ହାଇଦ୍ରାବାଦ : ଭାରତୀୟ କ୍ରିକେଟ୍ ଦଳକୁ ବିଶ୍ବର ସବୁଠାରୁ ସଫଳ ଏବଂ ଶକ୍ତିଶାଳୀ ଦଳ ମଧ୍ୟରୁ ଗୋଟିଏ ବୋଲି ବିଚାର କରାଯାଏ । ଟିମ୍ ଇଣ୍ଡିଆ ଖେଳାଳିମାନଙ୍କର କେବଳ ନିଜ ଦେଶରେ ନୁହେଁ, ସମଗ୍ର ବିଶ୍ବରେ ଅସଂଖ୍ୟ ପ୍ରଶଂସକ ଅଛନ୍ତି । ଭାରତୀୟ ଖେଳାଳିଙ୍କ ଧନ ଏବଂ ଖ୍ୟାତି ଦେଖି ଅନ୍ୟ ବଡ଼ ବଡ଼ ପଦ ପଦବୀରେ ଥିବା ଲୋକେ ମଧ୍ୟ ଚାହାଁନ୍ତି ସେମାନଙ୍କ ଛୁଆ ବ୍ୟାଟ ଧରି ଏଭଳି ନାଁ କରୁ । କିନ୍ତୁ, ଗୋଟିଏ ସମୟରେ ପିତାମାତା ଅନୁଭବ କରନ୍ତି ଯେ କ୍ରୀଡା ଅପେକ୍ଷା ଛୁଆଙ୍କ ପାଇଁ ଅଧ୍ୟୟନ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନେ ନିଜ ପିଲାମାନଙ୍କୁ ପାଠ ପଢ଼ା ଉପରେ ଅଧିକ ଧ୍ୟାନ ଦେବାକୁ କୁହନ୍ତି ।
କିନ୍ତୁ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଟିମ୍ ଇଣ୍ଡିଆର ଅଧିକାଂଶ ତାରକା, ଯେଉଁମାନେ ନିଜର ଚୌକା, ଛକା ଓ ୱିକେଟ ନେବାର କ୍ଷମତା ସହ କ୍ରିକେଟ ପଡ଼ିଆରେ ହିରୋ ପାଲଟିଛନ୍ତି, ସେମାନେ ପାଠ ପଢ଼ାରେ କିନ୍ତୁ 'ଜିରୋ' ରହିଛନ୍ତି । ଆଜି ଏଠାରେ ଆମେ ଆପଣଙ୍କୁ ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ଯତା ବିଷୟରେ କହିବାକୁ ଯାଉଛୁ ।
- ରୋହିତ ଶର୍ମା - ଦ୍ବାଦଶ ଶ୍ରେଣୀ (+2)
ଅଧିନାୟକ ରୋହିତ ଶର୍ମା ନିଜର ପ୍ରାଥମିକ ଶିକ୍ଷା 'ଆୱର ଲେଡି ଅଫ୍ ୱଲାନକାନ୍ନି ହାଇସ୍କୁଲ'ରୁ ଗ୍ରହଣ କରିଥିଲେ । ପରେ କ୍ରିକେଟରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସେ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟରୁ ଛାତ୍ରବୃତ୍ତି ପାଇଥିଲେ । ରୋହିତ ତାଙ୍କର ଦ୍ବାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, କିନ୍ତୁ ନିଜ କ୍ରିକେଟ୍ କ୍ୟାରିୟରରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ପାଇଁ ରିଜଭି କଲେଜରେ ପାଠପଢ଼ା ଛାଡି ଦେଇଥିଲେ । - ରବିନ୍ଦ୍ର ଜାଡେଜା - ସ୍କୁଲ ଡ୍ରପ୍ଆଉଟ୍
ଶ୍ରେଷ୍ଠ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଜଣାଶୁଣା ରବିନ୍ଦ୍ର ଜାଡେଜା ଗୁଜରାଟର ଶାରଦାଗ୍ରାମ୍ ସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ପାଠପଢ଼ା ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ କ୍ରିକେଟ୍ କ୍ୟାରିୟର୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ ।
- ଜସପ୍ରୀତ ବୁମ୍ରା - ଦ୍ବାଦଶ ଶ୍ରେଣୀ (+2)
ଦୁନିଆର ସବୁଠାରୁ ଘାତକ ଦ୍ରୁତ ବୋଲର, ଭାରତୀୟ ଦଳର ସ୍ପିଡଷ୍ଟାର ଜସପ୍ରୀତ ବୁମ୍ରା ଗୁଜରାଟ ଅହମ୍ମଦାବାଦର ନିର୍ମାଣ ହାଇସ୍କୁଲରେ ପଢ଼ିଥିଲେ ଏବଂ ସେ ଉକ୍ତ ବିଦ୍ୟାଳୟରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ପାଠପଢ଼ା ଛାଡ଼ିଥିଲେ । - ହାର୍ଦ୍ଦିକ ପାଣ୍ଡ୍ୟା - 9ମ ଶ୍ରେଣୀ
ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି । ଏମ୍କେ ହାଇସ୍କୁଲରେ ସେ 9ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ କ୍ରିକେଟ୍ ଉପରେ ଧ୍ୟାନ ଦେବାକୁ ପାଠପଢ଼ା ଛାଡିଥିଲେ । ଏହାପରେ ହାର୍ଦ୍ଦିକ ଜୁନିୟରସ୍ତରୀୟ କ୍ରିକେଟରେ କ୍ରମାଗତ ଅଗ୍ରଗତି କରି ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ହାସଲ କରିଥିଲେ ।
- ରବିଚନ୍ଦ୍ରନ ଅଶ୍ବିନ - ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ B.Tech
ଅଭିଜ୍ଞ ଭାରତୀୟ ଅଫ୍ ସ୍ପିନର, ରବିଚନ୍ଦ୍ରନ ଅଶ୍ୱିନ୍ SSN କଲେଜ୍ ଅଫ୍ ଇଞ୍ଜିନିୟରିଂ ଚେନ୍ନାଇରୁ ସୂଚନା ପ୍ରଯୁକ୍ତିବିଦ୍ୟାରେ ଭଲ ମାର୍କ ରଖି ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି । - ଶୁଭମନ ଗିଲ - 10ମ ଶ୍ରେଣୀ
ଭାରତୀୟ କ୍ରିକେଟର 'ପ୍ରିନ୍ସ' ଭାବରେ ଜଣାଶୁଣା ଶୁଭମନ ଗିଲ କେବଳ 17 ବର୍ଷ ବୟସରେ ଅଣ୍ଡର-19 ଦଳରେ ଯୋଗ ଦେଇଥିଲେ । ପ୍ରାରମ୍ଭିକ ସଫଳତା ସତ୍ତ୍ବେ ଗିଲ ମୋହାଲିର ମାନବ ମଙ୍ଗଲ ସ୍ମାର୍ଟ ସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଅଧିକ ଅଧ୍ୟୟନ କରିପାରି ନଥିଲେ ।
- ବିରାଟ କୋହଲି - ଏକାଦଶ ଶ୍ରେଣୀ (+2)
ବର୍ତ୍ତମାନ ଦୁନିଆର ସଫଳତମ ବ୍ୟାଟର ଭାବେ ପରିଗଣିତ ଭାରତୀୟ ତାରକା ବିରାଟ କୋହଲି ଦିଲ୍ଲୀର ବିଶାଲ ଭାରତୀ ପବ୍ଲିକ୍ ସ୍କୁଲ୍ ଏବଂ ସେଭିୟର୍ କନଭେଣ୍ଟ ସ୍କୁଲରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ବିଶ୍ବକପରେ ଭାରତୀୟ ଅଣ୍ଡର-19 ଦଳର ନେତୃତ୍ୱ ନେଉଥିବାବେଳେ କୋହଲି ସେତେବେଳେ ଉଚ୍ଚଶିକ୍ଷା ଛାଡିବାକୁ ନିଷ୍ପତ୍ତି ନେଇଥିଲେ । - ସୂର୍ଯ୍ୟକୁମାର ଯାଦବ - ବାଣିଜ୍ୟରେ ସ୍ନାତକ
ଭାରତୀୟ କ୍ରିକେଟ୍ ଦଳର ଟି20 ଅଧିନାୟକ ସୂର୍ଯ୍ୟକୁମାର ଯାଦବ 'ପିଲ୍ଲଇ କଲେଜ ଅଫ୍ ଆର୍ଟ, କମର୍ସ ଏବଂ ବିଜ୍ଞାନ'ରେ ପଢ଼ିଛନ୍ତି । ଏହି କଲେଜରୁ ସେ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି । - ଶ୍ରେୟସ ଆୟର - ବି.କମ.
ଡାହାଣହାତୀ ତାରକା ବ୍ୟାଟର ଶ୍ରେୟସ୍ ଆୟର ଆର୍ଏ ପୋଦାର କଲେଜ, ମୁମ୍ବାଇରୁ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି । - ସଞ୍ଜୁ ସାମସନ- ଇଂରାଜୀରେ ସ୍ନାତକ
ଭାରତର ଡାହାଣହାତୀ ମଧ୍ୟମ ଅର୍ଡର ବ୍ୟାଟର ତଥା ୱିକେଟ କିପର ସଞ୍ଜୁ ସାମସନ୍ ଥିରୁବନନ୍ତପୁରମର ମାର୍-ଇଭାନିୟସ୍ କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିଛନ୍ତି ।