ନୂଆଦିଲ୍ଲୀ:ବିଜୟରୁ ଆରମ୍ଭ ପରାଜୟରେ ଶେଷ । ଚଳିତ ଆଇପିଏଲରେ ଉଦଘାଟନୀ ମୁକାବିଲାରେ ବିଜୟରୁ ଅଭିଯାନ ଆରମ୍ଭ କରି ଶେଷ ମ୍ୟାଚରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ ଶେଷ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଦଳର ପ୍ଲେ ଅଫ ଆଶା ମଧ୍ୟ କ୍ଷୀଣ ହୋଇଛି । ଏଥିସହ ମହେନ୍ଦ୍ର ସିଂ ଧୋନିଙ୍କ ଆଇପିଏଲର ଯାତ୍ରା ଶେଷ ହୋଇଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । କିନ୍ତୁ ଦଳର ପରାଜୟ ସହ ଧୋନିଙ୍କ ବିଦାୟ ଚର୍ଚ୍ଚାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପ୍ରଶଂସକ ।
ଅନ୍ୟପଟେ ଏମଏସ ଧୋନି 2025ରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳିବେ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ରବିନ ଉଥାପା । ''ସେ ଏପରି ବ୍ୟକ୍ତି ନୁହନ୍ତି ଯିଏକି ହୃଦୟ ଭାଙ୍ଗିବା ପରେ ଅସଫଳତାକୁ ଏତେ ସହଜରେ ନେବେ ସେ ନିଶ୍ଚୟ 2025 ଆଇପିଏଲ ଖେଳିବେ ।'' ଋତୁରାଜଙ୍କୁ କ୍ୟାପଟେନ ହିସାବରେ ଦକ୍ଷତା ବୃଦ୍ଧି କରିବାକୁ ଧୋନିଙ୍କୁ ଆଉ ଗୋଟିଏ ସିଜିନ ଖେଳିବା ଆବଶ୍ୟକ ବୋଲି କହିଛନ୍ତି ରାଇନା ।
ଏହା ମଧ୍ୟ ପଢନ୍ତୁ-ସାଥ ଦେଲା ଭାଗ୍ୟ, ଚେନ୍ନାଇକୁ ହରାଇ ପ୍ଲେ ଅଫରେ ବେଙ୍ଗାଲୁରୁ - IPL 2024
କ'ଣ ଆଗକୁ ଆଉ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ ଧୋନିଙ୍କ ହେଲିକପ୍ଟର ସଟ ? ଗତକାଲି ଆରସିବି ବିପକ୍ଷରେ ଖେଳାଯାଇଥିବା ମ୍ୟାଚ କ'ଣ ଏମଏସଡିଙ୍କ ଶେଷ ଆଇପିଏଲ ସିଜିନ ଥିଲା ? ଏମିତି ପ୍ରଶ୍ନ ସମସ୍ତ ମନରେ ଉଙ୍କି ମାରୁଛି । ଧୋନି ନିଜ ପକ୍ଷରୁ ଆଇପିଏଲରୁ ଅବସର ନେଇ ଘୋଷଣା କରିନଥିଲେ ମଧ୍ୟ ପ୍ରଶଂସକମାନେ ଗତକାଲିର ମ୍ୟାଚ ଶେଷ ମ୍ୟାଚ ଭାବି ନେଇଛନ୍ତି । ଯଦି ସିଏସକେ ପ୍ଲେ ଅଫରେ ପ୍ରବେଶ କରି ଚାମ୍ପିଅନ୍ ହୋଇଥାନ୍ତା କିମ୍ବା ଫାଇନାଲରେ ପ୍ରବେଶ କରିଥାନ୍ତା, ତେବେ ଧୋନିଙ୍କୁ ବଡ ଇଭେଣ୍ଟରେ ବିଦାୟ ମିଳିଥାନ୍ତା ।
ଆରସିବି ବିପକ୍ଷରେ ପରାଜୟ ପରେ ଧୋନିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେତେବେଳେ ବିଜୟର ଆଶା ଧୀରେ ଧୀରେ କ୍ଷୀଣ ହେଉଥିଲା ସେତେବେଳ ସେ ଭାବୁକ ହୋଇପଡିଥିବା ଭଳି ମନେ ହେଉଥିଲା । ଶେଷ ଓଭରର 3ଟି ବଲରେ ଦଳକୁ 11 ରନ ଆବଶ୍ୟକ ଥିଲା । ଶେଷ ଓଭରର ପ୍ରଥମ ବଲରେ ଛକା ମାରିବା ପରେ ଦ୍ବିତୀୟ ବଲରେ ଧୋନି ଆଉଟ୍ ହୋଇଥିଲେ । ଗତକାଲି ସେ 8 ନମ୍ବରରେ ବ୍ୟାଟିଂ କରିବାକୁ ଆସି 13 ବଲରେ 25 ରନ କରିଥିଲେ । ଏଥିର 3ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି ।