ଭୁବନେଶ୍ୱର: ଆଜି ହେଉଛି ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଧୁମଧାମରେ ଆମ୍ବେଦକରଙ୍କ ଜନ୍ମ ଦିବସ ପାଳନ କରାଯାଉଛି । ତେବେ ଭୁବନେଶ୍ୱର ସ୍ଥିତ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଭାରତରତ୍ନ ଆମ୍ବେଦକରଙ୍କ 134ତମ ଜନ୍ମ ଜୟନ୍ତୀ ପାଳୁଛି ସାରା ଦେଶ । 1891 ଏପ୍ରିଲ 14 ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୈତିଜ୍ଞ, ସାମାଜିକ- ରାଜନୈତିକ ସଂସ୍କାରକ ଭାବେ ଆମ୍ବେଦକର ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଭାରତର ସମ୍ବିଧାନ ପ୍ରଣେତା ଅଟନ୍ତି ଆମ୍ବେଦକର । ସ୍ୱାଧୀନତା ପରବର୍ତ୍ତୀ ଭାରତରେ ତାଙ୍କର ସାମାଜିକ - ରାଜନୈତିକ ଚିନ୍ତାଧାରାକୁ ରାଜନୈତିକ ମହଲରେ ସମ୍ମାନ ଦିଆଯାଉଛି । ତେବେ ରାଜ୍ୟ ତଥା ସାରା ଦେଶରେ ତାଙ୍କ ଜନ୍ମ ଜୟନ୍ତୀକୁ ପାଳନ କରାଯାଇଛି । କଂଗ୍ରେସ, ବିଜେପି ,କମ୍ୟୁନିଷ୍ଟ ଭଳି ରାଜନୈତିକ ଦଳ ଓ ଅନ୍ୟାନ୍ୟ ସଂଗଠନ ତରଫରୁ ଭୁବନେଶ୍ୱର ସ୍ଥିତ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହାସହ ବିଭିନ୍ନ ସଂଖ୍ୟାଲଘୁ ସଂଗଠନ, ଯୁବଗୋଷ୍ଠୀ ଆମ୍ବେଦକରଙ୍କ ଜୟଗାନ କରିଛନ୍ତି ।