ଓଡିଶା

odisha

By ETV Bharat Odisha Team

Published : Feb 7, 2024, 12:40 PM IST

Updated : Feb 7, 2024, 3:54 PM IST

ETV Bharat / state

ଚାଲିପାରିଲାନି ପ୍ରଶ୍ନକାଳ; ଅର୍ପଣ ରଥ ଓ ପରୀ ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ

Odisha Assembly Budget Session: ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ଚାଲି ପାରିଲାନି ପ୍ରଶ୍ନକାଳ । ଶାସକ-ବିପକ୍ଷ ମଧ୍ୟରେ ହଙ୍ଗାମା । ଅର୍ପଣ ରଥ ପ୍ରସଙ୍ଗ ଉଠାଇ ବିଜେପି ବିରୋଧ ପ୍ରଦର୍ଶନ କରିଥିବା ବେଳେ ପରୀ ପ୍ରସଙ୍ଗରେ ବିଜେପି ବିରୋଧରେ ହୋହଲ୍ଲା କରିଛନ୍ତି ବିଜେଡି ବିଧାୟକ । ଅଧିକ ପଢନ୍ତୁ,

Odisha Assembly Budget Session
ବିଧାନସଭାର କାମଚଳା ବଜେଟ ଅଧିବେଶନ

ଚାଲିପାରିଲାନି ପ୍ରଶ୍ନକାଳ; ଅର୍ପଣ ରଥ ଓ ପରୀ ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର:ଧୋଇଯାଇଛି ବିଧାନସଭାର ତୃତୀୟ ଦିନର ପ୍ରଶ୍ନକାଳ । ପରୀ ପ୍ରସଙ୍ଗ ଓ ଅର୍ପଣ ରଥ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ଗୃହ ଭିତରେ ଓ ବାହାରେ ଉଭୟ କରିିଛନ୍ତି ହୋହଲ୍ଲା । ବିଜେଡି ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହ ମୁଲତବୀ କରିବାକୁ ପଡିଛି । ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକମାନେ ଧାରଣା ଦେଇଛନ୍ତି ।

ବିଧାନସଭାର କାମଚଳା ବଜେଟ ଅଧିବେଶନ ସ୍ୱାଭାବିକ ଭାବେ ଚାଲିଥିବା ବେଳେ ଆଜି(ବୁଧବାର) ତୃତୀୟ ଦିନ ପ୍ରାରମ୍ଭରେ ହଙ୍ଗାମା ହୋଇଥିଲା । ଶାସକ ଓ ମୁଖ୍ୟ ବିରୋଧୀ ଦଳର ହଙ୍ଗାମା ପାଇଁ ଚାଲି ପାରିଲାନି ପ୍ରଶ୍ନକାଳ । ଗୃହର ତୃତୀୟ ଦିନ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ବିଧାୟକମାନେ ନିଜ ସ୍ଥାନରେ ଛିଡ଼ା ହୋଇ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ପରୀ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଘେରିଥିଲା ବିଜେଡି । ପରୀ ପ୍ରସଙ୍ଗରେ ବିଜେପି ନିମ୍ନ ସ୍ତରକୁ ଯାଇ ରାଜନୀତି କରିଥିବା ବିଜେଡି ଅଭିଯୋଗ କରିଛି । ଘଟଣାରେ ବିବୃତି ରଖିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ସାଂସଦ ସୁରେଶ ପୂଜାରୀ ସମେତ ଅନ୍ୟ ବିଜେପି ନେତା କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଥିଲା ।

