ସୁବର୍ଣ୍ଣପୁର: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ପଞ୍ଚମ ଦେଶଫାଲ ମହୋତ୍ସବ-୨୦୨୪ ଉଦଘାଟିତ ହୋଇଯାଇଛି । ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଧର୍ମଶାଳା ଠାରେ ତିନିଦିନ ଧରି ଆୟୋଜିତ ହେବ ଏହି ମହୋତ୍ସବ । ପ୍ରଥମ ଦିନ ଦର୍ଶକମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପସ୍ଥିତ ରହି ଦର୍ଶକମାନେ ନୃତ୍ୟ ଓ ଗୀତ ଉପଭୋଗ କରିଥିଲେ ।
ଦେଶଫାଲ ମହୋତ୍ସବର ଉଦଘାଟନ ପୂର୍ବରୁ ଶନିବାର ସକାଳୁ ମା’ କଳାପାଟଙ୍କ ମନ୍ଦିର ପରିସରରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସହିତ ମହୋତ୍ସବର ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ମଶାଲ ଶୋଭାଯାତ୍ରା କଳା ମଣ୍ଡପ ଠାରେ ପହଞ୍ଚିବା ପରେ ପାରମ୍ପାରିକ ରୀତିନୀତିରେ ମଞ୍ଚ ପୂଜାର ଆୟୋଜନ କରାଯାଇଥିଲା । ସନ୍ଧ୍ୟା ସମୟରେ ଦେଶଫାଲ୍ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା ।
ଏହି ଉଦଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନବାଧିକାର କମିଶନ ଓଡିଶା ଅଧ୍ୟକ୍ଷ ଶତ୍ରୁଘ୍ନ ପୂଜାରୀ ଯୋଗ ଦେଇ ଏହାର ଶୁଭ ଉଦଘାଟନୀ କରିଥିଲେ । ଗଡଜାତ ଶାସନ ଅମଳରେ ଏହି ଅଞ୍ଚଳର ଲୋକ ସଂସ୍କୃତି ଓ ଲୋକ କଳା ତାର ଉତ୍କର୍ଷ ଛୁଇଁଥିବା ବେଳେ ଏହାକୁ ବଞ୍ଚାଇ ରଖିବା ଓ ଏହାର ପ୍ରଚାର ପ୍ରସାର ଦିଗରେ ସଭିଏଁ ଯତ୍ନବାନ ହେବାକୁ ସେ ଆହ୍ବାନ ଦେଇଥିଲେ । ଅନ୍ୟ ମାନଙ୍କ ଭିତରେ ଜିଲ୍ଲାପାଳ ଅନ୍ୟା ଦାସ, ବୀରମହରାଜପୁର ଉପ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ଯୋଗ ଦେଇ ଦେଶଫାଲିଆଙ୍କୁ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ ।