ହାଇଦ୍ରାବାଦ: ବିଦାୟୀ ବର୍ଷ 2024 । ବର୍ଷ ତ ସରୁଛି, କିନ୍ତୁ ବିଦାୟୀ ବର୍ଷର ସ୍ମୃତି ଅଭୁଲା ହୋଇ ରହିଛି ଓ ରହିବ । ଚଳିତ ବର୍ଷ କ୍ରୀଡାଜଗତକୁ ମିଳିଛି ଅନେକ ସଫଳତା । କ୍ରିକେଟଠାରୁ ଆରମ୍ଭ କରି ହକି ଓ ଚେସରେ ବିଶ୍ବରେ ନା ଅର୍ଜନ କରିଛି ଭାରତ । ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଚମକିଥିଲେ ଭାରତୀୟ କ୍ରୀଡାବିତ । କିଏ ନୂଆ ରେକର୍ଡ କରିଥିଲା ତ ଆଉ କିଏ ରେକର୍ଡ ଦୋହରାଇଥିଲା । ପୁଣି କିଏ ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ବିଶ୍ବ ବିଜେତା ହୋଇଥିଲା । ଆସନ୍ତୁ ନଜର ପକାଇବା ୨୦୨୪ ବର୍ଷରେ କ୍ରୀଡା କ୍ଷେତ୍ରରେ ଭାରତର ବଡ଼ ଉପଲବ୍ଧି ।
ଦ୍ବିତୀୟ ଥର T-20 ବିଶ୍ବକପ ଟାଇଟଲ ହାତେଇଲା ଭାରତ:
2024 ଜୁଲ 28 ତାରିଖ । ଏହି ଦିନଟିକୁ 140 କୋଟି ଭାରତୀୟଙ୍କ ପାଇଁ ଅଭୂଲା ସ୍ମୃତି । କାହିଁକିନା ଦୀର୍ଘ 17 ବର୍ଷ ଅପେକ୍ଷାର ଅନ୍ତ ଘଟାଇ ରୋହିତ ଶର୍ମାଙ୍କ ନେତୃତ୍ବରେ T-20 ବିଶ୍ବକପ ହାତେଇଥିଲା ଟିମ୍ ଇଣ୍ଡିଆ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 7 ରନରେ ହରାଇ ଭାରତ ହାତେଇଲା ବିଶ୍ୱକପ୍ ଟ୍ରଫି । ଦିନିକିଆ ବିଶ୍ବକପ ହାରିବାର ଭୋକକୁ ମେଣ୍ଟାଇଥିଲା ଟି ଟ୍ବେଣ୍ଟି ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ଫାଇନାଲ ମ୍ୟାଚରେ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଓ ସୂର୍ଯ୍ୟକୁମାରଙ୍କ କ୍ୟାଚ ବିପକ୍ଷ ଦଳଠାରୁ ଛଡାଇ ଆଣିଥିଲା କପ । ପ୍ରଥମ ଦଳ ଭାବେ କୌଣସି ମ୍ୟାଚରେ ନ ହାରି ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଶେଷ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଟ୍ରଫି ଜିତି ଇତିହାସ ରଚିତିଲା ଟିମ ଇଣ୍ଡିଆ ।
ସର୍ବକନିଷ୍ଠ ଚେସ ଚାମ୍ପିୟନ ଗୁକେଶ:
ଗ୍ରାଣ୍ଡମାଷ୍ଟର ଡୋମାରାଜୁ ଗୁକେଶ... ଏହି ନାମ ଏବେ ସାରା ବିଶ୍ବରେ ଚର୍ଚ୍ଚାରେ । କାହିଁକିନା ସର୍ବକନିଷ୍ଠ ଭାବେ ଓ୍ବାର୍ଲ୍ଡ ଚେସ ଚାମ୍ପିୟନସିପ ଟାଇଟଲ ହାତେଇଛନ୍ତି ଏହି 18 ବର୍ଷୀୟ ଭାରତୀୟ ଚେସ ତାରକା । ଗୁକେଶ ଏହି ଗୌରବ ହାସଲ କରିବାରେ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି । ଡିସେମ୍ବର 12ରେ ସିଙ୍ଗାପୁରରେ ଆୟୋଜିତ ଓ୍ବାର୍ଲ୍ଡ ଚେସ୍ ଚାମ୍ପିୟନସିପରେ ଗୁକେଶ ୧୪ତମ ତଥା ଶେଷ ସମୟରେ 7.5 ପଏଣ୍ଟ ହାସଲ କରି ଚୀନର ଲିରେନଙ୍କୁ ପରାସ୍ତ କରି ଦେଶ ପାଇଁ ଗୌରବ ଆଣିଥିଲେ । ସଠିକ ଗୋଟି ଚାଳନା ଗୁକେଶଙ୍କୁ ସାରା ବିଶ୍ବରେ ଏବେ ନୂଆ ପରିଚୟ ଦେଇଛି ।
