲେ ଅନ୍ୟ ୭ ଜଣ ନାବାଳକ ମଧ୍ୟ ଏହି ହତ୍ୟାକାଣ୍ଡ ଘଟଣାରେ ସାମିଲ ଅଛନ୍ତି। ହତ୍ୟାକାଣ୍ଡରେ ସାମିଲ ହୋଇଥିବା ନାବାଳକଙ୍କ ବୟସ ମାତ୍ର 15 ରୁ 17 ବର୍ଷ ଭିତରେ ହେବ। ଏହି ଘଟଣା ଜଣାପଡିବା ପରେ ପୁରୀ ସହର ରେ ଚାଞ୍ଚଲ୍ୟ ଖେଳିଯାଇଛି। ନାବାଳକ ମାନେ ନିଶା ସେବନ କରି ଲୋକଙ୍କୁ ବିଚ୍ ରାସ୍ତାରେ ହତ୍ୟା କରୁଥିବା କଥା ଜଣାପଡିବା ପରେ ପୁରୀରେ ଭୟର ବାତାବରଣ ଖେଳି ଯାଇଛି। ପୁରୀ ଏସପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେରେ ସୂଚନା ଦେଇଛନ୍ତି ।

ପ୍ରତିଶୋଧ ନିଆଁରେ ଜଳୁଥିଲେ ହତ୍ୟାକାରୀ:

ହତ୍ୟା ପଛରେ ରହିଛି ପ୍ରତିଶୋଧ ନିଆଁ । ପ୍ରତିଶୋଧ ନିଆଁରେ ଜଳି ହରିହର ସାହୁଙ୍କୁ ନିର୍ମମ ହତ୍ୟା କରିଛନ୍ତି 9 ଅଭିଯୁକ୍ତ । ପୋଲିସର ସୂଚନା ଅନୁସାରେ, ଗତ ୮ ତାରିଖରେ ଖଜା ବ୍ୟବସାୟକୁ କେନ୍ଦ୍ରକରି ରାଧା ଗୋବିନ୍ଦ ଲେନରେ ଖଜା ବ୍ୟବସାୟୀ ତଥା ଜଣେ ନାବାଳକ ଦିନେଶ ଖୁଣ୍ଟିଆଙ୍କୁ ପ୍ରଦୀପ ସାହୁ ଓ ତା'ର ସହଯୋଗୀ ମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପୋଲିସ ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଏହି ଘଟଣାକୁ କେନ୍ଦ୍ରକରି ମୃତ ଦିନେଶ ଖୁଣ୍ଟିଆର ବଡ଼ଭାଇ ଓ ବାପା ପ୍ରତିଶୋଧ ପରାୟଣ ହୋଇ ଗତ ୧୯ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତ ପ୍ରଦୀପ ସାହୁର ବାପା ହରିହର ସାହୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ଦିନେଶକୁ ସମର୍ଥନ କରୁଥିବା କିଛି ନାବାଳକଙ୍କୁ ସେମାନେ ନିୟୋଜିତ କରିଥିଲେ।

9 ଜଣଙ୍କୁ କୋର୍ଟଚାଲାଣ:

ସିଟି ଡିଏସପି ପ୍ରଶାନ୍ତ ସାହୁଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।‌ ପୋଲିସ ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଖୁବଶୀଘ୍ର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ।

ଅପରାଧରେ ମାତିଛନ୍ତି ନାବାଳକ, ବଢିଲା ପୋଲିସର ଚିନ୍ତା:

ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, ‘ଏହି ହତ୍ୟାକାଣ୍ଡ ମାମଲାରୁ ଆମେ ଜାଣିଲୁ ଏହି ଘଟଣାରେ ଗିରଫ ହୋଇଥିବା 80 ଭାଗ ଅଭିଯୁକ୍ତ ନାବାଳକ । ଏହାକୁ ଆମେ ଗୁରୁତର ଭାବେ ନେଇଛୁ। ନାବାଳକ ମାନେ ଅପରାଧରୁ କିଭଳି ନିବୃତ ରହିବେ ସେ ନେଇ ପୋଲିସ୍ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ପୁରୀ ସହରରେ ଥିବା ସବୁ ଥାନାକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଅପରାଧ ମାମଲା ଥିବା ନାବାଳକଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନଙ୍କ ସହଯୋଗରେ କାଉନସେଲିଂ କରାଯିବ। ତେବେ ପୁରୀ ସହରରେ ନିଶା କାରବାର ରୋକ୍ ଲଗାଇବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ।’ ପୋଲିସକୁ ସମସ୍ତେ ସହଯୋଗ କରିବାକୁ ପୁରୀ ଏସପି କହିଛନ୍ତି। ଯଦି କୌଣସି ସ୍ଥାନ ରେ ନିଶା କାରବାର ହେଉଚି, ନିଶା ବିକ୍ରି ହେଉଛି ତେବେ ତୁରନ୍ତ ପୋଲିସକୁ ଖବର ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପୁରୀ ଏସପି । ସେହିପରି ବିଭିନ୍ନ ଅନ୍ଧାରିଆ ଅଞ୍ଚଳ, ନିକାଞ୍ଚନ ଅଞ୍ଚଳ ପୋଲିସ୍ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ପାଇଁ ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିବା ପୁରୀ ଏସପି କହିଛନ୍ତି ।

