କଟକ: ପାଳନ ହେଲା ୭୬ତମ ସାଧାରଣତନ୍ତ୍ର ଦିବସ । କଟକ ବିଡାନାସୀ ମିନି ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଦିବସ ଉପଲକ୍ଷେ ଦେଶରେ ସାର୍ବଭୌମ୍ୟ, ଅଖଣ୍ଡତାକୁ ସର୍ବଦା ବଜାୟ ରଖିବାକୁ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ ।
- 'ଆସନ୍ତା ମାସରୁ ଆୟୁଷ୍ମାନ ଯୋଜନା'
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି," ୭ମାସ ତଳେ ଯେଉଁ ଆଶା ରଖି ରାଜ୍ୟବାସୀ ନୂଆ ସରକାର ଗଠନ କରିଥିଲେ, ନିର୍ବାଚନୀ ଇସ୍ତାହାର ଯାହା ରହିଥିଲା, ତାହାକୁ ବିଜେପି ସରକାର ପୂରଣ କରିଛି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଇତ୍ୟାଦି ଥିଲା ସରକାରଙ୍କ ପ୍ରଥମ ଉପଲବ୍ଧି । ୮୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପାଇ ସାରିଛନ୍ତି । ବାକି ଥିବା ଅନ୍ୟ ମହିଳାଙ୍କୁ ଖୁବ ଶୀଘ୍ର ମିଳିବ । ଅଦିନିଆ ବର୍ଷା ପାଇଁ କ୍ଷତି ସହିଥିବା ଚାଷୀଙ୍କୁ କ୍ଷତିପୂରଣ ପାଇଁ ବ୍ୟବସ୍ଥା ହୋଇଛି । ଆସନ୍ତା ମାସରୁ ପ୍ରାୟ ଏକ କୋଟି ପରିବାର ଆୟୁଷ୍ମାନ ଯୋଜନାର ସୁଫଳ ପାଇ ପାରିବେ । ପ୍ରାୟ ସାଢେ ୩ କୋଟି ଲୋକ ଏଥିରେ ଉପକୃତ ହେବେ । "
- 'ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି'
ସେ ଆଉ ମଧ୍ୟ କହିଛନ୍ତି, "ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି । ଆଦିବାସୀମାନଙ୍କ ସ୍ୱାର୍ଥ, ସ୍ୱାଭିମାନ ପାଇଁ ଆମ ସରକାର ସଂକଳ୍ପ ବଦ୍ଧ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି । ଶିଳ୍ପର ବିକାଶ କରିବା କ୍ଷେତ୍ରରେ ରାଜ୍ୟ ସରକାର ବଦ୍ଧପରିକର । ଗାଁର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ରାଜ୍ୟରେ ରେଳର ବିକାଶ ପାଇଁ କେନ୍ଦ୍ର ସରକାର ୨୦,୦୦୦ କୋଟି ବ୍ୟୟ କରିଥିଲେ । ଯାହାର କାର୍ଯ୍ୟ ଜାରି ରହିଛି । ଦେଶର ଆତ୍ମା ହେଉଛି ଗାଁ । ଗାଁର ବିକାଶରେ ଓଡିଶା ଓ ଭାରତର ବିକାଶ ହେବ । ପ୍ରତିବର୍ଷ ୧୦୦୦ କୋଟି ଲେଖାଏଁ ଗ୍ରାମକୁ ପ୍ରଦାନ କରାଯିବ । ଯାହାଦ୍ୱାରା ଗ୍ରାମର ବିକାଶ ହୋଇ ପାରିବ । ଏହାଛଡ଼ା ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ ବୃଦ୍ଧି କରାଯାଇଛି ।"
ଏହାମଧ୍ୟ ପଢନ୍ତୁ... |