କେନ୍ଦ୍ରାପଡ଼ା:ସମଗ୍ର ଦେଶ ପାଳିଛି ୭୫ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ସମଗ୍ର ଦେଶରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲାସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଭାରତୀୟ ସମ୍ବିଧାନର ନୀତି ଆଦର୍ଶ ବିଷୟରେ କହି ସମ୍ବୋଧନ କରିଛନ୍ତି ଜିଲ୍ଲାପାଳ । ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଅଭିବାଦନ ଗ୍ରହଣ କରିଥିଲେ।
ସୂଚନା ଅନୁସାରେ,କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜରୁ ୩୦ ଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଅମ୍ରିତ ଋତୁରାଜ ଦେଶ ଉଦ୍ଦେଶ୍ୟରେ ସଂଗ୍ରାମୀମାନଙ୍କର ବଳିଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହାସହ ସ୍ୱାଧୀନତା ସଂଗ୍ରାମରେ କେନ୍ଦ୍ରାପଡ଼ା ଜିଲ୍ଲାର ଅବଦାନ ଓ ସରକାରୀ ସ୍ତରରେ ଜିଲ୍ଲାକୁ ମିଳିଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟରେ କହିଥିଲେ। 'ବଳିଆ ଯୋଜନା'ରେ ରାଜ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ସର୍ବାଧିକ ଅନୁଦାନ ମିଳିଥିବା ସେ କହିଛନ୍ତି । କୃଷିପ୍ରଧାନ ଜିଲ୍ଲା ଭାବେ କେନ୍ଦ୍ରାପଡ଼ା ନିଜର ସ୍ୱତନ୍ତ୍ରତା ବଜାୟ ରଖିଥିବା କହିଛନ୍ତି । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉପଢୌକନ ସହ ଟୋପି ପିନ୍ଧାଇ ପଦବନ୍ଦନା କରାଯାଇଛି । ଏହାସହ ବିଭିନ୍ନ ବିଭାଗରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହା ମଧ୍ୟ ମଢନ୍ତୁ...କଳାହାଣ୍ଡିରେ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ପରିବହନ ମନ୍ତ୍ରୀ