ଆଇନରେ ପରିବର୍ତ୍ତନ ହେବା ଆବଶ୍ୟକ:

ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ‘ଅପରାଧ ଘଟାଇଥିବା ଅଧିକାଂଶ ନାବାଳକ ମାନେ ଆର୍ଥିକ ସଙ୍କଟ, ବେରୋଜଗାରୀରେ ଥିବା ବେଳେ ଅନ୍ୟ ବ୍ୟକ୍ତିଙ୍କ ପ୍ରରୋଚନାରେ କିଛି ପାଇବା ଆଶାରେ ଏହି ଅପରାଧ ଘଟାଉଥିବା ବେଳେ ବିଭିନ୍ନ ଅପରାଧ କାର୍ଯ୍ୟକଳାପ ଘଟାଇବା ପାଇଁ ନାବାଳକ ମାନଙ୍କୁ ବ୍ୟବହାର କରାଯାଉଛି। ସେହିପରି ଅନ୍ତର୍ଜାତୀୟ ନିୟମ ଅନୁଯାୟୀ 18 ବର୍ଷ ରୁ କମ ବୟସ ର ପିଲା ନାବାଳକ। ସେମାନେ କୌଣସି ଅପରାଧ ଘଟାଇଲେ କୋହଳ ଦଣ୍ଡ ବ୍ୟବସ୍ଥା ରହିଛି। ଏଣୁ ଏହାର ଫାଇଦା ଉଠେଇ କିଛି ଅପରାଧୀ ନାବାଳକ ମାନଙ୍କୁ ତାଙ୍କ ଗରିବୀ, ଆର୍ଥିକ ଅନଟନର ଫାଇଦା ନେଇ ବିଭିନ୍ନ ଅପରାଧରେ ନାବାଳକଙ୍କୁ ଜଡ଼ିତ କରୁଛନ୍ତି। ତେବେ ଅନେକ ସଙ୍ଗୀନ ଅପରାଧ ପାଇଁ ଏହି ଜୁଭେ ନାଇଲ ଆଇନରେ ପରିବର୍ତ୍ତନ ହେବା ଉଚିତ୍। 14 ବର୍ଷ ଭିତରେ ଥିବା ପିଲାଙ୍କୁ ଆଇନ ଅନୁଯାୟୀ ନାବାଳକ ଭାବେ ବିବେଚନା ହେବା ଉଚିତ୍। ଏନେଇ ସଂସଦରେ ବିତର୍କ ହୋଇ ଏକ ନିଷ୍ପତ୍ତି ନିଆଯିବା ଜରୁରୀ । ତେବେ 18 ବର୍ଷରୁ କମ ପିଲା ଯେଉଁ ମାନେ ଅପରାଧରେ ସାମିଲ ହେଉଛନ୍ତି ତାଙ୍କୁ ସରକାର ଆଣି ବିଭିନ୍ନ ସଚେତନ କରାଯିବା ସହ ତାଙ୍କ ଆର୍ଥିକ ସମସ୍ୟାକୁ ସମାଧାନ ପାଇଁ ବିଭିନ୍ନ କର୍ମ ସଂସ୍ଥାନ ଯୋଗାଇ ଦିଆଗଲେ ନାବାଳକଙ୍କୁ ଅପରାଧରୁ ରୋକିହେବ ।’

ଏହା ମଧ୍ୟ ପଢନ୍ତୁ:ପୁରୀ ବେଳାଭୂମି ନିକଟରୁ ଠାବ ହେଲା ନରକଙ୍କାଳ, ହେଲେ କାହାର ?

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details