ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି 2025 ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ, ସେନେଇ ବିସିସିଆଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ହେଲେ ବିଭିନ୍ନ ସ୍ତରରେ ଏହାକୁ ନେଇ ବିଭିନ୍ନ ପ୍ରକାର ମତ ପ୍ରକାଶ ପାଉଛି । ଯଦିଓ ପ୍ରତି ପାକିସ୍ତାନୀ ଚାହାଁନ୍ତି ଯେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତ କରୁ, ହେଲେ ଭାରତ ହାଇବ୍ରିଡ ମଡେଲରେ ଖେଳିବାକୁ ଚାହୁଁଥିବା ମଧ୍ୟ ମିଡିଆ ରିପୋର୍ଟ ପ୍ରକାଶ ପାଉଛି । ଏଭଳି ସ୍ଥିତିରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ସହ ଭାରତୀୟ ସୁରକ୍ଷା ବଳ ପାକିସ୍ତାନ ଯାଇପାରିବ କି ? ଏନେଇ ପୂର୍ବରୁ ଆମେ ଏକ ଖବର ପ୍ରକାଶ କରିଛୁ । ତେବେ ଭାରତର ପାକିସ୍ତାନ ଗସ୍ତ ଉପରେ ନିଜ ମତ ରଖିଛନ୍ତି ପୂର୍ବତନ କ୍ରିକେଟର ତଥା ଆପ୍ ସାଂସଦ ହରଭଜନ ସିଂହ ।
ସୁରକ୍ଷା ସୁନିଶ୍ଚିତ ହେଲେ ସରକାର ବିଚାର କରନ୍ତୁ :- ହରଭଜନ ସିଂହ
ଭାରତର ଗସ୍ତକୁ ନେଇ ପାକିସ୍ତାନ ଆଗରେ ଏକ ସର୍ତ୍ତ ରଖିଛନ୍ତି ହରଭଜନ ସିଂହ । 'ସ୍ପୋର୍ଟସ୍ ତକ୍' ସହିତ କଥାବାର୍ତ୍ତା ବେଳେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ କହିଛନ୍ତି ଯେ ଭାରତ କେବଳ ଗୋଟିଏ ସର୍ତ୍ତରେ ପାକିସ୍ତାନ ଯାତ୍ରା କରିବା ଉଚିତ୍ । ସର୍ତ୍ତଟି ହେଉଛି, ପାକିସ୍ତାନ ଭାରତୀୟ ଦଳକୁ ସ୍ବତନ୍ତ୍ର ଭାବେ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଉ । ହରଭଜନ କହିଛନ୍ତି, "ଯଦି ଭାରତୀୟ ଦଳର ସୁରକ୍ଷା ସୁନିଶ୍ଚିତ ନହୁଏ, ତେବେ ଦଳ ପାକିସ୍ତାନ ଯିବା ଉଚିତ ନୁହେଁ । ଯଦି ଅଧିକାରୀମାନେ କୁହନ୍ତି ଯେ ଦଳଗୁଡିକ ସମ୍ପୂର୍ଣ୍ଣ ସୁରକ୍ଷା ପାଇବେ, ତେବେ ସରକାର ଏହା ବିଷୟରେ ଚିନ୍ତା କରିବା ଉଚିତ ଏବଂ ନିଷ୍ପତ୍ତି ନେବା ଉଚିତ୍ । କାରଣ ଏହି ବିଷୟ କେବଳ କ୍ରିକେଟ୍ ସହ ଜଡିତ ନୁହେଁ, ବରଂ ଏହାଠାରୁ ମଧ୍ୟ ବହୁ ଦୂରକୁ ଭାବିବା ଉଚିତ । ସେମାନେ ଯାହା କହୁଛନ୍ତି ତାହା ଠିକ୍ ବୋଲି ଭାବୁଛନ୍ତି, ଅନ୍ୟପଟେ ଆମେ ଯାହା କହୁଛୁ, ତାହା ହେଉଛି ଆମର ଦୃଷ୍ଟିକୋଣ । ମୁଁ ଭାବୁଛି ସୁରକ୍ଷା ଚିନ୍ତା ସବୁବେଳେ ଥାଏ ଏବଂ ଯଦି ଖେଳାଳିଙ୍କ ସୁରକ୍ଷା ସୁନିଶ୍ଚିତ ହୁଏ ନାହିଁ, ମୁଁ ଭାବୁଛି ଦଳ ସେଠାକୁ ଯିବା ଉଚିତ୍ ନୁହେଁ ।"
ଭାରତୀୟ ଦଳ ପାକିସ୍ତାନ ଆସିବା ଉଚିତ ନୁହେଁ :- ଦାନିଶ କନେରିଆ