ନୂଆଦିଲ୍ଲୀ : ଆଇପିଏଲ୍ ଭଳି ଲିଗ୍ ବ୍ୟତୀତ ବିଭିନ୍ନ ଦେଶର ଘରୋଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ବିଦେଶୀ ଖେଳାଳିଙ୍କ ପାଇଁ ଏକ ସାଧାରଣ କଥା । ଯେପରି ଅନ୍ତର୍ଜାତୀୟ ଖେଳାଳିମାନେ ଇଂଲଣ୍ଡର କାଉଣ୍ଟି ଚାମ୍ପିୟନସିପ୍ ଏବଂ ଅଷ୍ଟ୍ରେଲିଆର ଶେଫିଲ୍ଡ ସିଲ୍ଡ ପରି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରନ୍ତି । କିନ୍ତୁ ବିଦେଶୀ ଖେଳାଳିଙ୍କୁ ଭାରତର ରଣଜୀ ଟ୍ରଫି କିମ୍ବା ଦୁଲୀପ ଟ୍ରଫି ଭଳି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଅନୁମତି ନାହିଁ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ବିଦେଶୀ ଖେଳାଳିଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଅନୁମତି ଦିଏ ନାହିଁ । ଭାରତୀୟ କ୍ରିକେଟର ବିକାଶ ପାଇଁ ଏହି ରଣନୀତି ଗ୍ରହଣ କରାଯାଇଛି । ଦେଶରେ ଥିବା ପ୍ରତିଭାବାନ ଖେଳାଳିଙ୍କୁ ଆଗକୁ ଆଣିବା ପାଇଁ ଏପରି ନିଷ୍ପତ୍ତି ନେଇଛି ବିସିସିଆଇ । ଯେହେତୁ ଦେଶରେ ଅନେକ କ୍ରିକେଟର ଅଛନ୍ତି, ବୋର୍ଡ ବିଶ୍ବାସ କରେ ଯେ ଦୁଲୀପ୍ ଟ୍ରଫି ଏବଂ ରଣଜୀ ଟ୍ରଫି କେବଳ ଭାରତୀୟ ଖେଳାଳି ହିଁ ଖେଳିବା ଉଚିତ୍ ।
ବିଦେଶୀ କ୍ରିକେଟରଙ୍କୁ କାହିଁକି ମିଳେନି ଭାରତରେ ମୌକା ? :-
ରଣଜୀ ଟ୍ରଫିରେ ବିଦେଶୀ ଖେଳାଳିଙ୍କୁ ଖେଳିବାକୁ ଅନୁମତି ନଦେବା ପଛର କାରଣ ସ୍ପଷ୍ଟ । ବିସିସିଆଇ ଚାହୁଁଛି ଯେ ଭାରତୀୟ ଖେଳାଳିମାନେ ସେମାନଙ୍କର ପ୍ରତିଭା ଏବଂ ଦକ୍ଷତା ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ପାଆନ୍ତୁ ଏବଂ ସେମାନଙ୍କର ପ୍ରତିଭା ଏବଂ ଉତ୍କୃଷ୍ଟ ପ୍ରଦର୍ଶନ ଦେଖାଇ ସେମାନେ ସହଜରେ ଜାତୀୟ ଦଳରେ ସ୍ଥାନ ପାଇପାରିବେ । ଏହା ଭାରତୀୟ ଯୁବ ଖେଳାଳିଙ୍କ ଭବିଷ୍ୟତକୁ ସୁରକ୍ଷା ଦେଇଥାଏ । କୌଣସି ଅନ୍ତର୍ଜାତୀୟ ଖେଳାଳି ସେମାନଙ୍କ ସ୍ଥାନ ନେଇ ପାରିବେ ନାହିଁ । ଭାରତୀୟ ଘରୋଇ କ୍ରିକେଟରେ ବିପୁଳ ପ୍ରତିଯୋଗିତା ରହିଛି । ଯେଉଁଥିରେ ଦେଶର 38ଟି ଦଳ ଅଂଶଗ୍ରହଣ କରନ୍ତି । ବିସିସିଆଇର ରଣନୀତି ନିଶ୍ଚିତ କରିଛି ଯେ ଏହି ପ୍ରତିଯୋଗିତା ଭବିଷ୍ୟତର ଅନ୍ତର୍ଜାତୀୟ ତାରକାମାନଙ୍କ ପାଇଁ ଏକ କଠୋର ପରୀକ୍ଷଣ କ୍ଷେତ୍ର ହୋଇ ରହିବ । ତେଣୁ ଏଥିରେ ବିଦେଶୀ ଖେଳାଳିଙ୍କୁ ଅଂଶଗ୍ରହଣ କରିବାର ଅନୁମତି ନାହିଁ ।