ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଉତ୍ତର ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତ୍ତୀ ବାଂଲାଦେଶ ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଓଡ଼ିଶା ଉପରେ ଯଦିଓ ଏହା ବିଶେଷ ପ୍ରଭାବ ପକାଇବ ନାହିଁ ମାତ୍ର ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହାସହ ରାଜ୍ୟରେ ଆହୁରି କିଛି ଦିନ ଗରମ ଗୁଳୁଗୁଳି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଏସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା:
ଆଗାମୀ ୨୪ ଘଣ୍ଟା ଓଡ଼ିଶାରେ ଅନେକ ସ୍ଥାନରେ ପାଗ ଶୁଖିଲା ରହିବ । ଏହାସହ ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର ମୟୂରଭଞ୍ଜ ଓ କେନ୍ଦୁଝରରେ ହାଲୁକାରୁ ମଧ୍ୟମ ଧରଣର ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୬ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ରହିବ । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।
କେଉଁ କେଉଁ ଜିଲ୍ଲାରେ ହେବ ବର୍ଷା:
୭ ତାରିଖରେ ବର୍ଷାର ପରିମାଣ ସାମାନ୍ୟ ବଢ଼ିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୋଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ । ୮,୯ ଓ ୧୦ ତାରିଖରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନଥିବା ବେଳେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
କମୁନି ଗରମ ଗୁଳୁଗୁଳି:
ସେପଟେ ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିନାହିଁ । ମୌସୁମୀ ଅପସାରଣ କରିବାରେ ବିଳମ୍ବ ହେଉଥିବାରୁ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ବଢ଼ିଛି । ଫଳରେ ରାଜ୍ୟରେ ଗରମ ସହ ଗୁଳୁଗୁଳି ହେଉଛି । ସମ୍ପୂର୍ଣ୍ଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ହିଁ ରାଜ୍ୟରେ ଗୁଳୁଗୁଳି କମି । ଗତକାଲି ଅନେକ ସ୍ଥାନରେ ଗରମ ଗୁଳୁଗୁଳି ହୋଇଥିବା ବେଳେ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଯେଉଁଠାରେ ସର୍ବାଧିକ ୩୬.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ବରରେ ୩୪.୮ ଡିଗ୍ରୀ ସେଲସିୟସ ଓ କଟକରେ ୩୩.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ନବରଙ୍ଗପୁରରେ ସର୍ବନିମ୍ନ ୨୨.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ଏହି ଯାଗାରେ ସର୍ବାଧିକ ବର୍ଷା ରେକର୍ଡ:
ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲା ବାହନଗାରେ ସର୍ବାଧିକ ୩୩.୦ ମିମି ବର୍ଷା ରେକର୍ଡ ହୋଇଛି । ସେହପରି ମୟୂରଭଞ୍ଜ ମୋରଡାରେ ୧୭.୨ ମିମି, ଅନୁଗୋଳ କହ୍ନିଆରେ ୧୫.୩ ମିମି ଓ ରାୟଗଡ଼ା ଜି.ଗୁଡାରେ ୧୨.୦ ମିମି ବର୍ଷା ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର