ଓଡିଶା

odisha

ETV Bharat / politics

ଅରୁନ୍ଧତୀ ଦେବୀ ଦେବଗଡ଼ ପ୍ରାର୍ଥୀ: ବଜାୟ ରହିବ ରାଜ ପରିବାରର ବିଜୟଧାରା ନା ଆଶାୟୀଙ୍କ ଅସହଯୋଗର ପଡ଼ିବ ପ୍ରଭାବ ? - Royal Family Politics - ROYAL FAMILY POLITICS

Deogarh Royal Family Politics: ନିତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ଦେବଗଡ଼ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ରାଜ ପରିବାରର ବିଜୟ ଧାରା ବଜାୟ ରହିବ ନା ନିରାଶ ହୋଇଥିବା ଆଶାୟୀଙ୍କ ଅସହଯୋଗ ଭୋଟ ବ୍ୟାଙ୍କ ପ୍ରଭାବିତ କରିବ ତାହାକୁ ନେଇ ଉଠିଛି ପ୍ରଶ୍ନ ।

Royal Family Politics
Royal Family Politics

By ETV Bharat Odisha Team

Published : Apr 17, 2024, 10:50 PM IST

ଦେବଗଡ଼:ବାମଣ୍ଡା ରାଜ ପରିବାର ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛି ବିଜେଡି । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ହୋଇଛି । ବିଜେଡି ଦେବଗଡ଼ ବିଧାନସଭା ଆସନ ପାଇଁ ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି । ଯାହାକୁ ନେଇ ସରଗରମ ରାଜନୀତି । ଏହା ଭୋଟରଙ୍କୁ କିଭଳି ପ୍ରଭାବିତ କରିବ ଓ ବିଜେଡି ଏଥିରୁ କେତେ ଲାଭବାନ ହେବ , ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଦେବଗଡ଼ ବିଧାନସଭା ଆସନରେ ରାଜ ପରିବାର ଭୂମିକା:

ବାମଣ୍ଡା ରାଜ ପରିବାରର ବିଶେଷ ଭୂମିକା ରହି ଆସିଛି । ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ 1967 ମସିହାଠାରୁ ଆଜି ଯାଏଁ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବହୁବାର ବାମଣ୍ଡା ରାଜ ପରିବାର କ୍ଷମତା ହାସଲ କରିଛନ୍ତି । 1967 ମସିହାରେ ତତ୍କାଳୀନ ସ୍ୱତନ୍ତ୍ର ପାର୍ଟି ପକ୍ଷରୁ ବାମଣ୍ଡା ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବ ସର୍ବପ୍ରଥମେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ । ଏହାପରେ 1971 ଓ 1974 ମସିହାରେ ସେ ସ୍ୱତନ୍ତ୍ର ପାର୍ଟିରୁ ପୁନର୍ବାର ନିର୍ବାଚନ ଲଢ଼ି ଲଗାତାର ବିଜୟୀ ହୋଇଥିଲେ । ସେହିପରି 1977 ମସିହାରେ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ରାଜା ଭାନୁଗଙ୍ଗ ଦେବଙ୍କ ଦେହାନ୍ତ ପରେ 1990 ମସିହାରେ ତାଙ୍କ ସୁପୁତ୍ର ପ୍ରଦୀପ୍ତ ଗଙ୍ଗଦେବ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ ।

ସେହିପରି 1995 ମସିହା ନିର୍ବାଚନରେ ସେ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ି ପୁନର୍ବାର ବିଜୟୀ ହୋଇଥିଲେ । ତାଙ୍କ ଦେହାନ୍ତ ପରେ ତାଙ୍କ ସୁପୁତ୍ର ନିତେଶ ଗଙ୍ଗଦେବ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ି ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ସେହିପରି 1914 ମସିହାରେ ନିତେଶ କଂଗ୍ରେସ ଛାଡି ବିଜେପି ପକ୍ଷରୁ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ । ଗତ 2019 ମସିହାରେ ସେ ବିଜେପି ପକ୍ଷରୁ ସମ୍ବଲପୁର ଲୋକସଭା ଆସନରେ ନିର୍ବାଚନ ଲଢ଼ି ବିଜୟ ଲାଭ କରିବା ସହ ରାଜ ପରିବାରର ବିଜୟ ଧାରାକୁ ବଜାୟ ରଖିଛନ୍ତି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଦେବଗଡ଼ ବିଧାନସଭା କ୍ଷେତ୍ରରେ ବାମଣ୍ଡା ରାଜ ପରିବାରର ଆଧିପତ୍ୟ ଏପର୍ଯ୍ୟନ୍ତ ରହିଆସିଛି ।

ବିଜେଡିକୁ ଫାଏଦା ଦେବ କି ରାଜପରିବାର କାର୍ଡ ?

