କାବୁଲ (ଆଫଗାନିସ୍ତାନ) : 3 ଅକ୍ଟୋବରରେ ଆଫଗାନିସ୍ତାନର ଷ୍ଟାର ସ୍ପିନର ରସିଦ ଖାନ କାବୁଲରେ ଏକ ଭବ୍ୟ ସମାରୋହରେ ବିବାହ କରିଛନ୍ତି । ଏହି ବିବାହରେ ଆଫଗାନିସ୍ତାନର ବହୁ କ୍ରିକେଟର ଯୋଗ ଦେଇଥିଲେ । ଏହି ବିବାହ ସମୟର ଫଟୋକୁ ଆଫଗାନୀ ଭେଟେରାନ ଅଲରାଉଣ୍ଡର ମହମ୍ମଦ ନବୀଙ୍କ ସମେତ ଏକାଧିକ କ୍ରିକେଟର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ରଶିଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭବ୍ୟ ଆୟୋଜନରେ କଲେ ବିବାହ :-
ଖବର ଅନୁଯାୟୀ ରଶିଦଙ୍କ ସହ ଗୋଟିଏ ଦିନରେ ତାଙ୍କର ଅନ୍ୟ 3 ଭାଇ ମଧ୍ୟ ବିବାହ କରିଛନ୍ତି । ହୋଟେଲ ବାହାର ବାଜା ଓ ବାଣରେ କମ୍ପୁଥିବା ଭିଡିଓ ମଧ୍ୟ ବେଶ ଭାଇରାଲ ହେଉଛି । 4 ଭାଇଙ୍କ ବିବାହରେ ଆଫଗାନିସ୍ତାନ କ୍ରିକେଟ ଦଳ ପାଇଁ ଖେଳୁଥିବା ତାଙ୍କର ସମସ୍ତ ସାଥୀ କ୍ରିକେଟର ଯୋଗ ଦେଇଥିଲେ । ଏହି ବିବାହରେ ରଶିଦଙ୍କ ସହିତ ଭେଟେରାନ ଅଳରାଉଣ୍ଡର ମହମ୍ମଦ ନବୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଦଳର ଷ୍ଟାର ଖେଳାଳି ଆଜମତୁଲ୍ଲା ଓମାରଜାଇ, ନଜିବୁଲ୍ଲା ଜାଦ୍ରାନ, ରେହମତ ଶାହ ଏବଂ ମୁଜିବ୍-ଉର-ରେହମାନଙ୍କ ସମେତ ଅନେକ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା । ଏହି ବିବାହ ଉତ୍ସବରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସିଇଓ ନାସିବ ଖାନ ମଧ୍ୟ ଯୋଗ ଦେଇଥିଲେ ।
ବିବାହ କରି ପ୍ରତିଜ୍ଞା ଭାଙ୍ଗିଲେ ରଶିଦ :-
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରଶିଦ ଖାନ ଜଣେ ସମ୍ପର୍କୀୟଙ୍କୁ ବିବାହ କରିଛନ୍ତି । ତେବେ ସେ ବିବାହ କରି ଏକ ବଡ଼ ପ୍ରତିଜ୍ଞା ମଧ୍ୟ ଭାଙ୍ଗିଛନ୍ତି । କିଛି ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ରଶିଦ କହିଥିଲେ ଯେ, ଆଫଗାନିସ୍ତାନ ଦଳ ବିଶ୍ବକପ୍ ଜିତିବା ପରେ ସେ ବିବାହ କରିବେ । ସେ ସମୟରେ ରଶିଦଙ୍କ ଏହି ସାକ୍ଷାତକାରର ଭିଡିଓ କ୍ଲିପ ବହୁତ ଭାଇରାଲ ହୋଇଥିଲା । ହେଲେ ରଶିଦ ଏହି ପ୍ରତିଜ୍ଞା ଭାଙ୍ଗି ଏବେ ବିବାହ କରିଛନ୍ତି । ଉଲ୍ଲେଖଯୋଗ୍ୟ, 2024ରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନ କ୍ରିକେଟ ଦଳ ଟି20 ବିଶ୍ବକପ୍ ସେମିଫାଇନାଲ ପ୍ରବେଶ କରିଥିଲା ।