ଭୁବନେଶ୍ବର:ଜମ୍ମୁ-କାଶ୍ମୀର ଓ ହରିୟାଣାନିର୍ବାଚନ ଏକଜିଟ ପୋଲ ରେଜଲ୍ଟକୁ ନେଇ ଏବେ ରାଜ୍ୟଠୁ ଆରମ୍ଭ କରି ଜାତୀୟସ୍ତର, ସବୁଠି ଆଲୋଚନା ଆରମ୍ଭ ହୋଇଯାଇଛି । ଉଭୟ ଜାଗାରେ ଇଣ୍ଡି ମେଣ୍ଟକୁ ବହୁମତ ମିଳୁଥିବା ଏକଜିଟ ପୋଲ ଫଳାଫଳରୁ ଜଣାପଡ଼ିଛି । ଏବେ ସମସ୍ତଙ୍କ ନଜର ଅକ୍ଟୋବର ୮ ତାରିଖ ଅର୍ଥାତ ନିର୍ବାଚନ ଫଳାଫଳ ପ୍ରକାଶ ଦିନକୁ । ଏକଜିଟ ପୋଲ ଏକଜାଟ ପୋଲ ହେବା ନା ଏଥିରେ ବ୍ୟତିକ୍ରମ ଦେଖାଦେବ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଓଡ଼ିଶାରେ ତେଜିଛି ରାଜନୀତି । ଏକଜିଟ ପୋଲ ରେଜଲ୍ଟକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି । ଆଗାମୀ ଦିନରେ ଲୋକେ ବିଜେପିକୁ ବଙ୍ଗୋପସାଗରରେ ଫିଙ୍ଗି ଦେବେ ବୋଲି କହିଛି କଂଗ୍ରେସ । ସେପଟେ ବିଜେଡି କହିଛି ଲୋକେ ହରିୟାଣା ଓ ଜାମୁ କାଶ୍ମୀରର ଚମତ୍କାର ଫଳାଫଳ ଦେଖିଵେ । ଏଣେ ଏକଜିଟି ପୋଲ ଏକଜାଟ ହୁଏନି ବୋଲି କହିଛି ବିଜେପି ।
ଲୋକେ ବିଜେପିକୁ ବଙ୍ଗୋପସାଗରକୁ ଫିଙ୍ଗି ଦେବେ:
ଗତକାଲି ଜମ୍ମୁ-କାଶ୍ମୀର ଓ ହରିୟାଣାନିର୍ବାଚନକୁ ନେଇ ଆସିଥିବା ଏକଜିଟ ପୋଲକୁ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଏକଜିଟ ପୋଲ ପୂର୍ବରୁ ମଧ୍ୟ ହରିୟାଣାରେ କଂଗ୍ରେସ ସପକ୍ଷରେ ଜନମତ ରହିଥିଲା । ୨ଟି ପର୍ଯ୍ୟାୟରେ ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ଭାରତବର୍ଷ ଯାତ୍ରା କରିଥିଲେ । କଂଗ୍ରେସ ଦଳ ଯେଉଁ ମଜବୁତ ସ୍ଥିତିକୁ ଫେରୁଛି ଏହା ହେଉଛି ରାହୁଲ ଗାନ୍ଧୀଙ୍କ ଯାତ୍ରାର ବଡ ପ୍ରଭାବ । ହରିୟାଣାରେ ଏକାକୀ କଂଗ୍ରେସ ଦଳ ସରକାର କରିବ । ସେହିଭଳି ଭାବରେ ଜାମୁ ଏବଂ କାଶ୍ମୀରରେ ମଧ୍ୟ ଇଣ୍ଡିଆ ମେଣ୍ଟର ମିଳିତ ସରକାର ହେବ । ଏହାର ପ୍ରଭାବ ଆଗକୁ ହେବାକୁ ଥିବା ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ନିର୍ବାଚନ ଉପରେ ମଧ୍ୟ ପଡିବ । ଏହି ୩ଟି ରାଜ୍ୟରେ ମଧ୍ୟ ଇଣ୍ଡିଆ ମେଣ୍ଟର ସରକାର ହେବ । ମୋଟ ୫ଟି ରାଜ୍ୟର ବିଜୟ ପରେ ଉତ୍ତର ଭାରତରେ ବିଜେପି ସ୍ଥିତି ସଂଗୀନ ହେବାକୁ ଯାଉଛି । ଉତ୍ତର ପ୍ରଦେଶ ଓ ବିହାର ନିର୍ବାଚନ ବେଳକୁ ବିଜେପିର ଆଉ କିଛି ସ୍ଥିତି ନଥିବ । ଲୋକେ ତାଙ୍କୁ ବଙ୍ଗୋପସାଗରକୁ ଫିଙ୍ଗି ଦେଇଥିବେ ।"
ଏଆଇସିସି ଫୋକସରେ ଓଡ଼ିଶା:
ଜୟଦେବ ଜେନା ଏହା ମଧ୍ୟ କହିଛନ୍ତି, "ଆଗକୁ ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିବ । ଆମର ୬ ଥର ପରାଜୟ ହୋଇଛି । ଯେତିକି ଶିକ୍ଷା ପାଇବା କଥା ଆମେ ପଇସାରିଲୁଣି । ରାଜ୍ୟର ସମସ୍ତ କଂଗ୍ରେସ ନେତାଙ୍କର ଏବେ ମାନସିକ ଭାବରେ ପରିବର୍ତ୍ତନ ଘଟିଛି । ଯେଉଁଭଳି ବାହାର ରାଜ୍ୟରେ କଂଗ୍ରେସ ନେତା ଏକ ହୋଇ ଲଢେଇ କଲେ ଏବଂ ଏବେ ବିଜୟର ସ୍ୱାଦ ଚାଖିବାକୁ ଯାଉଛନ୍ତି । ସେହିଭଳି ରାଜ୍ୟରେ ମଧ୍ୟ ସମସ୍ତ କଂଗ୍ରେସ ନେତା ଏକ ହୋଇ ଆଗକୁ ଲଢ଼ିବାକୁ ପ୍ରସ୍ତୁତ ହୋଇସାରିଲେଣି । ଓଡିଶାକୁ ଏଆଇସିସି ଫୋକସରେ ରଖିଛି । ଖୁବଶୀଘ୍ର ପିସିସି ସଭାପତି ଘୋଷଣା ହେବ । ପିସିସି ରାଜ୍ୟ ଉନ୍ନତି ପାଇଁ କାଯ୍ୟକ୍ରମ କରିବ । ୫ଟି ରାଜ୍ୟରେ ବିଜେପିର ଯେଉଁଭଳି ସ୍ଥିତି ଆସୁଛି, ଏହା ବିଜେପି ପାଇଁ ଅତ୍ୟନ୍ତ ଚିନ୍ତାଜନକ । ଦେଶରେ ବିଜେପି ଏକାକୀ ଭାବରେ ସରକାର କରିନାହିଁ । ଆଶାବାଡ଼ିରେ କେନ୍ଦ୍ର ସରକାର ଚାଲିଛି । ଯେତେବେଳେ ବିଜେପି ଉପରୁ ଅନ୍ୟ ସହଯୋଗୀ ଦଳର ବିଶ୍ୱାସ ଭାଙ୍ଗିଯିବ, ସେତେବେଳେ ସେମାନେ କଂଗ୍ରେସକୁ ସମର୍ଥନ କରିବେ । ରାଜନୀତିରେ କିଛି ଵି ହେଇପାରେ । ତେଣୁ ଆଗକୁ ମଧ୍ୟବର୍ତ୍ତୀ ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।"
ସଚେତନ ନାଗରିକ ଉଚିତ ଜବାବ ଦେବେ: