ହାଇଦ୍ରାବାଦ: ଆସନ୍ତା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିଅନ୍ସ ଟ୍ରଫି 2025 । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ -ପିସିବି ପ୍ରସ୍ତୁତିକୁ ଜୋରସୋରେ କରିଛି । ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି କ୍ରୀଡାପ୍ରେମୀ । ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଖେଳର ଟିକେଟ ଦର ଘୋଷଣା କରିଛି । ସବୁଠାରୁ ଶସ୍ତା ଟିକେଟ୍ ଦର ପାକିସ୍ତାନ ମୁଦ୍ରାରେ 1000 ଟଙ୍କା ରହିଛି । ଯାହା ଭାରତୀୟ ମୁଦ୍ରାରେ 310 ଟଙ୍କା । ଭାରତରେ ଏକ କେଜି ପନିରର ଦର 400 ଥିବା ବେଳେ ତାଠାରୁ ମଧ୍ୟ ଟିକେଟର ଦର କମ ରହିଛି ।
ପିଟିଆଇର ରିପୋର୍ଟ ଅନୁଯାୟୀ, କରାଚୀ, ଲାହୋର ଏବଂ ରାୱଲପିଣ୍ଡିରେ ହେବାକୁ ଥିବା ଗ୍ରୁପ୍-ଷ୍ଟେଜ୍ ମ୍ୟାଚ୍ ପାଇଁ ପିସିବି ସର୍ବନିମ୍ନ ଟିକେଟ୍ ମୂଲ୍ୟ 1000 (PKR) ରଖିଛି । ରାୱଲପିଣ୍ଡିରେ ପାକିସ୍ତାନ ବନାମ ବାଂଲାଦେଶ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ 2000 ପିକେଆର୍ ( ଭାରତୀୟ ମୂଲ୍ୟ 620 ) ରୁ ଆରମ୍ଭ । ସେମି-ଫାଇନାଲ୍ ଟିକେଟ୍ ଦର ପାକିସ୍ତାନୀ ମୁଦ୍ରାରେ 2500 ରହିଛି । ଯାହା ଭାରତୀୟ ମୁଦ୍ରାରେ 776 ଟଙ୍କା ।
ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ, ଏହିଠାରେ ହେବ ମ୍ୟାଚ - Champions Trophy 2025 - CHAMPIONS TROPHY 2025
ପ୍ରିମିୟମ୍ ଭ୍ୟୁ ଅଭିଜ୍ଞତା ପାଇବା ପାଇଁ, ଗ୍ରୁପ୍-ଷ୍ଟେଜ୍ ମ୍ୟାଚ ପାଇଁ ଭିଭିଆଇପି ଟିକେଟ୍ ଦର ପିକେଆର 12000 ( ଭାରତୀୟ ମୁଦ୍ରା 3726 ଟଙ୍କା) ରହିଛି ଓ ସେମି-ଫାଇନାଲ୍ ପାଇଁ ଟିକେଟ ମୂଲ୍ୟ ପିକେଆ 25000 ( ଭାରତୀୟ ମୁଦ୍ରା 7764) ରେ ଉପଲବ୍ଧ ହେବ। ପ୍ରିମିୟର୍ ଷ୍ଟାଣ୍ଡ ପାଇଁ ଟିକେଟ୍ ମୂଲ୍ୟ ସ୍ଥାନ ଉପରେ ନିର୍ଭର କରି ପିକେଆର 3500 ରୁ ପିକେଆର 7000 (ଭାରତୀୟ ମୁଦ୍ରା (1086– 2170) ପର୍ଯ୍ୟନ୍ତ ହୋଇପାରେ।
ଟିମ୍ ଇଣ୍ଡିଆ ସହ ହେବାକୁ ଥିବା ମ୍ୟାଚ ଦର ପ୍ରକାଶ ପାଇନି:
ଚାମ୍ପିଅନ୍ସ ଟ୍ରଫିରେ ଭାରତର ଖେଳିବାକୁ ଥିବା ସମସ୍ତ ମ୍ୟାଚ ଦୁବାଇରେ ଖେଳାଯିବ । କିନ୍ତୁ ଏହି ମ୍ୟାଚ୍ ପାଇଁ ଟିକେଟ୍ ଦର ବର୍ତ୍ତମାନ ସୁଦ୍ଧା ପ୍ରକାଶ କରାଯାଇ ନାହିଁ। ଚଳିତ ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ଆୟୋଜକ ପାକିସ୍ତାନ ସମେତ 8ଟି ଦଳ ସାମିଲ ହେବେ । ସେହି ଦଳ ଗୁଡିକ ହେଉଛି ପାକିସ୍ତାନ, ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ବାଂଲାଦେଶ ଏବଂ ଆଫଗାନିସ୍ତାନ। ଏହା ପ୍ରଥମ ଥର ହେବ ଯେତେବେଳେ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍ ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ଅଂଶ ହେବେ ନାହିଁ। ଆଇସିସି ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ 19 ରେ ଆରମ୍ଭ ହୋଇ ମାର୍ଚ୍ଚରେ 9ରେ ଶେଷ ହେବ। ବହୁ ପ୍ରତୀକ୍ଷିତ ଭାରତ ବନାମ ପାକିସ୍ତାନ ମୁକାବିଲା ଫେବୃଆରୀ 23 ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।