ଭୁବନେଶ୍ବର: ଶହେ ବର୍ଷ ପୁରାତନ ବିଦ୍ୟାଳୟଗୁଡ଼ିକୁ ମିଳିବ ଐତିହ୍ୟ ବିଦ୍ୟାଳୟ ମାନ୍ୟତା । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତିର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ପ୍ରତିବର୍ଷ ମାତୃଭାଷା ଦିବସ ସହ ଓଡିଆ ଭାଷା ସପ୍ତାହ ପାଳନ କରାଯିବ ।
ଗତ ଡିସେମ୍ବର ୧୯ ରେ ଅନୁଷ୍ଠିତ ତୃତୀୟ ଐତିହ୍ୟ କ୍ଯାବିନେଟ ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ୱର ଜନତା ମଇଦାନରେ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆସନ୍ତା ଫେବୃଆରୀ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ସମ୍ମିଳନୀ ଆୟୋଜନ ହେବ । ଏହି ପରିପ୍ରେକ୍ଷୀରେ ଆଜି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ତେବେ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଓ ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ ।
ପ୍ରସ୍ତୁତ ହେଉଥିବା ଅକ୍ଷର ଭୂମିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ସମ୍ମିଳନୀର ପ୍ରଥମ ଦିନରେ ଲୋକାର୍ପଣ କରାଯିବ । ଉକ୍ତ ସମ୍ମିଳନୀ ଅବସରରେ ସମସ୍ତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଓଡ଼ିଆ ଭାଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ । ଏହି ସମ୍ମିଳନୀରେ ଭାଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଗୁଡ଼ିକୁ ନେଇ ୧୬ଟି ସମ୍ପାନର ଆୟୋଜନ କରାଯିବ । ଏହା ବ୍ଯତୀତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସ୍ଵତନ୍ତ ସମ୍ପାନର ଆୟୋଜନ କରାଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଏହି ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକର ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ଉଭୟ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ବ୍ଯବହାର କରାଯିବ । ଓଡ଼ିଶା ପରିବାର ତରଫରୁ ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆ ସଂଗଠନମାନଙ୍କୁ ଲାଇଭ ୱେବକାଷ୍ଟ ଦ୍ଵାରା ଯୋଡ଼ାଯାଇ ସମ୍ମିଳନୀର ଉଦଘାଟନ ଓ ଉଦଯାପନ ଉତ୍ସବରେ ବାସ୍ତବ ଓ ଆଭାସୀ ଉପସ୍ଥିତି ନିମନ୍ତେ ଉତ୍ସାହିତ କରାଯିବ । ଏଥିସହିତ ସେମାନଙ୍କର ମତାମତକୁ ବୈଦ୍ୟୁତିକ ଗଣମାଧ୍ୟମ ଓ ମୁଦ୍ରଣ ଗଣମାଧ୍ୟମରେ ପ୍ରକାଶ କରାଯିବା ସହିତ ମତାମତର କ୍ୟାଟଲଗ ମଧ୍ୟ ପ୍ରସ୍ତୁତ କରାଯିବ ।