ଓଡିଶା

odisha

ETV Bharat / politics

ସମ୍ବଲପୁର ସିଟ୍ ଧର୍ମେନ୍ଦ୍ରଙ୍କ ପାଇଁ କେତେ ସୁରକ୍ଷିତ ? ଜାଣନ୍ତୁ ରାଜନୀତି ସମୀକ୍ଷକଙ୍କ ମତ - Political Scenario In Sambalpur - POLITICAL SCENARIO IN SAMBALPUR

Political Scenario In Sambalpur: ସମ୍ବଲପୁର ଲୋକସଭା ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢିଛି । ଅଧିକ ପଢନ୍ତୁ

Sambalpur Loksabha constituency
Sambalpur Loksabha constituency

By ETV Bharat Odisha Team

Published : Mar 26, 2024, 7:32 AM IST

Sambalpur Loksabha constituency

ସମ୍ବଲପୁର:ମର୍ଯ୍ୟାଦା ସମ୍ପନ୍ନ ସମ୍ବଲପୁର ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ନାମ ଘୋଷଣା ହେବା ପରେ ସମ୍ବଲପୁର ବିଜେପିରେ ଉତ୍ସାହ ଦେଖିବାକୁ ମିଳିଛି । ନେତା ଓ କର୍ମୀ ସମସ୍ତେ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି । କେନ୍ଦ୍ରୀୟ ନେତୃତ୍ୱଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି । ରାଜନୈତିକ ମହଲରେ ବର୍ତ୍ତମାନ ଗୋଟିଏ ଚର୍ଚ୍ଚା ଯେ, 2009 ନିର୍ବାଚନ ପରେ ନିର୍ବାଚନ ଲଢ଼ିନଥିବା ଧର୍ମେନ୍ଦ୍ର କାହିଁକି ସମ୍ବଲପୁର ସିଟ୍ ବାଛିଲେ ? ଏହା ଧର୍ମେନ୍ଦ୍ରଙ୍କ ପାଇଁ ସୁରକ୍ଷିତ ସିଟ୍ କି ? ଏମିତି ପ୍ରଶ୍ନ ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି ।

ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି, "ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ, ଏଥିପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଦେଉଛୁ । ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ସିଟ୍ ସହ 7ଟି ଯାକ ବିଧାନସଭା ସିଟ୍ ବିଜେପି ଜିତିବ ।" ଗତ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ସମ୍ବଲପୁର ସଦର, ରେଙ୍ଗାଲି ଓ ଦେବଗଡ଼ ବିଧାନସଭା ସିଟରେ ବିଜେପି ବିଜୟୀ ହୋଇଥିଲା । ତେବେ କୁଚିଣ୍ଡା, ଛେଣ୍ଡିପଦା ଆଦି ସିଟରେ ବିଜେପି ଅଳ୍ପ ବ୍ୟବଧାନରେ ହାରିଥିଲା । ଏଥର ବିଜେପି ସମ୍ବଲପୁର ଲୋକସଭା ସିଟ୍ ସହ 7ଟି ଯାକ ବିଧାନସଭା ସିଟରେ ବିଜୟୀ ହେବ ଓ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ସିଟରୁ ବିଜୟୀ ହେବେ ବୋଲି ଜୟନାରାୟଣ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଧର୍ମେନ୍ଦ୍ରଙ୍କ ରାଜନୈତିକ କ୍ୟାରିୟର:

2000 ମସିହାରେ ମେଣ୍ଟ ସରକାରରେ ଧର୍ମେନ୍ଦ୍ର ପ୍ରଥମେ ପାଲଲହଡାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ 2004ରେ ସେ ଦେବଗଡ଼ ଲୋକସଭା ସିଟରୁ ପ୍ରାର୍ଥୀ ହୋଇ ସାଂସଦ ମଧ୍ୟ ହୋଇଥିଲେ । 2009ରେ ବିଜେଡି ସହ ମେଣ୍ଟ ଭାଙ୍ଗିବା ପରେ ପାଳଲହଡା ବିଧାନସଭା ଆସନରୁ ସେ ବିଜେପିର ପ୍ରାର୍ଥୀ ହୋଇଥିଲେ । ତେବେ ଏହି ନିର୍ବାଚନରେ ସେ ବିଜେଡିର ରବି ପାଣିଙ୍କ ଠାରୁ ପରାଜିତ ହୋଇଥିଲେ । ଏହାପରେ ସେ ବିଜେପିର କେନ୍ଦ୍ରୀୟ ସଂଗଠନ କାର୍ଯ୍ୟରେ ଜଡିତ ହୋଇଥିଲେ । ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ତାଙ୍କ ଘନିଷ୍ଠତା ବଢିଥିଲା । ତେଣୁ 2014ରେ ବିଜେପି ସରକାର କେନ୍ଦ୍ରରେ ଆସିବା ପରେ ସେ ଲଗାତାର 2 ଥର ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ଆଉ ବର୍ତ୍ତମାନ ପ୍ରାୟ 10 ବର୍ଷର ବ୍ୟବଧାନ ପରେ ପୁଣି ପ୍ରତ୍ୟେକ୍ଷ ନିର୍ବାଚନରେ ଓହ୍ଲାଇବାକୁ ଯାଉଛନ୍ତି ଧର୍ମେନ୍ଦ୍ର ।

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଧର୍ମେନ୍ଦ୍ର ପ୍ରଧାନ-ସମ୍ବିତ ପାତ୍ର - Dharmendra Visits Puri
ଧର୍ମେନ୍ଦ୍ରଙ୍କ ପାଇଁ କେତେ ସୁରକ୍ଷିତ ସମ୍ବଲପୁର ଆସନ?

