ନୂଆଦିଲ୍ଲୀ/କୋଲକାତା: ଆଜି ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟର ଯେଉଁ ‘ଗଣତନ୍ତ୍ର ବଞ୍ଚାଓ’ ମହାରାଲି ହେଲା, ସେଥିରେ ମମତା ବାନାର୍ଜୀ ଉପସ୍ଥିତ ନଥିଲେ । ମାତ୍ର ଏହି ରାଲିରେ ତାଙ୍କ ଦଳ ତୃଣମୂଳ କଂଗ୍ରେସର ଉପସ୍ଥିତି ସ୍ପଷ୍ଟ ଥିଲା । କାରଣ ଦଳର ବରିଷ୍ଠ ନେତା ତଥା ସାଂସଦ ଡାରେକ ଓ-ବ୍ରାଏନ ମମତାଙ୍କ ପ୍ରତିନିଧି ଭାବେ ମଞ୍ଚରେ ଥିଲେ । କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ମଧ୍ୟ କଲେ ଡାରେକ । ହେଲେ ସଂଧ୍ୟାରେ ଏହି ପ୍ରସଙ୍ଗରେ ମମତାଙ୍କ ଯେଉଁ ବୟାନ ଆସିଲା, ତାହା ସମସ୍ତଙ୍କୁ ପୁଣି ଅଡୁଆରେ ପକାଇଲା । କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଭୋଟ ଦେବାକୁ ଦେଶକୁ ଆହ୍ବାନ ଦେଲା, ମାତ୍ର ମମତା କହିଲେ, କଂଗ୍ରେସକୁ ଭୋଟ ଦେବା ଅର୍ଥ ବିଜେପିକୁ ହିଁ ଭୋଟ ଦେବା ।
ଆଜି ପଶ୍ଚିମବଙ୍ଗର ଏକ କାର୍ଯ୍ୟକ୍ରମରେ ଦିଦିଙ୍କର ଏହି ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ଯାହା ମେଣ୍ଟର ଏକତା ଉପରେ ପ୍ରଶ୍ନ କରିବାକୁ ବିଜେପିକୁ ପୁଣି ଏକ ବଡ ଅବସର ଦେଇଛି । ମମତା କହିଛନ୍ତି, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସିପିଏମ-ବିଜେପି ଓ କଂଗ୍ରେସ ବିରୋଧରେ ନିଜର ଲଢେଇ ଜାରି ରଖିଛି । ଯଦି କଂଗ୍ରେସକୁ ଭୋଟ ଦିଆଯାଏ, ଏହା ବିଜେପିକୁ ଭୋଟ ଦେବା ସହ ସମାନ ବୋଲି କହିହେବ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଦିଦି ମେଣ୍ଟର ନେତୃତ୍ବକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି । ସମ୍ପୂର୍ଣ୍ଣ ଇଣ୍ଡିଆ ମେଣ୍ଟକୁ ବିରୋଧ ନୁହେଁ ବରଂ କଂଗ୍ରେସକୁ ସେ ସିଧା ବିରୋଧ କରୁଥିବା ଆଜି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ।