ଭୁବନେଶ୍ବର:ଅପରାଧ ପାଇଁ ବର୍ଷ ବର୍ଷ ଧରି ଭୋଗୁଥିଲେ ଜେଲଦଣ୍ଡ । ଜେଲର ନିବୁଜ ଚାରିକାନ୍ଥ ଭିତରେ ସଜ୍ଜା କାଟୁଥିଲେ । ଆଜି ସମ୍ବିଧାନ ଦିବସରେ ମୁକୁଳିଛନ୍ତି ଆଜୀବନ ସଜ୍ଜା କାଟୁଥିବା କଏଦୀ । ଓଡ଼ିଶାର ବିଭିନ୍ନ ଜେଲରୁ ମୁକୁଳିଛନ୍ତି ୧୪ କଏଦୀ । ସେପଟେ ସମ୍ବିଧାନ ଦିବସରେ ନୂତନ ଆଇନ BNS ୪୯୭ ଦଫା ଆଧାରରେ ଆହୁରି ୧୦ ଜଣ ବିଚାରାଧୀନ କଏଦୀଙ୍କୁ ମଧ୍ୟ ଜେଲରୁ ଜାମିନ ମିଳିଛି ।
ଜେଲରୁ ମୁକୁଳିଲେ ଆଜୀବନ ସଜା କାଟୁଥିବା ୧୪ କଏଦୀ:
ହତ୍ୟା, ଦୁଷ୍କର୍ମ, ଡକାୟତି, ରାହାଜାନି ଭଳି ଅପରାଧ କରି ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କୁ ମୁକ୍ତି ମିଳିଛି । ବିଭିନ୍ନ ଅପପରାଧିକ ମାମଲାରେ ଆଜୀବନ ସଜ୍ଜା କାଟୁଥିବା ୧୪ ଜଣ କଏଦୀମାନଙ୍କୁ ଓଡ଼ିଶାର ବିଭିନ୍ନ ଜେଲରୁ ମୁକୁଳିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରାଉଲକେଲାରୁ ୨ ଜଣ, ଜାମୁଝରି ଜେଲର ୩ ଜଣ, କୋରାପୁଟ ଜେଲରୁ ୪ ଜଣ, ସମ୍ବଲପୁର, ଭୁବନେଶ୍ୱର, ଫୁଲବାଣୀ, ବଣାଇଗଡ଼ ଓ ଦେବଗଡ଼ ଜେଲରୁ ଜଣେ ଲେଖାଏଁ ଆଜୀବନ ସଜ୍ଜା କାଟୁଥିବା କଏଦୀ ଜେଲରୁ ମୁକୁଳିଛନ୍ତି । କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ଜେଲ ବିଭାଗ ଏମାନଙ୍କ ମୁକ୍ତି ଲାଗି ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସୁପାରିସ କରିଥିଲା । ରିଭ୍ୟୁ ସେଣ୍ଟେନ୍ସ ବୋର୍ଡର ନିଷ୍ପତ୍ତି କ୍ରମେ ବିଭିନ୍ନ ଜେଲରୁ ମୁକଳିଛନ୍ତି ଏହି କଏଦୀ ।
ଏନେଇ ଜେଲ ଡିଜି ଅରୁଣ ରାୟ କହିଛନ୍ତି, "ଆଜୀବନ ସଜା କାଟୁଥିବା ୧୪ ଜଣ କଏଦୀଙ୍କୁ ମୁକୁଳାଇବା ପାଇଁ ଓଡ଼ିଶା ସରକାର ଘୋଷଣା କରିଛନ୍ତି । ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ମିଳିବା ପରେ ଏହି କଏଦୀଙ୍କୁ ଜେଲରୁ ମୁକୁଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜେଲରେ କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ମୁକୁଳାଇବା ପାଇଁ ଜେଲ ବିଭାଗ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସୁପାରିସ କରେ । ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ସରକାରଙ୍କ ଠାରୁ ଅନୁମୋଦନ ଆଣିବା ପରେ ୧୪ ଜଣଙ୍କୁ ମୁକୁଳାଯାଇଛି । ଆଜୀବନ ସଜ୍ଜା କାଟୁଥିବା କଏଦୀମାନଙ୍କ ଆଚାର ବ୍ୟବହାର ସଠିକ ଅଛି ନା ନାହିଁ ଜେଲ ସୁପରିଟେଣ୍ଡେଣ୍ଟ ଏକ ରିପୋର୍ଟ ଦିଅନ୍ତି । ପରେ ଏସପି ଓ ଜିଲ୍ଲାପାଳ ପ୍ରଶାସନିକ ପକ୍ଷରୁ ଏକ ରିପୋର୍ଟ ଦିଅନ୍ତି । ସେଣ୍ଟେସ ରିଭ୍ୟୁ ବୋର୍ଡ ମେମ୍ବର ଗୃହ ସଚିବ, ପୋଲିସ ଡିଜି, ଆଇନ ସଚିବ, ଜେଲ ଡିଜିଙ୍କ ସହ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଏନେଇ ନିଷ୍ପତ୍ତି ନିଆଯାଏ । ସେହି ହିସାବରେ ୧୪ ଜଣ କଏଦୀଙ୍କୁ ମୁକୁଳିବା ପାଇଁ ନିର୍ଦ୍ଦେଶ କ୍ରମେ ସେମାନେ ଜେଲରୁ ମୁକୁଳିଛନ୍ତି । ବିଏନଏସ ୪୭୯ ଦଫାରେ ୧୦ ଜଣ ବିଚାରଧୀନ କଏଦୀଙ୍କୁ ମଧ୍ୟ ଜେଲରୁ ଜାମିନ ମିଳିଛି ।"
BNS-୪୭୯ ଦଫାରେ ୧୦ ଜଣ ବିଚାରାଧୀନ କଏଦୀଙ୍କୁ ମୁକ୍ତି:
ତେବେ ଆଜୀବନ ସଜ୍ଜା କାଟୁଥିବା କଏଦୀଙ୍କ ସହ ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା ବା BNSର ୪୯୭ ଦଫାରେ ଆଧାରରେ ପ୍ରଥମ ଥର ୧୦ ଜଣ କଏଦୀ ମୁକୁଳିଛନ୍ତି । ଯେଉଁଥିରୁ ଝାରପଡ଼ା ଜେଲରୁ ୯ ଜଣ ଓ ଜଗତସିଂହପୁର ଜିଲ୍ଲା କାରଗାରରୁ ଜଣେ କଏଦୀ ମୁକୁଳିଛନ୍ତି । କଏଦୀମାନଙ୍କୁ ସୁଧାର ପାଇଁ ଅର୍ଥାତ୍ ଯେଉଁମାନେ ବିଚାରାଧିନ କଏଦୀ ରହିଛନ୍ତି ସେମାନଙ୍କୁ ଜାମିନ ପାଇଁ ଏକ ନିୟମ ରହିଛି । ଯେଉଁଥିରେ ପ୍ରଥମ ଥର ଅପରାଧ କରି ଜେଲ ଆସୁଥିବା ଅର୍ଥାତ୍ ପରିସ୍ଥିତିରେ ପଡ଼ି ହେଉ ବା ପାରିବାରିକ ପରିସ୍ଥିତିରେ ସେ ପ୍ରଥମ ଥର ଅପରାଧ କରି ଜେଲ ଆସିଥିବ ଓ ନିଜ ସଜ୍ଜାର ଏକ ତୃତୀୟାଂଶ ଜେଲ ଅବଧି କାଟିଛନ୍ତି ତେବେ ସେମାନଙ୍କୁ ମୁକୁଳିବା ପାଇଁ ଏକ ରାସ୍ତା ରହିଛି । ଯାହା କ୍ରମରେ ବିଭିନ୍ନ ଜିଲ୍ଲାରୁ ଆଜି ୧୦ ଜଣ କଏଦୀ ମୁକୁଳିଛନ୍ତି ।