ରାଜନୀତି ସମୀକ୍ଷକଙ୍କ ମତରେ ସମ୍ବଲପୁର ଲୋକସଭା ଆସନଟି ଧର୍ମେନ୍ଦ୍ରଙ୍କ ପାଇଁ ସୁରକ୍ଷିତ ସିଟ୍ । କାରଣ 90 ଦଶକରୁ ଧର୍ମେନ୍ଦ୍ର ସମ୍ବଲପୁରରେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ । ସେହି ସମୟରେ ବୁର୍ଲା ଇଞ୍ଜିନିୟରିଂ କଲେଜର କିଛି ଛାତ୍ରଙ୍କୁ ହତ୍ୟା କରାଯାଇଥିଲା । ସେହି ପ୍ରସଙ୍ଗକୁ ଉଠାଇ ସେହି ସମୟରେ ଧର୍ମେନ୍ଦ୍ର ରାଜନୀତି ଆରମ୍ଭ କରିଥିଲେ । ସେହି ସମୟରୁ ସେ ଏବିଭିପି ସହ ଜଡିତ ଅଛନ୍ତି । ଏହାସହ ସମ୍ବଲପୁରରେ RSSର ଏକ ଭଲ ସଂଗଠନ ରହିଛି । ଏଭଳି ସ୍ଥିତିରେ ସମ୍ବଲପୁର, ରେଙ୍ଗାଲି, କୁଚିଣ୍ଡା, ଦେବଗଡ଼, ଆଠମଲ୍ଲିକ, ଛେଣ୍ଡିପଦା ଆଦି ସିଟରେ ବିଜେପିର ଭଲ ସଂଗଠନ ଥିବାରୁ ସମ୍ବଲପୁର ଲୋକସଭା ସିଟ୍ ଧର୍ମେନ୍ଦ୍ରଙ୍କ ପାଇଁ ସୁରକ୍ଷିତ ସିଟ୍ ବୋଲି ଚର୍ଚ୍ଚା ହେଉଛି । କାରଣ ବର୍ତ୍ତମାନ ସମ୍ବଲପୁର, ରେଙ୍ଗାଲି, ଦେବଗଡ଼ରେ ବିଜେପି ବିଧାୟକ ଥିବାବେଳେ କୁଚିଣ୍ଡା, ଛେଣ୍ଡିପଦା ପରି ବିଧାନସଭା ସିଟରେ ବିଜେପିର ଭଲ ସଂଗଠନ ରହିଛି l ତେଣୁ ଏହି ରାଜନୈତିକ ସମୀକରଣ ଧର୍ମେନ୍ଦ୍ରଙ୍କୁ ସୁହାଇବ ବୋଲି କୁହାଯାଉଛି ।

2019 ନିର୍ବାଚନର ଫଳାଫଳ:

2019 ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ 9ହଜାର 162 ଖଣ୍ଡ ଭୋଟରେ ପରାଜିତ କରିଥିଲେ । ସେହିପରି ସମ୍ବଲପୁର ବିଧାନସଭା ସିଟରୁ ବିଜେପିର ଜୟନାରାୟଣ ମିଶ୍ର ବିଜେଡିର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ 4ହଜାର 380ଖଣ୍ଡ ଭୋଟରେ ପରାଜିତ କରିଥିଲେ । ରେଙ୍ଗାଲି ବିଧାନସଭା ସିଟରେ ବିଜେପିର ନାଉରୀ ନାୟକ ବିଜେଡିର ରୀନା ତନ୍ତୀଙ୍କୁ 6 ହଜାର 743 ଭୋଟରେ ପରାଜିତ କରିଥିଲେ । କିନ୍ତୁ କୁଚିଣ୍ଡା ବିଧାନସଭା ଆସନରେ ବିଜେଡିର କିଶୋର ଚନ୍ଦ୍ର ନାୟକ ବିଜେପି ପ୍ରାର୍ଥୀ ରବି ନାୟକଙ୍କୁ 3ହଜାର 508ଖଣ୍ଡ ଭୋଟରେ ପରାଜିତ କରିଥିଲେ । ସେହିପରି ରେଢ଼ାଖୋଲ ବିଧାନସଭା ଆସନରେ ବିଜେଡିର ରୋହିତ ପୂଜାରୀ କଂଗ୍ରେସର ଆସଫ ଅଲ୍ଲୀ ଖାଁଙ୍କୁ 14ହଜାର 632 ଭୋଟରେ ପରାଜିତ କରିଥିଲେ । ଦେବଗଡ଼ ବିଧାନସଭା ଆସନରେ ବିଜେପିର ସୁବାଷ ଚନ୍ଦ୍ର ପାଣିଗ୍ରାହୀ ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ 7ହଜାର 106 ଭୋଟରେ ପରାଜିତ କରିଥିଲେ । ଆଠମଲ୍ଲିକ ବିଧାନସଭା ସିଟରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ବିଜେପିର ଭାଗିରଥି ପ୍ରଧାନଙ୍କୁ 47ହଜାର 184ଖଣ୍ଡ ଭୋଟରେ ହରାଇଥିଲେ । ଛେଣ୍ଡିପଦା ବିଧାନସଭା ସିଟରେ ବିଜେଡିର ସୁଶାନ୍ତ କୁମାର ବେହେରା ବିଜେପିର ଅଗସ୍ତି ବେହେରାଙ୍କୁ 6ହଜାର 794ଖଣ୍ଡ ଭୋଟରେ ପରାଜିତ କରିଥିଲେ ।


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details