କଟକ/ଭୁବନେଶ୍ବର: ବର୍ଷ ୨୦୨୦ରୁ ୨୦୨୪ ନଭେମ୍ବର ମଧ୍ୟରେ ରାଜ୍ୟରେ ବିଦ୍ୟୁତ ଆଘାତରେ ୮୫ ହାତୀଙ୍କର ମୃତ୍ୟ ହୋଇଛି । ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ସତ୍ୟପାଠରେ ‘ପିସିସିଏଫ’ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । ସରକାରଙ୍କ ଏହି ତଥ୍ୟରେ କୋର୍ଟ ଉଦବେଗ ପ୍ରକାଶ କରିବା ସହ 10 ଦିନ ମଧ୍ୟରେ ବିଜୁଳି ବିତରଣକାରୀ ସଂସ୍ଥାର କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ‘ପିସିସିଏଫ’ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨ ସପ୍ତାହ ମଧ୍ୟରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।
- ନିଜ ହସ୍ତକ୍ଷେପ କରିଥିଲେ କୋର୍ଟ
ଚଳିତମାସ 18 ତାରିଖରେ ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ ଆଘାତରେ 3 ହାତୀଙ୍କ ମୃତ୍ୟୁ ହେବା ପରେ କୋର୍ଟ ନିଜ ଆଡୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରି ଘଟଣାରେ ହସ୍ତକ୍ଷେପ କରିଥିଲେ । ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ରାଜ୍ୟରେ କେତେ ହାତୀଙ୍କର ଏବଂ କେଉଁ କାରଣରୁ ମୃତ୍ୟୁ ଘଟିଛି, ସେନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ । କେବଳ ମୃତ୍ୟୁ ସଂଖ୍ୟା ନୁହେଁ ବରଂ ଏହାକୁ ପ୍ରତିହତ କରିବା ଦିଗରେ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ମଧ୍ୟ ଅବଗତ କରିବାକୁ କୋର୍ଟ ଗତ ଶୁଣାଣିରେ ନିର୍ଦ୍ଦେଶ ଦେଇଥିଲେ ।
4 ବର୍ଷରେ ବିଦ୍ୟୁତ ତାର ନେଲାଣି ୮୫ ହାତୀଙ୍କ ଜୀବନ: ୧୦ ଦିନରେ ଆକ୍ସନ ପ୍ଲାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ (ETV Bharat Odisha) ଅନ୍ୟପଟେ ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ । ବିଧାନସଭାରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ଗତ 5 ମାସରେ ରାଜ୍ୟର ବିଭିନ୍ନ ସଂରକ୍ଷିତ ଜଙ୍ଗରେ ବିଭିନ୍ନ କାରଣରୁ 40 ହାତୀଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ମାମଲାରେ ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବନ ବିଭାଗର କର୍ମଚାରୀଙ୍କ ବିରୋଧରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି । ଦୁଇ ଜଣ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ରାଜ୍ୟରେ ୫ଟି କଲରାପତରିଆ ବାଘଙ୍କର ମୃତ୍ୟୁ ହୋଇଛି । ବାଘ ଶିକାର ଅଭିଯୋଗରେ 14 ଜଣଙ୍କୁ ଗିରଫ କରାଯାଇଥିବା ମଧ୍ୟ ଗୃହରେ ସୂଚନା ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି,‘‘ ହାତୀ ମୃତ୍ୟୁ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଦକ୍ଷେପ ଗ୍ରହଣ କରାଯାଉଛି । ବିଗତ ଦିନରେ ଯେଉଁ ଘଟଣା ଘଟୁଥିଲା ତାହା ଆଉ କେମିତି ନଘଟିବ ସେ ବିସୟରେ ଆମେ ଚିନ୍ତା କରୁଛୁ । ହାତୀଙ୍କର ସୁରକ୍ଷା ଏବଂ ସଂଖ୍ୟାବୃଦ୍ଧି ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି । ପ୍ରତି 3 ମାସରେ ଥରେ ଏସମ୍ପର୍କିତ ବୈଠକ କରାଯାଇ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ଏ ସମ୍ପର୍କରେ ଗାଁ ଲୋକଙ୍କ ସହ ଆଲୋଚନା କରୁଛୁ । ଗଜସାଥୀଙ୍କୁ ନିଯୁକ୍ତି ଦେଉଛନ୍ତି ସରକାର । ରେଳ ବିଭାଗ ସହ ନିରନ୍ତର ଆଲୋଚନା ହେଉଛି । ଶିକାରୀଙ୍କୁ ଚିହ୍ନଟ କରି ଧରିବା ପାଇଁ ବିଭିନ୍ନ ପ୍ରକାର ‘AI କ୍ୟାମେରା’ ଲାଗିଛି । ସାତକୋଶିଆ, ଦେବରିଗଡ଼ ଓ ଅନୁଗୁଳ ଜଙ୍ଗଲରେ 360 ଡିଗ୍ରୀ ରେଞ୍ଜ କ୍ୟାମେରା ଲାଗିଛି । ଶିକାରୀଙ୍କୁ ଠାବ କରି କଠୋରରୁ କଠୋର ଦଣ୍ଡ ବ୍ୟବସ୍ଥା ମଧ୍ୟ ହେଉଛି ।’’
- ହାତୀ ମଣିଷ ଲଢେଇରେ ୬୬୮ ଜୀବନ ଯାଇଛି
ସେହିପରି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ୬୬୮ ଜୀବନ ଯାଇଛି । ବିଭିନ୍ନ ଘଟଣାରେ ୫୦୯ ଜଣ ଆହତ ହୋଇଛନ୍ତି । ହାତୀମାନେ ତିନି ବର୍ଷରେ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବା ବେଳେ ପ୍ରାୟ ୧୦ ହଜାର ୨୫୯ ଘର ମଧ୍ୟ ଭାଙ୍ଗିଛନ୍ତି ।
ଇଟିଭି ଭାରତ, କଟକ ଓ ଭୁବନେଶ୍ବର