ଏହି ବିଧାନସଭା କ୍ଷେତ୍ରରେ ରାଜ ପରିବାରର ଆଧିପତ୍ୟକୁ ଲକ୍ଷ୍ୟ କରି ଚଳିତ ବିଧାନସଭା ନିର୍ବାଚନରେ ନିତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ବିଧାୟକ ପ୍ରାର୍ଥୀ କରିଛି ବିଜେଡି । ତେବେ ଚଳିତ ନିର୍ବାଚନରେ ଏହା ଭୋଟରଙ୍କୁ କେତେ ମାତ୍ରାରେ ପ୍ରଭାବିତ କରିବ ଓ ବିଜେଡି କେତେଦୂର ଲାଭବାନ ହେବ, ତାହାକୁ ନେଇ ଚାଲିଛି ଚର୍ଚ୍ଚା । ବିଜେଡି ପ୍ରାର୍ଥୀ ଅରୁନ୍ଧତୀ ଦେବୀଙ୍କ ସ୍ୱାମୀ ନିତେଶ ଗଙ୍ଗଦେବ ଏବେ ବିଜେପିରେ ଅଛନ୍ତି । ସେ 2019 ମସିହାରେ ସମ୍ବଲପୁର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ତାଙ୍କ କାର୍ଯ୍ୟକାଳରେ ସେ ସେଭଳି କୌଣସି ବିକାଶମୂଳକ କାର୍ଯ୍ୟ କରିନଥିବା ଚର୍ଚ୍ଚା ହୁଏ । ଏପରିକି ଦୀର୍ଘ ସମୟ ଧରି ଦେବଗଡ଼ ବିଧାନସଭା କ୍ଷେତ୍ରରୁ ଦୂରେଇ ରହି ଲୋକ ସମ୍ପର୍କ ମଧ୍ୟ ଛିନ୍ନ କରିଛନ୍ତି । ଫଳରେ ତାଙ୍କ ପ୍ରତି ଜନଅସନ୍ତୋଷ ବୃଦ୍ଧି ପାଇଛି ।

କେବଳ ଏତିକି ନୁହେଁ, ପୂର୍ବରୁ ରାଜ ପରିବାର ପ୍ରତି ରହିଥିବା ଲୋକଙ୍କ ଆସ୍ଥା ଏବେ ବହୁ ମାତ୍ରାରେ ହ୍ରାସ ପାଇଛି । ରାଜ ଅନୁଗତଙ୍କ ସଂଖ୍ୟା ଯଥେଷ୍ଟ କମିଛି । ଏହା ଅରୁନ୍ଧତୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଅରୁନ୍ଧତୀ ବିଜେଡିରେ ଯୋଗ ଦେବାର ଗୋଟିଏ ଦିନ ପରେ ତାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବହୁ ଆଶାୟୀଙ୍କୁ ଏହା ନିରାଶ ଓ ବ୍ୟଥିତ କରିଛି । ଦଳ ପାଇଁ ବର୍ଷବର୍ଷ ଧରି କାର୍ଯ୍ୟ କରି ସଂଗନକୁ ଦୃଢ଼ କରିଥିବା ଆଶାୟୀ ପ୍ରାର୍ଥୀଙ୍କ ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।

୨୦୧୯ ନିର୍ବାଚନରେ ବିଜେଡିର ଫଳାଫଳ:

ବିଶେଷକରି ଗତ 2019 ମସିହା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ରୋମାଞ୍ଚ ରଞ୍ଜନ ବିଶ୍ୱାଳ 67ହଜାର 249 ଖଣ୍ଡ ଭୋଟ ପାଇ ଖୁବ ଅଳ୍ପ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କଠାରୁ ପରାଜୟ ବରଣ କରିଥିଲେ । ରୋମାଞ୍ଚ ରଞ୍ଜନ ଦୀର୍ଘ ସମୟ ଧରି ବିଜେଡି ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଇ ସଂଗଠନକୁ ସୁଦୃଢ଼ କରିଥିଲେ । ଚଳିତ ନିର୍ବାଚନରେ ସେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରମୁଖ ଦାବିଦାର ଥିଲେ । ମାତ୍ର ଦଳ ତାଙ୍କୁ ଅଣଦେଖା କରି ଘଡିସନ୍ଧି ମୁହୂର୍ତ୍ତରେ ଅରୁନ୍ଧତୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଯାହାକି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ତାଙ୍କ ସମର୍ଥକଙ୍କୁ ନିରାଶ କରିଛି । ଫଳରେ ସେ ଦଳ ଠାରୁ ଦୂରତା ରକ୍ଷା କରିବା ଆରମ୍ଭ କରି ଦେଇଥିବା କୁହାଯାଉଛି । ତେଣୁ ସେମାନଙ୍କ ଅସହଯୋଗ ନିର୍ବାଚନକୁ ବହୁ ମାତ୍ରାରେ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏଭଳି ପ୍ରତିକୂଳ ସ୍ଥିତି ବିଜେଡି ପ୍ରାର୍ଥୀ ଅରୁନ୍ଧତୀଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ତେବେ ବିଜେଡି ପ୍ରାର୍ଥୀ ଅରୁନ୍ଧତୀ ଦେବୀ ଏ ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି କିଭଳି ନିର୍ବାଚନ ବୈତରଣୀ ପାର୍ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।


ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details