ଓଡିଶା

odisha

ETV Bharat / sports

ହରେଇ ପାରିନି ଡାଉନ ସିଣ୍ଡ୍ରୋମ; ମନୋବଳ ଜିତାଇଛି ଦୁଇ ଦୁଇଟି ଗୋଲ୍ଡ ମେଡାଲ - Golden Boy with Down syndrome - GOLDEN BOY WITH DOWN SYNDROME

Golden Boy with Down syndrome : ବୟସ ଅନୁସାରେ ବଢୁନାହିଁ ଶରୀର । ଭଗବାନ ଦିବ୍ୟାଙ୍ଗ କରିଥିଲେ ମଧ୍ୟ ପରିସ୍ଥିତିକୁ ମାତ ଦେଉଛନ୍ତି ରାଉରକେଲାର ଶୁଭ୍ରାଂଶୁ ମହାରଣା । ଜାତୀୟସ୍ତରୀୟ ପ୍ରତିଯୋଗିତାରେ ହାସଲ କଲେଣି ଦୁଇଟି ଗୋଲ୍ଡ ସହ 3ଟି ମେଡାଲ । ଅଧିକ ପଢ଼ନ୍ତୁ

Golden Boy with Down syndrome
Golden Boy with Down syndrome (ETV Bharat Odisha)

By ETV Bharat Sports Team

Published : Sep 20, 2024, 7:50 PM IST

ରାଉରକେଲା (ସୁନ୍ଦରଗଡ଼) : ବୟସ ବଢୁଛି ସତ, କିନ୍ତୁ ବୟସ ଅନୁସାରେ ବଢୁନାହିଁ ଶରୀର । ଦଇବ ସିନା ଦିବ୍ୟାଙ୍ଗର ପରିଚୟ ଦେଲା, ହେଲେ ଜଣେ ପ୍ରତିଭାବାନ ଭାବେ ସେ ଆଜି ସାରା ଦେଶରେ ବେଶ ପରିଚିତ । ଭଲ ଭାବେ କ‌ଥା ଦୁଇପଦ କ‌ହିପାରୁନାହାନ୍ତି ସେ । ତଥାପି ବାପା ମା'ଙ୍କ ମନରେ ତିଳେ ହେଲେ ସଙ୍କୋଚ ନାହିଁ । ପୁଅର ପ୍ରତିଭା ସେମାନଙ୍କୁ ବେଶ ଆନନ୍ଦିତ କରିଛି । ନିଜ ଭିତରେ ଲୁଚି ରହିଥ‌ିବା ଅନ୍ତନିର୍ହିତ କଳା ଆଜି ତାଙ୍କୁ ଜଣେ ଜାତୀୟସ୍ତରୀୟ କ୍ରୀଡ଼ାବିତ୍‌ର ପରିଚୟ ଦେଇଛି । ଜାତୀୟସ୍ତରରେ ଦୁଇ ଦୁଇଥର ସ୍ବର୍ଣ୍ଣ ପଦକ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିବା ପରେ ଏବେ ସେ ସ୍ପେସିଆଲ ଅଲିମ୍ପିକ୍ସ ଖେଳି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।

Golden Boy with Down syndrome (ETV Bharat Odisha)

ସୁନାପୁଅ ଶୁଭ୍ରାଂଶୁ :-

ଆମେ କହୁଛୁ ରାଉରକେଲା 'ହୋମ୍ ଆଣ୍ଡ ହୋପ୍' ଛାତ୍ର ଶୁଭ୍ରାଂଶୁ ମହାରଣାଙ୍କ କଥା । ଯାହାଙ୍କ ପାଇଁ କେବଳ ତାଙ୍କ ପରିବାର, ବିଦ୍ୟାଳୟ କିମ୍ବା ଜିଲ୍ଲା ନୁହେଁ, ବରଂ ସମଗ୍ର ରାଜ୍ୟ ଗର୍ବିତ । ସେକ୍ଟର-17 ନିବାସୀ ରଞ୍ଜନ ମହାରଣା ଏବଂ ଭାଗ୍ୟଶ୍ରୀ ମହାରଣାଙ୍କ ପୁଅ ଶୁଭ୍ରାଂଶୁ । ବୟସ 21ରେ ପହଞ୍ଚିଲାଣି । 'ଡାଉନ ସିଣ୍ଡ୍ରୋମ' ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ସେ କିନ୍ତୁ ହାର ମାନିନାହାନ୍ତି । ବ୍ୟାଡମିଣ୍ଟନ, କ୍ରିକେଟ, ଶଟ୍‌ପୁଟ ଥ୍ରୋ' ଓ ଡିସକସ୍‌ ଥ୍ରୋ' ସାଙ୍ଗକୁ ପାୱାର ଲିପ୍ଟିଂରେ ତାଙ୍କର ବେଶ ଆଗ୍ରହ ରହିଛି । ତେବେ ସେ ଗତ 2023ରେ ଜାତୀୟସ୍ତରରେ ସ୍ପେସିଆଲ ଅଲିମ୍ପିକ୍ସ ଭାରତ ଏବଂ ଡାଉନ ସିଣ୍ଡ୍ରୋମ ଫେଡେରସନ ଅଫ ଇଣ୍ଡିଆ ପକ୍ଷରୁ ହାଇଦ୍ରାବାଦରେ ଆୟୋଜିତ ହୋଇଥିବା କ୍ରୀଡା ପ୍ରତିଯୋଗିତାରେ 4 କେଜି ଶଟ୍‌ପୁଟରେ ଗୋଲ୍ଡ ମେଡାଲ ଆଣିଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଗୁରୁଗ୍ରାମରେ ଆୟୋଜିତ ଶଟପୁଟ ପ୍ରତିଯୋଗିତାରେ ପୁଣି ଗୋଲ୍ଡ ମେଡାଲ ଆଣିଛନ୍ତି । ଏତିକି ନୁହେଁ, ଏହି ପ୍ରତିଯୋଗିତାରେ ସହ ଦୌଡ଼ରେ ମଧ୍ୟ ସିଲଭର ମେଡାଲ ବିଜୟୀ ହୋଇଛନ୍ତି । 2027ରେ ହେବାକୁ ଥିବା ସ୍ପେସିଆଲ ଅଲିମ୍ପିକ୍ସ ଖେଳି ଗୋଲ୍ଡ ମେଡାଲ ଆଣିବାକୁ ଚେଷ୍ଟା କରୁଛନ୍ତି ଶୁଭ୍ରାଂଶୁ ।

