ଝାରସୁଗୁଡ଼ା:ବାଜିଛି ନିର୍ବାଚନ ବିଗୁଲ। ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଉଭୟ ଦଳର ପ୍ରଚାର ପ୍ରସାର ବନ୍ଦ ରହିଛି। ଟିକେଟ ହାତେଇବା ପାଇଁ ଆଶାୟୀ ନେତା ରାଜଧାନୀରେ ଡେରା ପକାଇଛନ୍ତି। ଏପଟେ ରଣନୀତିରେ ସ୍ପଷ୍ଟତା ନଥିବା କାରଣରୁ ନିର୍ବାଚନ ମଣ୍ଡଳୀସ୍ତରରେ ସେମାନଙ୍କ ଶିବିର ଶାନ୍ତ ପଡ଼ିଯାଇଛି । ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ଯାଜପୁର ଜିଲ୍ଲାରେ ଶାସକ ବିଜେଡି ସରକାରୀ ଯୋଜନା ଆଳରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଭରପୂର ଉଦ୍ୟମ କରିଥିଲା। ଏଥର ଯଦିମେଣ୍ଟ ହୁଏ ତେବେ କିଛି ଆସନ ବିଜେପି ପକ୍ଷରେ ଯିବା ଏକ ପ୍ରକାର ନିଶ୍ଚିତ । ଏହା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇଛି। ଏଥିରୁ ବାଦ ପଡ଼ି ନାହିଁ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ।
ଏହି ମେଣ୍ଟ ଚର୍ଚ୍ଚା ଉପରେ ପ୍ରାର୍ଥୀମାନଙ୍କ ଭବିଷ୍ୟତ ଅନିଶ୍ଚିତ ଘେରକୁ ଟାଣି ହୋଇଯାଉଛି । ଯଦି ମେଣ୍ଟ ହୁଏ ତେବେ କିଏ ହେବେ ପ୍ରାର୍ଥୀ ସେନେଇ ଅନେକ ପ୍ରଶ୍ନ ଉଠିଛି। ଗତ ନିର୍ବାଚନ ମାନଙ୍କରେ ରାଜ୍ୟ ସାରା ବିଜେଡିର ପତିଆରା ଦେଖିବାକୁ ମିଳିଥିଲା । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ମୃତ୍ୟୁ ହେବା ପରେ ଝିଅ ଦୀପାଳି ଦାସ ପ୍ରଥମ କରି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ହୋଇ ନିର୍ବାଚିତ ହୋଇଥିଲେ । ତାଙ୍କ ପ୍ରତି ରହିଥିଲା ବିପୁଳ ସମର୍ଥନ । ଯାହାର ପରିଣାମ ସ୍ୱରୂପ ଲକ୍ଷାଧିକ ସଂଖ୍ୟାରେ ଭୋଟ ହାତେଇ ନିଜର ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୦ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ଦୀପାଳି ।