ଭୁବନେଶ୍ୱର:ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ୮୩ ବର୍ଷ ବୟସରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଭେଟେରାନ ରାଜନେତା ଦାମୋଦର ରାଉତଙ୍କ ପରଲୋକ ହୋଇଛି । ଆଜି (ଶୁକ୍ରବାର) ସକାଳ ୫ଟା ୨୩ ମିନିଟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଦେହାନ୍ତ ନେଇ ପୁଅ ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଦାମଙ୍କ ବ୍ରେନଡେଡ ହୋଇଥିବା ନେଇ ଗତକାଲି ପୁଅ ସୂଚନା ଦେଇଥିଲେ । ତାଙ୍କୁ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ହେଲେ ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଦାମଙ୍କ ପରଲୋକ ହୋଇଥିବା ଖବର ଆସିଛି ।
ବହୁଦିନ ଧରି ଦାମ ରାଉତ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଗତ ୧୮ ତାରିଖରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ତାଙ୍କର ହୃଦଘାତ ଆସିଥିଲା । ଏହାପରେ ତାଙ୍କୁ ସେଠାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସୂଚନା ଦେଇଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା ।
ଏହା ମଧ୍ୟ ପଢନ୍ତୁ:ବରିଷ୍ଠ ନେତା ଦାମୋଦର ରାଉତ ଗୁରୁତର - Damodar Rout Critical
ଦାମଙ୍କ ରାଜନୈତିକ କ୍ୟାରିଅର:ଓଡ଼ିଶା ରାଜନୀତିର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଦାମ ରାଉତ ୭ ଥରର ବିଧାୟକ ଥିଲେ । ୧୯୭୭ ମସିହାରେ ପ୍ରଥମ ଥର ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ । ୫ ଥର ଏରସମା ଓ ୨ ଥର ପାରାଦ୍ୱୀପରୁ ଲଢି ବିଧାନସଭାକୁ ଯାଇଥିଲେ । ୧୯୭୯ ମସିହାରୁ ୨୦୧୭ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ବିବାଦୀୟ ମନ୍ତବ୍ୟ ପାଇଁ ୨୦୧୮ ମସିହାରେ ଦାମଙ୍କୁ ଦଳରୁ ବହିଷ୍କୃତ କରିଥିଲେ ନବୀନ । ଓମଫେଡ୍ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦାମ ସରକାରକୁ ଅଡୁଆରେ ପକାଇଥିଲେ । ବହିଷ୍କୃତ ହେବାର କିଛି ଦିନ ପରେ ସେ ବିଜେପିରେ ମିଶିଥିଲେ । ବିଜେପି ତାଙ୍କୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲେ ହେଁ ସେ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେପି ଛାଡିଥିଲେ ଦାମ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ନୂଆବର୍ଷରେ ତାଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଜେଡି ବିଧାୟକ ଭାବେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।
ଦାମ ରାଉତଙ୍କ ସମ୍ପର୍କରେ ସଂକ୍ଷେପରେ
- ଓଡିଶା ରାଜନୀତିରେ ବିଚକ୍ଷଣ ନେତା ଭାବେ ପରିଚିତ
- 83 ବୟସରେ ଆଖି ବୁଜିଲେ ଦାମ ରାଉତ
- ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କଲେ
- କିଡନୀ ରୋଗରେ ଆକ୍ରାନ୍ତ ଥିଲେ
- 7 ଥର ବିଧାୟକ ଭାବେ ନିର୍ବାଚିତ
- ୧୯୭୭ ମସିହାରୁ ଜନତା ଦଳରୁ ଲଢିଥିଲେ
- ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି ଦାମ
- 2018ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ
- ନୂଆବର୍ଷରେ ବହିଷ୍କାର ଆଦେଶ ହଟାଇଥିଲେ ମୁଖ୍ୟମନ୍ତ୍ରୀ