କଟକ:ପୁଣି ବିବାଦ ଘେରକୁ ଆସିଲା ଓଡିଶା କ୍ରିକେଟ ସଂଘ । ଓସିଏ ଚୟନ କମିଟିଙ୍କ ନାମରେ ସାଙ୍ଗାତିକ ଅଭିଯୋଗ ଆଣିଲେ କ୍ରିକେଟର । ଓଡିଶା ସିନିୟର ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ ଖେଳାଳି ଚୟନକୁ ନେଇ ଚୟନ କମିଟିକୁ କଲେ ଟାର୍ଗେଟ । ସିନିୟର ଖେଳାଳିଙ୍କୁ ଅଣଦେଖା କରାଯାଇ ଚୟନରେ ଅନିୟମିତତା ହେଉଥିବା ସେ ଅଭିଯୋଗ କରିଛନ୍ତି । ପ୍ରତିଭା ଓ ପ୍ରଦର୍ଶନ ଥିବା ସତ୍ତ୍ବେ ଟିମର ସ୍ଥାନ ମିଳୁନାହିଁ, ନିଜ ପରିଚିତ ଖେଳାଳିଙ୍କୁ ଚୟନକର୍ତ୍ତା ଟିମରେ ସ୍ଥାନ ଦେଉଥିବା ସେ କହିଛନ୍ତି ।
ସୂର୍ଯ୍ୟକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ପ୍ରଦର୍ଶନ ଥାଇ ମଧ୍ୟ ସୟିଦ ମୁସ୍ତାକ ଅଲି ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ମୋତେ ଚୟନ କରାଯାଇନାହିଁ । ଚୟନ କମିଟି ବ୍ୟାପକ ଅନିୟମିତତା କରି ନିଜ କ୍ଲବରୁ ପିଲାଙ୍କୁ ରଖୁଥିବା ଗଣମାଧ୍ୟମ ଆଗରେ କହିଛନ୍ତି ସୂର୍ଯ୍ୟକାନ୍ତ। ୧୨ବର୍ଷର କ୍ରିକେଟ କ୍ୟାରିୟର ଓ ୬୨ ମ୍ୟାଚ ଖେଳିଛନ୍ତି ସେ । ୧୮୭ ଟି ଓ୍ବିକେଟ ଓ ୧୨୮୦ ରନ କରିଛନ୍ତି ଅଲରାଉଣ୍ଡର ସୂର୍ଯ୍ୟକାନ୍ତ ।
IRREGULARITIES IN PLAYER SELECTION (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ- U23 ରାଜ୍ୟ ଏ କ୍ରିକେଟ: ୧୮ ଜଣିଆ ଓଡି଼ିଶା ଟିମ୍ ଘୋଷଣା କଲା OCA
ଏହା ମଧ୍ୟ ପଢନ୍ତୁ- କ୍ରିକେଟପ୍ରେମୀଙ୍କ ପକେଟକୁ ବାଧୁଛି ! OCA ଟିକେଟ ମୂଲ୍ୟରେ ରିହାତି ଦାବି
ବର୍ତ୍ତମାନ ଚୟନ କମିଟି ଅଧ୍ୟକ୍ଷ ଦାୟିତ୍ୱରେ ରହିଛନ୍ତି ଅମୀୟ ରାୟ । ଏହାସହ ୩ ଜଣ ସଦସ୍ୟ ମଧ୍ୟ ଏହି କମିଟିରେ ରହିଛନ୍ତି । ତେବେ ନିଜ କ୍ଳବରୁ ପିଲା ଆଣି ଓଡିଶା ଦଳରେ ଖେଳାଇଥିବା ଅଭିଯୋଗ କରିଛନ୍ତି ସୂର୍ଯ୍ୟକାନ୍ତ । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ଦିଗରେ ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଛନ୍ତି । କାହିଁକି ନା ବିସିସିଆଇ ଘରୋଇ ସିଜିନରେ ଦୀର୍ଘ ବର୍ଷ ଧରି ଖରାପ ପଦର୍ଶନ କରି ଆସୁଛି ଓଡି଼ଶା । ତେଣୁ ଏବେଠୁ ଓସିଏ ଚୟନ କମିଟି ଦିଗରେ ସମ୍ପାଦକ ଓ କମିଟି ଦୃଷ୍ଟି ନଦେଲେ ଓଡି଼ଶା କ୍ରିକେଟ ନିନ୍ଦା ପରିସର ଭୁକ୍ତ ହେବ ବୋଲି କହିଛନ୍ତି ସୂର୍ଯ୍ୟକାନ୍ତ । ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଓସିଏ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।
ସୂର୍ଯ୍ୟକାନ୍ତ କହିଛନ୍ତି, ''ନିକଟରେ ସୟିଦ ମୁସ୍ତାକ ଅଲି ଟ୍ରଫି ସରିଛି । ସେଥିରେ ଦଳ ହାରିଛି । ଓପିଏଲରେ ମୋ ପ୍ରଦର୍ଶନ ଭଲ ଥିଲା । କିନ୍ତୁ ମୋତେ ଚୟନ କରାଗଲା ନାହିଁ । ଆଜିଠୁ ବିଜୟ ଟ୍ରଫି ଆରମ୍ଭ ହୋଇଛି, ସେଥିରେ ମଧ୍ୟ ମୋ ନାମ ନାହିଁ । ଚୟନ କମିଟିକୁ ମୁଁ ସିଧାସଳଖ କହୁଛି । ମୋ ନାମ କାହିଁକି ଚୟନ କରାଯାଉନାହିଁ । ଯେଉଁ ମାନେ ଭଲ ପ୍ରଦର୍ଶନ କରୁନାହାନ୍ତି ତାଙ୍କ ନାମ ରହିଛି । ତାଙ୍କର କ୍ଲଲ ବୋଲି ତାଙ୍କ ପିଲାଙ୍କୁ ଚୟନ କଲେ । ଅମୀୟ ରାୟଙ୍କ କ୍ଲବର ଜଣେ ପିଲାର ସିଲେକ୍ସନ ହୋଇଛି । ''
ଇଟିଭି ଭାରତ, କଟକ