ରାଉରକେଲା:ଦେଶର ଭବିଷ୍ୟତ ବାଛିବେ ଦେଶର ବିକାଶର ଭବିଷ୍ୟତଙ୍କୁ । ସୁନ୍ଦରଗଡ଼ ଜିଲ୍ଲାରେ ମୋଟ 3 ଲକ୍ଷ 65 ହଜାର 449 ଜଣ ଯୁବ ମତଦାତା ଦେବେ ଭୋଟ୍ । ନିଜ ଅଞ୍ଚଳର ଜନ ପ୍ରତିନିଧିଙ୍କୁ ମଧ୍ୟ ବାଛିବେ ଯୁବପିଢି । ତେବେ କଲେଜରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି ସାଧାରଣ ନିର୍ବାଚନକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଦେଶର ବିକାଶରେ ପ୍ରଥମ ଥର ଆମର ଅବଦାନ ରହିବାକୁ ଯାଉଛି ଯେଉଁଥିପାଇଁ ବେଶ ଉତ୍ସାହିତ ରହିଛୁ ବୋଲି କହିଛନ୍ତି ଯୁବ ଭୋଟର ।
ସାରା ଦେଶରେ ନିର୍ବାଚନ ମାହୋଲ । ନିର୍ବାଚନକୁ ନେଇ କେବଳ ରାଜନେତା ନୁହେଁ ଭୋଟର ବି ବେଶ ଉତ୍ସାହିତ । ତେବେ ସୁନ୍ଦରଗଡ ଜିଲ୍ଲାରେ ମେ ୨୦ ତାରିଖରେ ଜିଲ୍ଲାର ସାତଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ । ଜିଲ୍ଲାରେ ମୋଟ 15 ଲକ୍ଷ 67 ହଜାର 065 ଜଣ ମତଦାତା ରହିଥିବା ବେଳେ ସେମାନଙ୍କ ମଧ୍ୟରେ ପୁରୁଷ 7 ଲକ୍ଷ 73 ହଜାର 571 ଜଣ, ମହିଳା ଭୋଟର 7ଲକ୍ଷ 93 ହଜାର 327, 167 ଜଣ ତୃତୀୟ ଲିଙ୍ଗ ଏବଂ PWD 21 ହଜାର 042, ବରିଷ୍ଠ ନାଗରିକ 85 ବର୍ଷ ଏବଂ ତଦୁର୍ଦ୍ଧ୍ୱରେ 9,422 ଜଣ ଭୋଟର ରହିଛନ୍ତି ।
ଏହାମଧ୍ୟ ପଢନ୍ତୁ..ବୀରମିତ୍ରପୁରରେ ଜୁନିୟର ତିର୍କୀଙ୍କୁ ବିଜେଡି ଟିକଟ, ରୋହିତ କହିଲେ ଲକ୍ଷେରୁ ଊର୍ଦ୍ଧ୍ବ ଭୋଟରେ ଜିତିବି - Odisha Assembly Election
ଏଥର ପ୍ରଥମ କରି ଭୋଟ ଦେବାକୁ ଯାଉଥିବା 18-19 ବର୍ଷ ବୟସର ଯୁବ ମତଦାତା ସମ୍ପୂର୍ଣ୍ଣ ଜିଲ୍ଲାରେ 37,817 ଜଣ ରହିଛନ୍ତି । ସେହିଭଳି 20 ରୁ 29 ବର୍ଷ ବୟସର ଯୁବ ମତଦାତା 3 ଲକ୍ଷ 27 ହଜାର 632 ଅଛନ୍ତି । ତେବେ ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଯୁବ ଭୋଟରମାନେ ବେଶ୍ ଉତ୍ସାହିତ ରହିଛନ୍ତି । କଲେଜ ପଢୁଆ ଛାତ୍ରଛାତ୍ରୀ ତଥା ଯୁବ ମତଦାତାଙ୍କ କହିଛନ୍ତି, "ଦେଶ ତଥା ରାଜ୍ୟର ବିକାଶରେ ପ୍ରଥମ ଥର ଆମର ଅବଦାନ ରହିବାକୁ ଯାଉଛି । ଯେଉଁଥିପାଇଁ ଆମେମାନେ ବେଶ ଉତ୍ସାହିତ ଅଛୁ । ଏଭଳି ନେତାଙ୍କୁ ଭୋଟ ଦେବୁ ଯେଉଁମାନେ ଆମ ରାଜ୍ୟ ଓ ଦେଶର ଉନ୍ନତି କରିବେ । ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ସବୁ କ୍ଷେତ୍ରରେ ବିକାଶ କରିପାରୁଥିବେ ।"
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାର ସାତଟି ନିର୍ବାଚନ ମଣ୍ଡଳୀରେ ୧୮୪୭ଟି ବୁଥ ରହିଛି । ଯେଉଁଥିରେ ସୁନ୍ଦରଗଡ଼ରେ ୨୯୬ ଟି ଏବଂ ତଳସରାରେ 277, ବୀରମିତ୍ରପୁର ୩୦୧, ରଘୁନାଥପାଲ୍ଲୀ ୧୯୩, ରାଉରକେଲା ୧୯୭ ଏବଂ ରାଜଗାଙ୍ଗପୁରରେ ୨୭୪ ଏବଂ ବଣାଇରେ ୩୦୯ଟି ବୁଥ କରାଯାଇଛି ।
ଇଟିଭି ଭାରତ, ରାଉରକେଲା