ଓଡିଶା

odisha

ETV Bharat / state

ଶିମିଳିପାଳ ଅଭୟାରଣ୍ୟରୁ ୫ ଜଣ ଶିକାରୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

5 Hunters Arrested: ଶିମିଳିପାଳ ଅଭୟାରଣ୍ୟରେ ପୁଣି ମାତିଛନ୍ତି ଶିକାରୀ । ପୋଲିସ ଓ ବନବିଭାଗକୁ ଖାତିର ନକରି ଶିକାର କରିବା ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Feb 2, 2024, 7:38 AM IST

୫ ଜଣ ଶିକାରୀ ଗିରଫ
୫ ଜଣ ଶିକାରୀ ଗିରଫ

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ପୁଣି ମାତିଛନ୍ତି ଶିକାରୀ । ପୋଲିସ ଓ ବନବିଭାଗକୁ ଖାତିର ନକରି ଶିକାର କରିବା ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି । ତେବେ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିବା ୫ ଜଣ ଶିକାରୀକୁ ଧରିବାରେ ସଫଳ ହୋଇଛି ବନ ବିଭାଗ । ଏଥି ସହିତ ତାଙ୍କ ନିକଟରୁ ବିଭିନ୍ନ ଧରଣର ମାରଣାସ୍ତ୍ର ଜବତ କରିବା ସହ ହରିଣ ଓ ସମ୍ବର ଶିଙ୍ଗ ଜବତ କରିଛି ବନବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ... ସ୍ତ୍ରୀ ନାକକୁ କାମୁଡି ଛିଣ୍ଡାଇ ଦେଲା ସ୍ୱାମୀ, ଥାନାରେ ଏତଲା

ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟର ଟିଏଲ-୩ କୋର ଏରିଆରେ ପାଞ୍ଚ ଜଣ ଶିକାରୀ ଶିକାର କରିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ । ପାଞ୍ଚ ଜଣ ଶିକାରୀ ବିଭିନ୍ନ ମାରଣାସ୍ତ୍ର ନେଇ ଶିମିଳିପାଳର କୋର ଏରିଆକୁ ଯାଇଥିବାର ଖବର ବନବିଭାଗକୁ ହସ୍ତଗତ ହୋଇଥିଲା । ଏନେଇ କେନ୍ଦୁମୁଣ୍ଡି ରେଞ୍ଜ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମରେ କେନ୍ଦୁମୁଣ୍ଡି ରେଞ୍ଜ ଅଧିକାରୀଙ୍କ ସହ କେନ୍ଦୁମୁଣ୍ଡି, ଗୁଡୁଗୁଡିଆ, କରଞ୍ଜିଆ, ଦୁଧିଆଣୀ ରେଞ୍ଜର ବନ କର୍ମଚାରୀ, ଏସଟିପିଏଫ, ଜେଟିଏଫ ଏବଂ ସ୍ଥାନୀୟ ପୋଲିସ ସାମିଲ ହୋଇ ଶିମିଳିପାଳ ଅଭୟାରଣ୍ୟର ଟିଏଲ-୩ କୋର ଏରିଆରେ ଅତର୍କିତ ଭାବେ ଚଢ଼ାଉ କରି ସମସ୍ତ ପାଞ୍ଚ ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ରାଜଧାନୀରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ, ଖଣ୍ଡାରେ ଗୋଡାଇ ଗୋଡାଇ ହାଣିଲେ

ସେମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ଦୁଇଟି ଧନୁ, ୨୩ଟି ତୀର, ଗୋଟିଏ କୁରାଢ଼ୀ, ଗୋଟିଏ ଟାଙ୍ଗିଆ, ଗୋଟିଏ କଟୁରୀ, ଦୁଇଟି ଛୁରି, ପ୍ଲାଷ୍ଟିକ ଜାଲ ଜବତ କରାଯାଇଛି । ଏଥି ସହିତ ସେମାନଙ୍କ ନିକଟରୁ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ସମ୍ବର ଶିଙ୍ଗ ମଧ୍ୟ ଜବତ କରିଛି ବନବିଭାଗ । ତେବେ ପାଞ୍ଚ ଜଣ ଶିକାରୀଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଛି ବନବିଭାଗ । ଗିରଫ ହୋଇଥିବା ପାଞ୍ଚ ଜଣ ଶିକାରୀ ହେଲେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମର ସାଲଖାନ ହେମ୍ବ୍ରମ, ଲାଲ ମୋହନ ହାଁସଦା, ବିରସିଂ ହେମ୍ବ୍ରମ, ମଧୁସୂଦନ ମୁର୍ମୁ ଓ ବଳରାମ ସୋରେନ । ବନବିଭାଗ ପକ୍ଷରୁ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପରେ ଏକ ମାମଲା ରୁଜୁ କରାଯାଇ ପାଞ୍ଚ ଜଣ ଶିକାରୀଙ୍କୁ କରଞ୍ଜିଆ ଏସଡିଜେଏମ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details