ଭୁବନେଶ୍ବର:ସରକାରୀ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି । 576 ଜଣ ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ । ଲୋକସେବା ଭବନ କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଅଶ୍ବଥି ଏସ, ନିର୍ଦ୍ଦେଶକ ସୁଶାନ୍ତ ଦାସଙ୍କ ଅନେକ ଯୋଗ ଦେଇଥିଲେ ।
ନୂତନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଶିକ୍ଷା ଗୋଟିଏ ଜାତିର ଚିନ୍ତା ଏବଂ ଚେତନାରେ ପରିବର୍ତ୍ତନ ଆଣିଥାଏ । ଛାତ୍ରଛାତ୍ରୀଙ୍କୁ ବଡ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ । ପିଲାଙ୍କୁ ସେମାନଙ୍କ ସ୍ବପ୍ନ ପୂରଣ ଦିଗରେ ଅନୁପ୍ରାଣିତ କରିବାକୁ ପଡିବ । ଏହା ସହିତ ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ଆବଶ୍ୟକ । ଏହି ଲକ୍ଷ୍ୟ ନେଇ 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜାରି ରହିଛି । ଏହା ଦ୍ବାରା ରାଜ୍ୟର ସ୍କୁଲ ଗୁଡିକର ଭିତ୍ତିଭୂମି ଓ ପରିବେଶରେ ସମ୍ପୂର୍ଣ୍ଣ ରୂପାନ୍ତର ଆସିଛି । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲ ଗୁଡିକରେ ଶିକ୍ଷାର ଗୁଣାତ୍ମକ ମାନରେ ଉଲ୍ଲେଖନୀୟ ବୃଦ୍ଧି ଆସିପାରିଛି । ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜରିଆରେ ୪୬୦୫ ନୂଆ କ୍ଲାସରୁମ, ୧୬୯୨୦ ସ୍ମାର୍ଟ କ୍ଲାସରୁମ, ୭୮୬୩ ଆଧୁନିକ ଲାବ୍ରୋଟାରୀ, ୭୯୨୦ ଇ-ଲାଇବ୍ରେରୀ ସୃଷ୍ଟି କରାଯାଇଛି । ରାଜ୍ୟରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଛି ।"
ଏହା ମଧ୍ୟ ପଢନ୍ତୁ: ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ପର୍ବ, ନିଯୁକ୍ତି ପାଇଲେ 2473 ଡାକ୍ତର