କାନପୁର (ଉତ୍ତର ପ୍ରଦେଶ):ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବାଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ଇନ୍ଦ୍ରଦେବଙ୍କ କୋପଦୃଷ୍ଟି ପଡ଼ିଛି । ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବର୍ଷା ହେତୁ କେବଳ 35 ଓଭର ଖେଳାଯାଇପାରିଥିଲା । ଏହାପରେ ଗତକାଲି ସକାଳରୁ ଲଗାଣ ବର୍ଷା ଯୋଗୁଁ ଦ୍ବିତୀୟ ଦିନର ମ୍ୟାଚ୍ ସ୍ଥଗିତ ରହିଥିଲା । ଏହାପରେ ଆଜି ମ୍ୟାଚ୍ର ତୃତୀୟ ଦିନରେ ମଧ୍ୟ ଅବସ୍ଥା ସମାନ । ଗୋଟିଏ ବି ବଲ୍ ପଡ଼ି ନପାରି ମ୍ୟାଚ୍ର ତୃତୀୟ ଦିନ ଖେଳ ସ୍ଥଗିତ ରଖାଯାଇଛି । ଏଭଳି ସ୍ଥିତିରେ ମ୍ୟାଚ୍ରେ ଆଉ କେବଳ ଦୁଇ ଦିନ ବାକି ରହିଥିବାରୁ ଏହାର ଫଳାଫଳ ଆସିବା ମୁସ୍କିଲ ।
3 ଥର ନିରୀକ୍ଷଣ ଅମ୍ପାୟାର :-
ଆଜି (ରବିବାର) ସକାଳ ପ୍ରାୟ 10ଟା ସମୟରେ ଅମ୍ପାୟାରଙ୍କ ଦ୍ବାରା ଗ୍ରାଉଣ୍ଡ ଯାଞ୍ଚ କରାଯାଇଥିଲା । ଯଦିଓ ବର୍ଷା ହେଉନଥିଲା, ହେଲେ ଭୂମି ସମ୍ପୂର୍ଣ୍ଣ ଶୁଖିଲା ନଥିବାରୁ ଖେଳ ହୋଇପାରିନଥିଲା । ଦ୍ବିତୀୟ ଥର ପାଇଁ ଦିନ 12ଟାରେ ଏବଂ ଏହା ପରେ 2 ଟାରେ ପୁନର୍ବାର ଗ୍ରାଉଣ୍ଡ ଯାଞ୍ଚ କରାଯାଇଥିଲା । ହେଲେ ଗ୍ରାଉଣ୍ଡର ଏପରି ସ୍ଥିତିରେ ନଥିଲା ଯେ, ଆଜି ପୁଣି ମ୍ୟାଚ୍ ଆରମ୍ଭ ହୋଇପାରିଥାନ୍ତା । ଶେଷରେ ବର୍ଷା ନଥାଇ ମଧ୍ୟ ସମ୍ପୂର୍ଣ୍ଣ ଓଦା ଗ୍ରାଉଣ୍ଡ କାରଣରୁ ତୃତୀୟ ଦିନର ଖେଳକୁ ମଧ୍ୟ ସ୍ଥଗିତ ରଖାଯାଇଛି ।
ମ୍ୟାଚ୍ର ଫଳାଫଳ ଆସିବା ମୁସ୍କିଲ :-
ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଭାରତ ଜିତିଛି । ହେଲେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ର ଫଳାଫଳ ଆସିବା କଷ୍ଟସାଧ୍ୟ ମନେହୁଏ । କାରଣ ପ୍ରଥମ ଦିନରେ କେବଳ 35 ଓଭର ଖେଳାଯାଇପାରିଥିଲା । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ ତିନି ୱିକେଟ୍ ହରାଇ 107 ରନ୍ ସଂଗ୍ରହ କରିଥିଲା । ହେଲେ ଏହାପରେ ଲଗାତାର ଦୁଇଦିନ ଖେଳରେ ଗୋଟିଏ ବି ବଲ୍ ପଡ଼ିପାରିନାହିଁ ।
ଏବେ ଯଦି ଚତୁର୍ଥ ଦିନରୁ ମ୍ୟାଚ୍ ଆରମ୍ଭ ହୁଏ, ତେବେ ମ୍ୟାଚର ଫଳାଫଳ ପାଇବା ବହୁତ କଷ୍ଟସାଧ୍ୟ ହେବ । କାରଣ ଏପର୍ଯ୍ୟନ୍ତ ବାଂଲାଦେଶର ପ୍ରଥମ ପାଳିର ଅଧା ମଧ୍ୟ ଖେଳ ଶେଷ ହୋଇନାହିଁ । ତେଣୁ ଭାରତୀୟ ଦଳକୁ ଯଥାଶୀଘ୍ର ବାଂଲାଦେଶକୁ ଅଲ୍ଆଉଟ୍ କରି ପ୍ରଥମ ପାଳିରେ ବଡ଼ ଲିଡ୍ ହାସଲ କରିବାକୁ ହେବ । ଏହାପରେ, ପୁନର୍ବାର ବ୍ୟାଟିଂ କରିବ ବାଂଲାଦେଶ । ତେଣୁ ଦୁଇ ଦିନ ମଧ୍ୟରେ ଟେଷ୍ଟ ମ୍ୟାଚ୍ର ଫଳାଫଳ ପ୍ରାୟ ସମ୍ଭବ ନୁହେଁ ।