ବାଲେଶ୍ୱର: ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଚେତାବନୀ । ଠପ୍ ହୋଇପାରେ ଏହି ଜରୁରୀ ସେବା । କାରଣ ଦାବି ପୂଣ ନହେଲେ ନଭେମ୍ବର ୧ରୁ ସମ୍ପୂର୍ଣ୍ଣ ରୋଗୀସେବା ବନ୍ଦ କରିବୁ ବୋଲି ସିଧାସିଧା ଶୁଣାଇ ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ନୂଆ ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟ ବିରୋଧ କରି ଏହି ନିଷ୍ପତ୍ତି ନେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ନିଯୁକ୍ତି ଏବଂ ବେତନକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ସମୁଦାୟ ୧୧ ଦଫା ଦାବି ନେଇ ସ୍ବର ଉଠାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ।
ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବି:
ବାଲେଶ୍ବର ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ନୂତନ କମ୍ପାନୀରେ ନିଯୁକ୍ତି ସାଙ୍ଗକୁ କର୍ମଚାରୀଙ୍କ କାର୍ଯ୍ୟ କରିବାର ସମୟ ସୀମା ନିର୍ଦ୍ଧାରଣ ପାଇଁ ଦାବି ଉଠିଛି । ଏହାସହ ବେଆଇନ ଛଟେଇ ବନ୍ଦ କରିବା, କର୍ମଚାରୀଙ୍କ ମୃତ୍ୟୁ ଏବଂ ଆକ୍ରମଣ ସହାୟତା ଯଥା କ୍ରମେ ୨୦ ଲକ୍ଷ ଏବଂ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା, ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍ସ ଯୋଗାଇଦେବା ଭଳି ଦାବି ହୋଇଛି । ସେହିଭଳି ୧୨ ଘଣ୍ଟା କାମ କରୁଥିଲେ ମଧ୍ୟ ୮ ଘଣ୍ଟାର ବେତନ ପାଉଛନ୍ତି । ଯଦି ୧୨ ଘଣ୍ଟା କାମ କରୁଛୁ ତେବେ ୧୨ ଘଣ୍ଟାର ମଜୁରୀ ଦିଆଯାଉ ବୋଲି ଦାବି କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ଦାବିକୁ ନେଇ ସେମାନେ ଜିଲ୍ଲାପାଳଙ୍କୁ ଭେଟିଥିବାବେଳେ ତୁରନ୍ତ ଦାବି ପୂରଣ ପାଇଁ ସ୍ୱର ଉଠାଇଛନ୍ତି ।
ଅଭିଯୋଗ କଲେ ଶୁଣୁନାହିଁ ନୂଆ କମ୍ପାନୀ:
କର୍ମଚାରୀଙ୍କ ଅସନ୍ତୋଷକୁ ନେଇ ଅଲ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ବାଲେଶ୍ୱର ଶାଖାର ସମ୍ପାଦକଗୋପାଳକୃଷ୍ଣ ସିଂ କହିଛନ୍ତି, "ବିଗତ ଦିନରେ ଯେଉଁ କମ୍ପାନୀ ଥିଲା ତାହାର ଟେଣ୍ଡର ଏବେ ସାରିଯାଇଛି । ଯେଉଁ ନୂଆ କମ୍ପାନୀ ଆସିଛି ସେ ବର୍ତ୍ତମାନ ଆମକୁ ନିଯୁକ୍ତି ଦେଇଛି । ଆମ ଜିଲ୍ଲାରେ କିଛି ପିଲାଙ୍କୁ ନିଯୁକ୍ତି ଦେଇଛି ଆଉ କିଛି ଜଣ ପିଲାଙ୍କୁ ସେ ନିଯୁକ୍ତି ଦେଇନାହିଁ । କାରଣ ପଚାରିବାରୁ NHM ଚାକିରି ଦେଇନାହିଁ କିମ୍ବା ନୂଆ କମ୍ପାନୀ ଗ୍ରହଣ କରୁନାହିଁ ବୋଲି କହୁଛନ୍ତି । ଆମ ଜିଲ୍ଲାରେ ୫ ଜଣ ଯିଏ କି ସଭାପତି, ସମ୍ପାଦକ, ମୁଖ୍ୟବକ୍ତା ଆଉ କିଛି ମୁଖ୍ୟ ଲିଡରମାନଙ୍କୁ ସେମାନେ ନିଯୁକ୍ତି ଦେଉନାହାନ୍ତି । ଯେଉଁମାନେ ପୂର୍ବ କମ୍ପାନୀରେ ନିଯୁକ୍ତ ଥିଲେ ସେମାନେ ପୁନର୍ବାର ପୁଣି ନୂଆ କମ୍ପାନୀରେ ଚାକିରି ପାଇଛନ୍ତି । ଆମେମାନେ ଦୀର୍ଘ ୧୧ ବର୍ଷ ହେଲାଣି କାମ କରିବା ସତ୍ତ୍ୱେ, କିଛି ଭୁଲ ନଥାଇ ମଧ୍ୟ ଆମକୁ ଚାକିରି ଦେଉନାହାଁନ୍ତି ।"