ଜଗତସିଂହପୁର:ପାଖେଇ ଆସୁଛି ନିର୍ବାଚନ । ନିର୍ବାଚନ ପାଇଁ ତାତି ଯେତେ ବଢୁଛି ଟିକେଟ ପାଇଁ ଆଶାୟୀଙ୍କ ସଂଖ୍ୟା ସେତେ ବଢିବାରେ ଲାଗିଛି । ତେବେ ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିକଟରେ ରାଜ୍ୟର ସମସ୍ତ 21ଟି ସଂସଦୀୟ କ୍ଷେତ୍ର ଓ 147ଟି ବିଧାନସଭା କ୍ଷେତ୍ର ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ ଅନଲାଇନରେ ଆବେଦନ ପାଇଁ ପ୍ରଗମନ ଆପ୍ ଲଞ୍ଚ କରାଯାଇଥିଲା । ଏଥିରେ ଜଗତସିଂହପୁର ଜିଲ୍ଲାର 4ଟି ବିଧାନସଭା କ୍ଷେତ୍ର ଓ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ଅନଲାଇନ ଜରିଆରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ରାଜନୀତି ସମୀକ୍ଷକ ।
ତେବେ ଉଭୟ ସାଂସଦ ଓ ବିଧାୟକ ପଦ ପାଇଁ ଜଗତସିଂହପୁର ଜିଲ୍ଲାରୁ ମୋଟ 110 ଜଣ ଆଶାୟୀ ପ୍ରାର୍ଥୀ କଂଗ୍ରେସ ଟିକେଟ ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ 90 ପ୍ରତିଶତ ନୂଆ ଚେହେରା ରହିଛନ୍ତି । କଂଗ୍ରେସର ବରିଷ୍ଠ ନେତା ତଥା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମଧ୍ୟ କଂଗ୍ରେସ ଟିକଟ ପାଇଁ ଅନଲାଇନ ଆବେଦନ କରିନଥିବା ଜଣାପଡ଼ିଛି । ସେହିପରି ପାରାଦ୍ୱୀପ ଅଞ୍ଚଳର ଶ୍ରମିକ ନେତା ଅରିନ୍ଦମ ସର୍ଖେଲ (ବାପି) ଗତ 2019 ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ହାରିଥିବା ବେଳେ 2024 ନିର୍ବାଚନରେ ସେ ମଧ୍ୟ ଟିକେଟ ପାଇଁ ଆବେଦନ କରିନାହାନ୍ତି ।
କଂଗ୍ରେସ ପାର୍ଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ସଂସଦୀୟ କ୍ଷେତ୍ର ସଂରକ୍ଷିତ ଆସନ ହୋଇଥିଲେ ମଧ୍ୟ ଏହି ଆସନ ପାଇଁ 26 ଜଣ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରାର୍ଥିନୀ ପ୍ରତିମା ମଲ୍ଲିକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ପୂର୍ବତନ ବିଧାୟକ ରବୀନ୍ଦ୍ର ସେଠୀ ପ୍ରମୁଖ ଟିକେଟ ପାଇଁ ଆବେଦନ କରିଛନ୍ତି । ସେହିପରି ଜଗତସିଂହପୁର ବିଧାନସଭା ଆସନ ପାଇଁ ବର୍ତ୍ତମାନର ପୌରଧ୍ୟକ୍ଷା ଅର୍ଚ୍ଚନା ସିଂହ, ପୂର୍ବତନ ପୌରଧ୍ୟକ୍ଷା ବୀପ୍ଳବ ଚୌଧୁରୀ, ବିଦ୍ୟାଧର ସ୍ୱାଇଁ, ଦୁଃଖୀଶ୍ୟାମ ଦାସଙ୍କ ପରି 22 ଜଣ ଆବେଦନ କରିଛନ୍ତି । ଅନ୍ୟପଟେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡଃ ସୁଶାନ୍ତ କାନୁନଗୋ, ବର୍ତ୍ତମାନର ଜିଲ୍ଲା ପରିଷଦ ପିନାକ ନାରାୟଣ ଦାସଙ୍କୁ ମିଶାଇ 33 ଜଣ ଆବେଦନ କରିଛନ୍ତି ।