ପ୍ୟାରିସ (ଫ୍ରାନ୍ସ): ଶୁଟିଂରେ ଆଉ ଏକ ପଦକର ନିକଟତର ହେଲା ଭାରତ । ଆଜି ଭାରତୀୟ ଶୁଟର ସ୍ବପ୍ନୀଲ କୁସାଲେ 50 ମିଟର ରାଇଫଲ 3 ପୋଜିସନ୍ (ପୁରୁଷ) ଇଭେଣ୍ଟରେ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ବିଶ୍ବ ମାନ୍ୟତାରେ 62ତମ ସ୍ଥାନରେ ଥିବା ସ୍ବପ୍ନୀଲ କୁସାଲେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବାବେଳେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛନ୍ତି । ଏହି ଇଭେଣ୍ଟର ଫାଇନାଲ ଆସନ୍ତାକାଲି (ଗୁରୁବାର) ଖେଳାଯିବ । ଅନ୍ୟପଟେ ବିଶ୍ବ ମାନ୍ୟତାରେ 23ତମ ସ୍ଥାନରେ ଥିବା ଭାରତୀୟ ଷ୍ଟାର ଶୁଟର ଐଶ୍ବର୍ଯ୍ୟ ତୋମାର କିନ୍ତୁ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି । ସେ ଏହି ଇଭେଣ୍ଟରେ 11ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ।
ମନୁ ଭାକର ଏବଂ ସରବଜିତ ସିଂହ ପଦକ ଜିତିବା ପରେ ଶୁଟିଂରେ ଆଉ ଏକ ପଦକ ଆଣିବାକୁ ଆଶା ଦେଖାଇଛନ୍ତି ସ୍ବପ୍ନୀଲ କୁସାଲେ । ସେ 50 ମିଟର ରାଇଫଲ 3 ପୋଜିସନ୍ (ପୁରୁଷ) ଇଭେଣ୍ଟରେ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ଅନ୍ୟପଟେ ସ୍ବପ୍ନୀଲଙ୍କ ସାଥୀ ତଥା ଭାରତୀୟ ଷ୍ଟାର ଶୁଟର ଐଶ୍ବର୍ଯ୍ୟ ପ୍ରତାପ ସିଂ ତୋମାର ଦମଦାର ପ୍ରଦର୍ଶନ ସତ୍ତ୍ବେ ଫାଇନାଲ୍ ଫାଇଟ୍ରୁ ବାଦ ପଡ଼ିଛନ୍ତି । ପ୍ରଥମ ଦୁଇଟି ରାଉଣ୍ଡ ପର୍ଯ୍ୟନ୍ତ ଐଶ୍ବର୍ଯ୍ୟ ଫାଇନାଲ୍ ରେସ୍ରେ ରହି ଚମତ୍କାର ପ୍ରଦର୍ଶନ କରିଥିଲେ । ହେଲେ ଷ୍ଟାଣ୍ଡିଂ ଶୁଟ୍ରେ ସେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । ପ୍ରଥମ ଦୁଇ ରାଉଣ୍ଡ ପର୍ଯ୍ୟନ୍ତ 8 ନମ୍ବର ସ୍ଥାନରେ ରହିଥିବା ଐଶ୍ବର୍ଯ୍ୟ ପ୍ରତାପ ଷ୍ଟାଣ୍ଡିଂ ଶୁଟ୍ ଶେଷ ବେଳକୁ 11ତମ ସ୍ଥାନକୁ କସି ଯାଇଥିଲେ । ଶୀର୍ଷ 8 ଶୁଟର ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଥିବାରୁ ଐଶ୍ବର୍ଯ୍ୟ ଏଥିରେ ଫେଲ୍ ମାରିଛନ୍ତି ।