ଚେସ୍ ଅଲିମ୍ପିଆଡ୍ରେ ଭାରତକୁ ୨ ସ୍ବର୍ଣ୍ଣ:
ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରେ ଆୟୋଜିତ 45ତମ ଚେସ୍ ଅଲିମ୍ପିଆଡ୍ରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଥିଲେ । ଦୁଇଟି ବିଭାଗରେ ଭାରତୀୟ ଦଳକୁ ମିଲିଥିଲା ୨ଟି ସ୍ବର୍ଣ୍ଣ । 2014 ଏବଂ 2022ରେ ପୂର୍ବରୁ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଭାରତ କୋରୋନା ମହାମାରୀ ସମୟରେ ଆୟୋଜିତ 2020 ଅନଲାଇନ୍ ଅଲିମ୍ପିଆଡ଼ରେ ଋଷ ସହିତ ମିଳିତ ଭାବେ ସ୍ବର୍ଣ୍ଣ ପଦକ ଜିତିଥିଲା । ଏହାପରେ ଚେସ୍ ଅଲିମ୍ପିଆଡର 90 ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଏଥର ଏକାକୀ ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ଉଭୟ ପୁରୁଷ ଓ ମହିଳା ଦଳ ଏହି ଇତିହାସ ରଚି ସ୍ବର୍ଣ୍ଣ ପଦକ ଦେଶକୁ ଆଣିଥିଲେ । ଭାରତୀୟ ପୁରୁଷ ଦଳରେ ଥିଲେ ଡି ଗୁକେଶ, ପ୍ରଜ୍ଞାନ ନନ୍ଦା, ବିଦିତ ଗୁଜରାଠୀ, ଅର୍ଜୁନ, ପି.ହରିକ୍ରିଷ୍ଣା । ସେହିପରି ମହିଳା ଦଳରେ ଥିଲେ ଆର ବୈଶାଳୀ, ଆଅଏମ ଦିବ୍ୟା ଦେଶମୁଖ, ଜିଏମ ହାରିକା ଡ୍ରୋନାଭାଲି, ତାନିଆ ଓ ବନ୍ତିକା ଅଗ୍ରଓ୍ବାଲ ।
ଏହା ମଧ୍ୟ ପଢ଼ନ୍ତୁ- 2024 ଆମେରିକାରେ ସତ୍ତା ପରିବର୍ତ୍ତନର ବର୍ଷ, ଟ୍ରମ୍ପ ଶାସନ ଭାରତ ପାଇଁ ଆହ୍ବାନ ନା ସୁଯୋଗ - YEARENDER 2024 |
ଅଲିମ୍ପିକ୍ସରେ ଇତିହାସ ରଚିଲେ ମନୁ:
ଚଳିତ ବର୍ଷ ଜୁଲାଇ ମାସରେ ପ୍ୟାରିସରେ ଆୟୋଜିତ ହୋଇଥିଲା ଅଲିମ୍ପିକ୍ସ-୨୦୨୪ । ଭାରତର ପ୍ରଦର୍ଶନ ଏତେ ଭଲ ନଥିଲା । ସ୍ବର୍ଣ୍ଣ ପଦକ ହାସଲ କରିବାରେ କୌଣସି ବି ଖେଳାଳି ସଫଳ ହୋଇପାରି ନଥିଲେ । ଗୋଟିଏ ରୌପ୍ୟ ସହ 5ଟି ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । କିଛି କ୍ରୀଡାବିତ ଦମଦାର ପ୍ରଦର୍ଶନ କରି ଇତିହାସ ରଚିଥିଲେ । ଭାରତୀୟ ଶୁଟର ମନୁ ଭାକର ଅଲିମ୍ପିକ୍ସରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ । ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ଦୁଇଟି ପଦକ ଜିତିଥିଲେ ମନୁ । ଏଥି ସହ ଭାରତକୁ ପ୍ରଥମ ପଦକ ମଧ୍ୟ ସେ ଭେଟି ଦେଇଥିଲେ । 10 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ପରେ 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।