ହାଇଦ୍ରବାବାଦ: ବିଶ୍ୱରେ କ୍ରିକେଟର ବସ୍ ହେଉଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ସମଗ୍ର ବିଶ୍ୱରେ କ୍ରିକେଟର ପରିଚାଳନା ଦାୟିତ୍ୱ ଆଇସିସି ହାତରେ । ବିଶ୍ୱସ୍ତରରେ କ୍ରିକେଟର ପ୍ରଚାର ପ୍ରସାର ସହିତ କ୍ରିକେଟ ବିଶ୍ୱକପ ତଥା ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଆଜୋୟନ କରିଥାଏ ଆଇସିସି । ସେହିପରି ସର୍ବତ୍କୃଷ୍ଟ ଖେଳ ପାଇଁ ପୁରସ୍କର ମଧ୍ୟ ପ୍ରଦାନ କରିଥାଏ ଆଇସିସି ।
ଗତକାଲି ଆଇସିସି ପକ୍ଷରୁ ଭାରତୀୟ କ୍ରିକେଟ ଜଗତର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କୁ ବର୍ଷ 2024 ପାଇଁ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ସମ୍ମାନିତ କରାଯାଇଛି । ଦମଦାର, ଅବିଶ୍ୱସନୀୟ ତଥା ଚକିତ କଲା ଭଳି ପ୍ରଦର୍ଶନ ପାଇଁ ବୁମରାଙ୍କୁ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ଆଓ୍ବାର୍ଡ ମିଳିଛି । ବୁମରା 2024ରେ, 13ଟି ଟେଷ୍ଟ ମ୍ୟାଚ ଖେଳି 357 ଓଭର ବୋଲିଂ କରି 71ଟି ଓ୍ବିକେଟ ହାସଲ କରିଛନ୍ତି ।
ପ୍ରଥମ ଭାରତୀୟ ପେସର ଏବଂ ଦ୍ୱିତୀୟ ଭାରତୀୟ ବୋଲର ଭାବେ ଏହି ଆଓ୍ବାର୍ଡ ପାଇଛନ୍ତି । ବୁମରାଙ୍କ ଏହି ରେକର୍ଡ ପରେ ଭାରତ, ଅଷ୍ଟ୍ରେଲିଆ ସମକକ୍ଷ ହୋଇପାରିଛି । ଆଇସିସି ଆଓ୍ବାର୍ଡ ଜିତିବାରେ ଭାରତ ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ସମାନ ଖେଳାଳି ରହିଛନ୍ତି । ବୁମରାଙ୍କୁ ପୂର୍ବରୁ 5 ଜଣ ଭାରତୀୟ ଏହି ସମ୍ମାନ ପାଇଥିଲେ । ଏହି ଏଲିଟ୍ ଲିଷ୍ଟରେ ସାମିଲ ଥିଲେ, ରାହୁଲ ଦ୍ରାବିଡ (2004), ଗୌତମ ଗମ୍ଭୀର (2009), ବିରେନ୍ଦ୍ର ସେହଓ୍ବାଗ (2010), ରବିଚନ୍ଦ୍ରନ ଅଶ୍ୱିନ (2016) ଏବଂ ବିରାଟ କୋହଲି (2018) ।
ଏହା ସହିତ ଆଉ ଜଣେ ଭାରତୀୟ ଟି-20 ବୋଲର ଅର୍ଶଦୀପ ସିଂ ମଧ୍ୟ ଆଇସିସି ଟି-20 କ୍ରିକେଟର ଆଓ୍ବାର୍ଡ ଜିତିଛନ୍ତି । 2024ରେ ଅର୍ଶଦୀପ 18ଟି ମ୍ୟାଚ ଖେଳି 36ଟି ଓ୍ବିକେଟ ହାସଲ କରିଛନ୍ତି । ପ୍ରତି 10ଟି ବଲରେ ଗୋଟିଏ ଓ୍ବିକେଟ ହାତେଇଛନ୍ତି ଅର୍ଶଦୀପ ।
