ଖୋର୍ଦ୍ଧା:ଉଦଯାପିତ ହେଲା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁଶପଲ୍ଲା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମରେ ଚାଲିଥିବା ୩୭ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜ୍ୟରୁ ଫୁଟବଲ ଖେଳାଳିମାନେ ଯୋଗ ଦେଇଥିଲେ ।
ଗତକାଲି(ଗୁରୁବାର)ଦିନ ଏହି ଟୁର୍ଣ୍ଣାମେଣ୍ଟ ଶେଷ ଦିନ ରହିଥିଲା । ଫାଇନାଲ ମ୍ୟାଚରେ ଖେଳ ୟଙ୍ଗ ଉତ୍କଳ କଟକ ଏବଂ କଲିକତା ହାୱାଡା ଫ୍ରେଣ୍ଡସ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଟକ ୟଙ୍ଗ ଉତ୍କଳ ୩-୦ଗୋଲରେ ହାୱାଡା ଫ୍ରେଣ୍ଡସ କ୍ଲବକୁ ହରାଇ ଚମ୍ପିଆନ ହୋଇଛି । ଖେଳ ପ୍ରଥମାର୍ଦ୍ଧରେ ୟଙ୍ଗ ଉତ୍କଳ କଟକର ୮୧ ନମ୍ବର ଖେଳାଳୀ ଗଣେଶ ସେଠୀ ୨ଟି ଗୋଲ କରିଥିଲେ । ପ୍ରଥମାର୍ଦ୍ଧ ଖେଳ ଶେଷସୁଦ୍ଧା ହାୱାଡା ଫ୍ରେଣ୍ଡସ କ୍ଲବ ଗୋଲ କରି ପାରିନଥିଲା ।
ସେହିପରି ଦ୍ଵିତୀୟାର୍ଦ୍ଧ ଖେଳ ଆରମ୍ଭରୁ ଉଭୟ ଦଳ ସଂଘର୍ଷ ପୂର୍ଣ୍ଣ ଖେଳ ଜାରି ରଖିଥିଲେ । ଖେଳ ଶେଷବେଳକୁ ୟଙ୍ଗ ଉତ୍କଳ କଟକ ଆଉ ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା । ଖେଳ ଶେଷସୁଧା ହାୱାଡା ଫ୍ରେଣ୍ଡସ କ୍ଲବ କଲିକତା ଗୋଟିଏ ମଧ୍ୟ ଗୋଲ କରିବାରେ ସଫଳ ହୋଇନଥିଲା । ଏହି ମ୍ୟାଚରେ ରେଫରି ଭାବେ ରାଜୁ ମହାନ୍ତି ଓ ଲାଇନରେ ପ୍ରିୟବ୍ରତ ବାହିନୀପତି, ବିଦେଶୀ ନାୟକ ପରିଚାଳନା କରିଥିଲେ । ୪ର୍ଥ ରେଫରି ଭାବେ ସଗିର ଅହମ୍ମଦ ଓ ମ୍ୟାଚ କମିଶନର ଭାବେ ଅବଦୁଲ ଦୈୟାନ ଖାଁ ଦାୟିତ୍ୱ ବହନ କରିଥିଲେ ।