ଏଥିସହ ବିଜେଡି ବିଧାୟକ ଦଳ ଗୃହ ବାହାରକୁ ଆସି ଗାନ୍ଧୀ ମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭରେ ମହିଳା ବିଧାୟକଙ୍କ ଦବଦବା ଦେଖିବାକୁ ମିଳିଛି । ସ୍ନେହାଙ୍ଗିନୀ କହିଛନ୍ତି ଯେ, "ନାବାଳିକା ପରୀ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦ ଥିଲା । ଯାହା ସମସ୍ତଙ୍କୁ ମର୍ମାହତ କରିଥିଲା । ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଯୋଗୁଁ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ । ତଦନ୍ତକୁ ତଦାରଖ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ । ନିୟମିତ ବ୍ୟବଧାନରେ ତଦନ୍ତର ଅଗ୍ରଗତି ନେଇ ଏସଆଇଟି ଷ୍ଟାଟସ ରିପୋର୍ଟ ଦାଖଲ କରୁଥିଲା । ଏସଆଇଟି ବହୁ ପରିଶ୍ରମ କରି ପ୍ରକୃତ ଅପରାଧୀକୁ ଚିହ୍ନଟ କରିବା ସହ ତଥ୍ୟ ପ୍ରମାଣ ଜୁଟାଇଥିଲା । ଯାହା ଫଳରେ ଆଜି ଅପରାଧୀକୁ ୨୦ ବର୍ଷ ଦଣ୍ଡ ବିଧାନ ହୋଇଛି । ପରୀକୁ ନ୍ୟାୟ ମିଳିଛି । ଏହି ଐତିହାସିକ ରାୟ ଆସିବା ପରେ ରାଜ୍ୟ ବିଜେପି ନେତାଙ୍କର ଅସଲ ମୁଖା ଖୋଲିଯାଇଛି ।" କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ସାଂସଦ ସୁରେଶ ପୂଜାରୀଙ୍କ ପରି ନେତା ଘଟଣାରେ ଅଯଥା ରାଜନୀତି କରିଥିବା ପଦାରେ ପଡିଛି ବୋଲି କହିଛନ୍ତି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।

ଏହାମଧ୍ୟ ପଢନ୍ତୁ..ବିଧାନସଭା ବେଦାନ୍ତ ତାତି; ଧାରଣାରେ ବସିଲେ ନରସିଂହ ଗୃହ ମୁଲତବୀ

ବିଜେଡିର ପରୀ ପ୍ରସଙ୍ଗକୁ କାଉଣ୍ଟର କରିଛି ବିଜେପିର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଭ୍ରାଟ ଓ ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିଜେପି । ବିଜେପି ବିଧାୟକମାନେ ମଧ୍ୟ ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନିଜ ନିଜ ସିଟରୁ ପ୍ଲାକାର୍ଡ ଧରି ସରକାର ବିରୋଧୀ ନାରାବାଜି ପ୍ରଦର୍ଶନ କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ଶାସକ ଦଳକୁ ଜୋରଦାର ବିରୋଧ କରିଛି । ଗୃହ ବାହାରକୁ ବିଜେପି ବିଧାୟକମାନେ ଆସି ବିରୋଧ ପ୍ରଦର୍ଶନ କରିଥିଲେ ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି , "ପରୀ ଘଟଣାରେ ଦଳର ଷ୍ଟାଣ୍ଡ ଠିକ୍ ଅଛି । ଘଟଣାରେ ଆମେ ସିବିଆଇ ତଦନ୍ତ ଦାବି କରିଥିଲୁ । ଆଜି ମଧ୍ୟ କରୁଛୁ । ରାଜ୍ୟ ସରକାର ସାଢ଼େ 4 କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଖେଳୁଛନ୍ତି । ପ୍ରକଳ୍ପ ନାଁରେ ଶୌଚାଳୟ ବନାଇଛନ୍ତି । ଭୋଟ୍ ହାତେଇବାକୁ ଅର୍ପଣ ଚାଉଳ କଥା କହିଲେ । ବିରୋଧ ହେବାରୁ ଖେଚୁଡ଼ି କରି ବାଣ୍ଟିବେ ବୋଲି କହିଲେ । ଏବେ ସେଥିରୁ ଉଷୁନା ଚାଉଳ ବାହାରିବାରୁ ଭକ୍ତଙ୍କ ମହଲରେ ଦୁଃଖ ପ୍ରକାଶ ପାଇଛି । ରାଜ୍ୟ ସରକାର ଲୋକଙ୍କ ଅର୍ଥକୁ ବିନା କାରଣରେ ଦଳୀୟ କାର୍ଯ୍ୟରେ ଖର୍ଚ୍ଚ କରୁଛନ୍ତି । ନୂଆ ଓ ନାଁରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବର୍ବାଦ କରୁଛନ୍ତି ।" ପ୍ରବଳ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଗୃହ ମୂଲତବୀ ଘୋଷଣା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 7, 2024, 3:54 PM IST

ABOUT THE AUTHOR

...view details