ନୂଆଦିଲ୍ଲୀ:୨୦୨୪ ଲୋକସଭା ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ପଦ୍ମ ଶିବିରରେ ବଢୁଛି ନେତାଙ୍କ ଭିଡ଼ । ବିଜେପିରେ ମିଶିଲେ ଉତ୍ତରପ୍ରଦେଶର ବହୁଜନ ପାର୍ଟି ସାଂସଦ ରିତେଶ ପାଣ୍ଡେ । ଆମ୍ବେଦନଗର ବିଏସପି ସାଂସଦ ଥିବା ରିତେଶ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ଏହାପରେ ଦିଲ୍ଲୀ ଠାରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କୁ ୟୁପି ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ ଏବଂ ଡେପୁଟି ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଦଳକୁ ସ୍ବାଗତ କରିଛନ୍ତି ।
ବିଏସପି ଦଳରେ ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି । ଏନେଇ ଆଜି (ରବିବାର) ସକାଳେ ରିତେଶ ପାଣ୍ଡେ ଏକ୍ସରେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ । ସେ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ସମ୍ବୋଧନ କରି କହିଥିଲେ, ''ଲମ୍ବା ସମୟ ଧରି ମୋତେ ଦଳର କୌଣସି ବୈଠକକୁ ଡକାଯାଉ ନାହିଁ କି ଦଳୀୟ ନେତୃବୃନ୍ଦ ମୋତ କିଛି ଜଣାଉ ନାହାନ୍ତି । ମୁଁ ଆପଣଙ୍କୁ (ମାୟାବତୀ) ଭେଟିବାକୁ ଏବଂ ଯୋଗଯୋଗରେ ରହିବାକୁ ଅନେକ ଚେଷ୍ଟା କରିଛି । କିନ୍ତୁ କିଛି ଲାଭ ହୋଇନି । ଏହି ସମୟରେ ଅନ୍ୟ ଦଳର କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ଭେଟି ମୋର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟ ଜାରି ରଖିଥିଲି । ଶେଷରେ ମୁଁ ଏହି ନିଷ୍କର୍ସରେ ପହଞ୍ଚିଲି ଯେ, ଦଳକୁ ଆଉ ମୋର ସେବା ଏବଂ ଉପସ୍ଥିତିର ଆବଶ୍ୟକତା ନାହିଁ । ସେଥିପାଇଁ ଦଳର ପ୍ରାଥମିକ ସଦସ୍ୟତା ଛାଡିବା ବ୍ୟତୀତ ମୋର ପାଖରେ ଆଉ କିଛି ବିକଳ୍ପ ନାହିଁ । ଦଳ ସହ ସମ୍ପର୍କ ଭାଙ୍ଗିବାର ଏହି ନିଷ୍ପତ୍ତି ଭାବନାତ୍ମକ ଦୃଷ୍ଟିରୁ ଏକ କଠିନ ଅଟେ ।''