ସମ୍ବଲପୁର:ଜିଲ୍ଲାର ଧନୁପାଲି ଥାନା ଅନ୍ତର୍ଗତ ପୁଟିବନ୍ଦ ସ୍ଥିତ ନେତାଜୀ ନଗରରେ "ଆଦର୍ଶ ଶିଶୁ ମନ୍ଦିର" ଦ୍ୱାରା ପରିଚାଳିତ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର "ସମର୍ଥ"ରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବଂ ମାଡ଼ପିଟ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l ଅନୁଷ୍ଠାନର ସେକ୍ରେଟାରୀ ଅଭିଯୁକ୍ତ ହରିଶ୍ଚନ୍ଦ୍ର ଦାସ ଓ ମହିଳା କେୟାର ଟେକର ସ୍ୱାଗତିକା ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଏନଜିଓକୁ ବ୍ଲାକ ଲିଷ୍ଟ କରିବା ସହ ପଞ୍ଜିକରଣକୁ ରବ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ସମ୍ବଲପୁର ଜିଲ୍ଲାପାଳଙ୍କ ପ୍ରତିକ୍ରିୟା :
ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର କହିଛନ୍ତି, "ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଦେଖିବା ପରେ ତୁରନ୍ତ ସେଠାକୁ ଏକ ଟିମ ପଠାଯାଇଥିଲା l ଆଦର୍ଶ ଶିଶୁ ମନ୍ଦିର ନାମକ ଏକ ଏନଜିଓ ଦ୍ୱାରା ପରିଚାଳିତ "ସମର୍ଥ" ଥଇଥାନ ଅନୁଷ୍ଠାନରେ ନିର୍ଯାତନା ଦିଆଯାଉଥିଲା l ଭିଡିଓ ଓ ତଦନ୍ତ ଆଧାରରେ ସେ ଲୋକମାନଙ୍କ ବିରୋଧରେ ଏତଲା ଦିଆଯାଇ ସେମାନଙ୍କୁ ଗିରଫ କରାଯାଇଛି । ଏନଜିଓକୁ ବ୍ଲାକ ଲିଷ୍ଟ କରିବାକୁ ଏବଂ ପଞ୍ଜିକରଣ ବାତିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୭ ଦିନ ମଧ୍ୟରେ ସେଠାରେ ଥିବା ଅନ୍ତେବାସୀମାନଙ୍କୁ ଅନ୍ୟତ୍ର ଥଇଥାନ କରାଯିବ । ସେ ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆଉ ମଧ୍ୟ ବରିଷ୍ଠ ଅଧିକାରୀଙ୍କୁ ଏନେଇ ଏକ ଟିମ ଗଠନ କରାଯାଇଛି, ସେହି ଟିମ ଏହାର ଫୁଙ୍ଖାନୁଫୁଙ୍ଖ ତଦନ୍ତ କରିବେ l ସେହି ରିପୋର୍ଟ ଆସିବା ପରେ ରିପୋର୍ଟକୁ ଆଧାର କରି ସେକ୍ରେଟାରୀ ଓ ଅନ୍ୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l "
କଣ ଥିଲା ପୂରା ଘଟଣା :
ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ପୁଟିବନ୍ଦ ସ୍ଥିତ ନେତାଜୀ ନଗରରେ ଆଦର୍ଶ ଶିଶୁ ମନ୍ଦିର ଦ୍ୱାରା ପରିଚାଳିତ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର "ସମର୍ଥ"ରେ ପାଖାପାଖି ୩୦ରୁ ଅଧିକ ଅନ୍ତେବାସୀ ରହୁଥିଲେ । ସେଠାରେ ସେମାନଙ୍କୁ ଅକଥନୀୟ ଶାରୀରିକ ତଥା ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଜଣେ ପୂର୍ବତନ ମହିଳା କର୍ମଚାରୀ ଲିପିକା ଦର୍ଜୀ ମଧ୍ୟ 'ସମର୍ଥ'ରେ ହେଉଥିବା ଏହି ଅନ୍ୟାୟକୁ ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ । ଅଭିଯୋଗ ଓ ସୋସିଆଲ ମିଡିଆରେ ଭିଡିଓକୁ ଆଧାର କରି ଧନୁପାଲି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମର୍ଥ ଆଶ୍ରମରେ ଚଢାଉ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଲୋକଲୋଚନକୁ ଆଣିଥିଲେ 'ସମର୍ଥ' ଅନୁଷ୍ଠାନର ଜଣେ ପୂର୍ବତନ ମହିଳା କେୟାର ଟେକର ଲିପିକା ଦର୍ଜୀ l ତାଙ୍କ ଘର ଟିଟଲାଗଡ଼ ହୋଇଥିବା ବେଳେ ସେ ଏଠାରେ ମାତ୍ର 18 ଦିନ କାର୍ଯ୍ୟ କରିଥିଲେ l ଲିପିକା କହିଛନ୍ତି,"ସେଠାରେ ଲୋକମାନଙ୍କୁ ମାରପିଟ କରାଯାଉଥିଲା । ଭଲରେ ଖାଇବା ଦିଆ ଯାଉନଥିଲା । ଭଲରେ ମେଡିସିନ ମଧ୍ୟ ଦିଆ ଯାଉନଥିଲା l ଯେଉଁ ନିଦ ଔଷଧ ଦିଆ ଯାଉଥିଲା ସେଥିରେ ସେମାନେ ବହୁତ ଦୁର୍ବଳ ହୋଇ ଯାଉଥିଲେ । କାରଣ ଭଲରେ ଖାଇବା ଦିଆ ଯାଉନଥିଲା । ସେମାନଙ୍କ ସହ ବହୁତ ଖରାପ ବ୍ୟବହାର କରାଯାଉଥିଲା l ମହିଳାମାନଙ୍କ ସହ ବହୁତ ଅସଦାଚରଣ ହେଉଥିଲା, ସେମାନଙ୍କୁ ଦ୍ବିଅର୍ଥବୋଧକ କଥା ମଧ୍ୟ କୁହା ଯାଉଥିଲା l"