'ହାର ମାନିବି ନାହିଁ' :-

ଶୁଭ୍ରାଂଶୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୋତେ ଖେଳିବାକୁ ଭଲ ଲାଗେ । ଶଟ ପୁଟ ସହ ଦୌଡ଼ ଏବଂ ଅନ୍ୟାନ୍ୟ ଖେଳ ମୋତେ ଭାରି ଭଲ ଲାଗେ । ମେଡାଲ ଜିତିବା ପରେ ମୋତେ ବହୁତ ଖୁସି ଲାଗିଲା ଏବଂ ଘର ଲୋକ ମଧ୍ୟ ଖୁସି ଅଛନ୍ତି । ଆଗମୀ ଦିନରେ ସ୍ପେସିଆଲ ଅଲିମ୍ପିକ୍ସ ପାଇଁ ଆଶା ରଖିଛି, ଭାରତ ପାଇଁ ଖେଳିବି ଏବଂ ଗୋଲ୍ଡ ମେଡାଲ ଆଣି ଦେଶକୁ ଗର୍ବିତ କରିବି ବୋଲି ଆଶା ରଖିଛି ।" ଏହା ସହିତ ସେ କେବେ ହାର ନମାନି ଆଗକୁ ବଢିବାକୁ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି ଶୁଭ୍ରାଂଶୁ ।

'ପୁଅ ପାଇଁ ଗର୍ବିତ' :-

ଶୁଭ୍ରାଂଶୁଙ୍କ ବାପା ଏବଂ ମାଆ ନିଜ ପୁଅକୁ ନେଇ ଗର୍ବିତ ଥିବା ପ୍ରତିକ୍ରିୟା ରଖିଛନ୍ତି । ଶୁଭ୍ରାଂଶୁ ଯେତେବେଳେ ଡାଉନ ସିଣ୍ଡ୍ରୋମରେ ଆକ୍ରାନ୍ତ ହେଲା, ସେତେବେଳେ ଟିକିଏ ଅସୁବିଧା ହୋଇଥିଲା । କିନ୍ତୁ ହାର ନମାନି ତାକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଚେଷ୍ଟା କରିଥିବା କହିଛନ୍ତି ତାଙ୍କ ବାପା । ବର୍ତ୍ତମାନ ବୟସ 21 ହେଲାଣି, କିନ୍ତୁ ହାର ନମାନି ସେ ପ୍ରାକ୍ଟିସ କରୁଛନ୍ତି ଏବଂ ଖେଳରେ ଅଧିକ ଆଗ୍ରହ ରହିଥିବାରୁ ସେ ସମସ୍ତ ଖେଳରେ ଭାଗ ନେଉଥିବା ମଧ୍ୟ କହିଛନ୍ତି । ଖାସ କରି ଶଟ୍‌ପୁଟ ସହ ଦୌଡ଼ରେ ସେ ଅଧିକ ଧ୍ୟାନ ଦେଉଛନ୍ତି । ଗତ 2023 ଏବଂ ଚଳିତ ବର୍ଷ ଯେଉଁଭଳି ଭାବରେ ସେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ହେଉଥିବା ଜାତୀୟସ୍ତରୀୟ ଖେଳରେ ପ୍ରଦର୍ଶନ କରିଛନ୍ତି, ତାହା ଆଗକୁ ମଧ୍ୟ ଜାରି ରହିବ । ସେ ନିଶ୍ଚିତ ଭାବରେ ସ୍ପେସିଆଲ ଅଲିମ୍ପିକ୍ସ ଲାଗି ଚୟନ ହେବେ ଏବଂ ଅନ୍ତର୍ଜାତୀୟସ୍ତରରେ ପିଲାଙ୍କ ସହ ପ୍ରତିଦ୍ବନ୍ଦିତା କରି ଦେଶକୁ ଗୋଲ୍ଡ ମେଡାଲ ନିଶ୍ଚିତ ଆଣିବେ ବୋଲି ତାଙ୍କ ମାଆ ଆଶା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପାରାଲିମ୍ପିକ୍ସରେ ଆଶ୍ଚର୍ଯ୍ୟ ! ଦୁଇ ହାତ ନଥାଇ ପହଁରାରେ ଜିତିଲେ ସ୍ବର୍ଣ୍ଣ - Paris Paralympics 2024

ଏହା ମଧ୍ୟ ପଢ଼ନ୍ତୁ...ସାଉଥ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପ: ଭାରତର ପ୍ରତିନିଧିତ୍ବ କରିବେ ରାଉରକେଲାର ପୁଅ ପ୍ରତୀକ - South Asian Athletic Championship

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details