ଭୁବନେଶ୍ୱର:ଆସନ୍ତା 27 ତାରିଖରେ ରାଜ୍ୟସଭା ନିର୍ବାଚନ । ବିଧାନସଭାର ନୂଆ କନଫରେନ୍ସ ହଲରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ୨ ପ୍ରାର୍ଥୀ । ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଭୟ ନାମାଙ୍କନ ଭରିଥିବା ବେଳେ ସେଠାରେ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା ଓ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।
ନାମାଙ୍କନ ଦାଖଲ ପରେ ବିଜେଡି ସାଂସଦ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ତାଙ୍କର ବିଶ୍ବାସ ରହିଛି ଯେ, ମୁଁ ରାଜ୍ୟ ପାଇଁ କାର୍ଯ୍ୟ କରିବି । କେନ୍ଦ୍ର-ରାଜ୍ୟ ସମନ୍ବୟରେ ରାଜ୍ୟର ବିକାଶ ଲାଗି ସ୍ବର ଉଠାଇବି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ହିତ ପାଇଁ କାର୍ଯ୍ୟ କରିବି । କଟକ ତାଙ୍କ ଜନ୍ମମାଟି । ସେ ସର୍ପ୍ରାଇଜ୍ ଦେବାକୁ ପସନ୍ଦ କରନ୍ତି । ଆମେ ରାଜ୍ୟସଭା ଯିବୁ ବୋଲି ବିଶ୍ଵାସ ନଥିଲା । ମୁଖ୍ୟମନ୍ତ୍ରୀଙ୍କ ବିଶ୍ଵାସ ମୋ ଉପରେ ରହିଛି । ଓଡ଼ିଶାର ହିତ ପାଇଁ ଲଢ଼ିବୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅକ୍ଷରେ ଅକ୍ଷରେ ପାଳନ କରିବୁ ।"
ଏହା ମଧ୍ୟ ପଢ଼ନ୍ତୁ...ନବୀନଙ୍କ ସରପ୍ରାଇଜ କାର୍ଡ: ଶୁଭାଶିଷ ଖୁଣ୍ଟିଆ ଓ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ
ବିଜେଡିର ଅନ୍ୟ ରାଜ୍ୟସଭା ପ୍ରାର୍ଥୀ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ଯାହା ହୋଇଛି ତାହା ମହାପ୍ରଭୁଙ୍କ ଆଶୀର୍ବାଦ । ଯୁବକ ଭାବେ ମୁଖ୍ୟମନ୍ତ୍ରୀ ମୋତେ ଗୁରୁତ୍ବ ଦେଇଛନ୍ତି । ଯୁବବର୍ଗଙ୍କ ଲାଗି କାର୍ଯ୍ୟ କରିବି । ସମସ୍ତେ ଖୁସି ଅଛନ୍ତି । ଓଡ଼ିଶାର ନ୍ୟାଯ୍ୟ ଦାବି ଆମେ କେନ୍ଦ୍ରରେ ଉଠାଇବୁ ।" ଏଠାରେ ଉପସ୍ଥିତ ଥିହା ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି, "ଦଳ ପାଇଁ କଣ ଠିକ ତାହା ମୁଖ୍ୟମନ୍ତ୍ରୀ ଭଲ ଭାବେ ଜାଣନ୍ତି । ସେ କେତେବେଳେ କେଉଁ ନିଷ୍ପତ୍ତି ନେବେ ତାଙ୍କ ମନରେ ସ୍ଥିର କରିଥାଆନ୍ତି । ଠିକ ସମୟରେ ଘୋଷଣା କରନ୍ତି ।" ତେବେ ତୃତୀୟ ପ୍ରାର୍ଥୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ଥିର କରିସାରିଥିବେ, ଖୁବଶୀଘ୍ର ଜଣା ପଡ଼ିବ ବୋଲି ସେ କହିଛନ୍ତି ।