ଭୁବନେଶ୍ବର: ଆସନ୍ତାକାଲି ଆଉ ଏକ ଦମଦାର ଫୁଟବଲ ଲଢେଇ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ । ଇଷ୍ଟ ବେଙ୍ଗଲକୁ ଭେଟିବ ଓଡ଼ିଶା ଏଫ୍ସି । ଜାରି ରହିଥିବା ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସ୍ଏଲ୍) ପଏଣ୍ଟ୍ ଟେବୁଲର ଶୀର୍ଷରେ ଥିବା ଓଡ଼ିଶା ଏଫ୍ସି ଆସନ୍ତାକାଲି (ଗୁରୁବାର) ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଇଷ୍ଟ ବେଙ୍ଗଲ ଏଫ୍ସିକୁ ଭେଟିବ । ଏହି ମ୍ୟାଚ୍ରେ ଓଡ଼ିଶା ଦଳକୁ ସମର୍ଥନ ଯୋଗାଇବା ପାଇଁ କଳିଙ୍ଗ ଷ୍ଟାଡିୟମରେ ପ୍ରବଳ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିବାର ଆଶା କରାଯାଉଛି । ଚଳିତ ଆଇଏସ୍ଏଲ୍ ସିଜିନ୍ରେ ମଧ୍ୟ ଓଡ଼ିଶା ଦମଦାର ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଓଡ଼ିଶା ଏଫ୍ସି କଳିଙ୍ଗ ଷ୍ଟାଡିୟମରେ ଇଷ୍ଟ୍ ବେଙ୍ଗଲ୍ ଏଫ୍ସି ଦଳକୁ ଭେଟିବ । ବହୁ ପ୍ରତୀକ୍ଷିତ ଏହି ମ୍ୟାଚ୍ ଆସନ୍ତାକାଲି (ଗୁରୁବାର) ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ । ଓଡ଼ିଶା ଏଫ୍ସି ଚଳିତ ଆଇଏସ୍ଏଲ୍ରେ ୧୬ଟି ମ୍ୟାଚ୍ ଖେଳି ୩୨ ପଏଣ୍ଟ୍ ହାସଲ କରିଛି । ସେହିପରି ଲଗାତାର ୧୨ଟି ମ୍ୟାଚ୍ରେ ଅପରାଜିତ ରହିବାର ଧାରା ବଜାୟ ରଖିଛି । ଅନ୍ୟପକ୍ଷରେ ସମାନ ସଂଖ୍ୟକ ମ୍ୟାଚ୍ରୁ ୧୮ ପଏଣ୍ଟ୍ ପାଇ ଇଷ୍ଟ ବେଙ୍ଗଲ୍ ଲିଗ୍ରେ ପଏଣ୍ଟ ଟେବୁଲ୍ରେ ୮ମ ସ୍ଥାନରେ ରହିଛି । ନିକଟରେ କଳିଙ୍ଗ ସୁପର କପ୍ର ରୋମାଞ୍ଚକ ଫାଇନାଲରେ ଓଡ଼ିଶା ଏଫ୍ସି ଇଷ୍ଟ ବେଙ୍ଗଲ୍ ଠାରୁ ୨-୩ ଗୋଲ ବ୍ୟବଧାନରେ ପରାସ୍ତ ହୋଇଥିଲା । ଘରୋଇ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସି ସେହି ପରାଜୟର ପ୍ରତିଶୋଧ ନେବା ସହ ଆଇଏସ୍ଏଲ୍ରେ ନିଜର ଅପରାଜିତ ରେକର୍ଡକୁ ଆହୁରି ଆଗକୁ ବଢ଼ାଇବା ପାଇଁ ପଡ଼ିଆକୁ ଓହ୍ଲାଇବ ।