ଭୁବନେଶ୍ବର: ବିଜେଡିର ଚର୍ଚ୍ଚିତ ନେତା ଭି.କେ.ପାଣ୍ଡିଆନ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଫେରାଦ ହେଲା ଭାରତୀୟ ଜନତା ପାର୍ଟି (ବିଜେପି) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ମିଥ୍ୟା ଟିପ୍ପଣୀ କରି ନିର୍ବାଚନ ପ୍ରଚାର କରୁଛନ୍ତି ପାଣ୍ଡିଆନ । ସଂସଦରେ 2 କୋଟି ଚାକିରି ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିବୃତ୍ତି ମାଧ୍ୟମରେ ସ୍ପଷ୍ଟ ତଥ୍ୟ ରଖି ସାରିଛନ୍ତି । ତା’ ସତ୍ତ୍ୱେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାଁରେ ଭୁଲ ତଥ୍ୟ ଦେଇ ପାଣ୍ଡିଆନ ଭୋଟ ମାଗୁଥିବା ଦଳ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହାସହ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ରେ କାର୍ଯ୍ୟରତ ନିରାକାର ସାହୁ ନାମକ ଜଣେ ୱାର୍ଡ ସୁପରଭାଇଜର ଶାସକ ଦଳ ବିଜେଡି ପାଇଁ ପ୍ରଚାର କରୁଥିବା ମଧ୍ୟ ବିଜେପି ଅଭିଯୋଗ କରିଛି । ସିଇଓଙ୍କୁ ପ୍ରମାଣ ଦେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।
ପାଣ୍ଡିଆନଙ୍କୁ ଟାର୍ଗେଟ କରି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ସଠିକ୍ ଖବର ନରଖି ନିର୍ବାଚନ ପ୍ରଚାର କରିବା ମୂର୍ଖାମୀ । ବିଜେଡି ଦଳକୁ ଜିତାଇବା ପାଇଁ ନିଜର ହିତାହିତ ଜ୍ଞାନ ହରାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା । ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ବିଜେଡିର ଷ୍ଟାର କ୍ୟାମ୍ପନର ତାଲିକାର ୨ ନମ୍ବର ସ୍ଥାନରେ ଅଛନ୍ତି । ଏହି ଗୁମାସ୍ତା ଜଣକ ସମସ୍ତ ଆଇନ କାନୁନକୁ ଦଳିଚକଟି ବିଜେଡିର ପ୍ରଚାର କରୁଛନ୍ତି । ହାରିବା ଭୟ ଏତେ ଘାରିଛି ଯେ, ଉଚିତ ଓ ଅନୁଚିତ ମଧ୍ୟରେ ସେ ଫରକ ଜାଣିପାରୁ ନାହାନ୍ତି । ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ଦଳୀୟ ପ୍ରଚାରରେ ଲଗାଇବା ସହ ସରକାରୀ କଳ ଓ ବଳର ଅପବ୍ୟବହାର କରିବାରେ ଲାଗିଛନ୍ତି ।