ତେବେ ଆସନ୍ତୁ ଜାଣିବା କେଉଁ କେଉଁ କ୍ରିକେଟର ଭାରତ ପାଇଁ କ୍ରିକେଟରରେ ଅତୁଳନୀୟ ଅବଦାନ ଦେଇ ଜିତିଛନ୍ତି ଆଇସିସି ଆଓ୍ବାର୍ଡ । 2004ରୁ 2024 ମଧ୍ୟରେ କେଉଁ କେଉଁ ଭାରତୀୟ କ୍ରିକେଟର ଜିତିଛନ୍ତି ଦେଖନ୍ତୁ ଏହି ଲିଷ୍ଟ ।
ଆଇସିସି ଆଓ୍ବାର୍ଡ ବିଜୟୀ ଭାରତୀୟ କ୍ରିକେଟର-
ରାହୁଲ ଦ୍ରାବିଡ (2004)- ପ୍ରଥମ ଭାରତୀୟ କ୍ରିକେଟ ଭାବେ ଆଇସିସି ଆଓ୍ବାର୍ଡ ଜିତିଥିଲେ ରାହୁଲ ଦ୍ରାବିଡ । 2004ରେ ଦ୍ରାବିଡ ଟେଷ୍ଟ୍ କ୍ରିକେଟର ଅଫ୍ ଦି ଇୟର ଏବଂ ଆଇସିସି କ୍ରିକେଟର ଅଫ୍ ଦି ଇୟର ଆଓ୍ବାର୍ଡ ଜିତିଥିଲେ । 12 ମ୍ୟାଚର 18ଟି ଇନିଂସ ଖେଳି 946 ରନ ସ୍କୋର କରିଥିଲେ ଦ୍ରାବିଡ । 63.06 ଆଭରେଜରେ ରନ ସ୍କୋର କରିଥିଲେ ଦ୍ରାବିଡ ।
ଇର୍ଫାନ ପଠାନ- (2004)- ଅଲରାଉଣ୍ଡର ଇର୍ଫାନ ପଠାନ 2004ରେ ଆଇସିସି ଏମର୍ଜିଂ କ୍ରିକେଟର ଅଫ୍ ଦି ଇୟର ଆଓ୍ବାର୍ଡ ଜିତିଥିଲେ । 2003ରେ ଟେଷ୍ଟ ଡେବ୍ୟୁ କରିଥିଲେ । ପରେ 2004ରେ 9ଟି ଟେଷ୍ଟରେ 38ଟି ଓ୍ବିକେଟ ନେଇଥିଲେ ଇର୍ଫାନ । ଏହା ସହିତ 210 ରନ ସ୍କୋର କରିଥିଲେ ଇର୍ଫାନ ।
ଏମ୍ ଏସ୍ ଧୋନୀ (2008, 2009, 2011)- ପ୍ରଥମ ଭାରତୀୟ ଅଧିନାୟକ ତଥା ବିଶ୍ୱର ମଧ୍ୟ ପ୍ରଥମ କ୍ରିକେଟର ଭାବେ ଧୋନୀ 3ଟି ଆଇସିସି ଟ୍ରଫି ହାସଲ କରିଛନ୍ତି । 2007 ଟି-20 ବିଶ୍ୱକପ, 2011 ଦିନିକିଆ ବିଶ୍ୱକପ ଏବଂ 2013 ଚମ୍ପିଆନ୍ସ ଟ୍ରଫି ଜିତି ରେକର୍ଡ କରିଛନ୍ତି ଧୋନୀ । ଏହା ସହିତ ଲଗାତାର ଦୁଇ ଥର ପାଇଁ ଆଇସିସି ଦିନିକିଆ କ୍ରିକେଟର ଆଓ୍ବାର୍ଡ ଜିତିଛନ୍ତି ଧୋନୀ । 2008 ଏବବଂ 2009ରେ ଏହି ସମ୍ମାନ ହାତେଇଥିଲେ ଧୋନୀ । ଏହା ସହିତ 2010 ଏବଂ 2011 ଆଇସିସି ଟେଷ୍ଟ୍ ଗଦା, ଭାରତ ହାତେଇଥିଲେ ଧୋନୀଙ୍କ ଅଧିନାୟକତ୍ୱରେ । ଏହା ସହିତ ଧୋନୀଙ୍କ ନେତୃତ୍ୱରେ ଭାରତ 2008 ଏବଂ 2010ରେ ବର୍ଡର-ଗାଭାସ୍କର ଟ୍ରଫି ଏବଂ 41 ବର୍ଷ ପରେ ନ୍ୟୁଜିଲାଣ୍ଡରେ ଐତିହାସିକ ଟେଷ୍ଟ ସିରିଜରେ ବିଜୟୀ ହୋଇଥିଲା ଭାରତ ।
ଯୁବରାଜ ସିଂ-2008- ଭାରତୀୟ ଷ୍ଟାର ବାମହାତୀ ବ୍ୟାଟର ଯୁବରାଜ ସିଂ ବର୍ଷ 2007ରେ ଅନ୍ତର୍ଜାତୀୟ ଟ୍ୱେଣ୍ଟି-20 ପର୍ଫମର ଆଓ୍ବାର୍ଡ ଜିତିଥିଲେ । 2007 ଟି-20 ବିଶ୍ୱକପରେ 6 ବଲରେ 6 ଛକା ମାରି ଇତିହାସ ରଚିଥିଲେ ଯୁବରାଜ ।